ବିଜାପୁର: ଛତିଶଗଡରେ ଆତଙ୍କ ଖେଳାଉଥିବା ମାଓବାଦୀ ବର୍ତ୍ତମାନ କୋରୋନା ସଂକ୍ରମଣ ଭୟରେ ରହିଛନ୍ତି । ଜିଲ୍ଲାର ମୋଦକପାଲ ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ପେଡ୍ଡକୱାଲୀ ଜଙ୍ଗଲରୁ ଜଣେ ମହିଳା ମାଓବାଦୀଙ୍କୁ ଉଦ୍ଧାର କରିଛନ୍ତି ବିଜାପୁର ଡିଆରଜି ଯବାନ ।
ସୂଚନାନୁସାରେ, ପେଡ୍ଡକୱାଲୀ ଜଙ୍ଗଲରେ ଏହି ମହିଳା ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ବିଜାପୁର ଡିଆରଜି ଯବାନଙ୍କୁ ସେଠାକୁ ପଠାଯାଇଥିଲା । ଗିରଫ ହୋଇଥିବା ମହିଳା ମାଓବାଦୀଙ୍କ ନାଁ ସାବିତ୍ରୀ ଚାପା ବୋଲି ଜଣାପଡିଥିବା ବେଳେ ସେ 2010ରୁ ମାଓ ସଂଗଠନରେ ବିଭିନ୍ନ ପଦବୀରେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି । ବର୍ତ୍ତମାନ ସେ ବାଟାଲିୟନରେ କମ୍ପାନୀ ନମ୍ବର-1ର ପ୍ଲାଟୁନ୍ ନମ୍ବର-3ର ଜଣେ ସକ୍ରିୟ ସଦସ୍ୟ ଭାବରେ କାର୍ଯ୍ୟରତ ଥିଲେ ।
ସାବିତ୍ରୀଙ୍କୁ ଥଣ୍ଡା, କାଶ ଏବଂ ଜ୍ୱରକୁ ଥିବା ବେଳେ କୋରୋନା ସଂକ୍ରମଣ ଭୟରେ ମାଓ ସଂଗଠନ ତାଙ୍କୁ ବାଟାଲିୟନରୁ ବାହାର କରି ଦେଇଥିଲା । ଲଗାତାର 10 ବର୍ଷ ଧରି ମାଓ ସଂଗଠନରେ କାର୍ଯ୍ୟ କରିବା ପରେ ବର୍ତ୍ତମାନ ସଂଗଠନରୁ ବାହାରିବା ପରେ ସେ ନିଜ ପରିବାରକୁ ଭେଟିବା ଉଦ୍ଦେଶ୍ୟରେ ପେଡ୍ଡକୱାଲୀ ଜଙ୍ଗଲରେ ରହିଥିଲେ । ହେଲେ ସର୍ଚ୍ଚ ଅପରେସନ ସମୟରେ ଧରାପଡିବା ପରେ ସମସ୍ତ ଘଟଣା ଜଣାପଡିଥିଲା । ଗିରଫ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହା ପରେ ତାଙ୍କୁ କ୍ବାରେନଣ୍ଟାଇନରେ ରଖାଯାଇଛି ।