ସାମାଜିକ ବିବିଧତା ହିଁ ଭାରତର ଏକତାର ବୈଶିଷ୍ଟ୍ୟ । ଭାଷା ଭିତ୍ତିରେ ରାଜ୍ୟଗୁଡିକର ପୁନର୍ଗଠନ ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେବାକୁ କରାଯାଇଥିଲା । ଏଥିସହ ବ୍ୟାପକ ଦୃଷ୍ଟିକୋଣରୁ ରାଷ୍ଟ୍ର-ରାଜ୍ୟ ସଂପର୍କ ଦୃଢ କରିବା ପାଇଁ ମଧ୍ୟ ଏହା ଏକ ପ୍ରୟାସ ଥିଲା । ରାଜ୍ୟଗୁଡିକର ସୀମା ନିର୍ଦ୍ଧାରଣ ହେଲା ବେଳେ ମିଶ୍ର ଜନସଂଖ୍ୟା ବିଶିଷ୍ଟ ଅଂଚଳଗୁଡିକ ସେମାନଙ୍କୁ ସୁହାଉ ନ ଥିବା ରାଜ୍ୟଗୁଡିକ ସହ ରହିଯାଇଥିଲେ । ଏଭଳି ଅଞ୍ଚଳଗୁଡିକ ସେମାନଙ୍କୁ ସୁହାଉଥିବା ରାଜ୍ୟଗୁଡିକ ସହ ମିଶ୍ରଣ ପାଇଁ ସିଧାସଳଖ ଦାବି କରିଥିଲେ । କିଛି ରାଜ୍ୟ ଏଭଳି ଅଞ୍ଚଳଗୁଡିକୁ ସ୍ୱତନ୍ତ୍ର ଭାବେ ମାନ୍ୟତା ଦେଇଥିଲେ । ତେବେ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇନାହିଁ । ଏବେ ଏହି ପ୍ରସଙ୍ଗରେ ରାଜନୀତି ଜୋରଦାର ହେବାକୁ ଲାଗିଲାଣି ।
ବର୍ତ୍ତମାନ କର୍ଣ୍ଣାଟକ ଶାସନାଧିନ ବେଲଗାଭି ଜିଲ୍ଲାକୁ ମହାରାଷ୍ଟ୍ରରେ ମିଶାଇବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେଙ୍କ ଏକ ଟ୍ବୀଟ ବିବାଦ ସୃଷ୍ଟି କରିଛି । କର୍ଣ୍ଣାଟକରେ ଏହାକୁ ଜୋରଦାର ବିରୋଧ କରାଯାଇଛି । ବେଲଗାଭି ଜିଲ୍ଲାକୁ ମହାରାଷ୍ଟ୍ରରେ ମିଶାଇବା ପାଇଁ ଏଠାକାର ମରାଠୀ ଲୋକେ ମହାରାଷ୍ଟ୍ର ଏକୀକରଣ ସମିତି ବ୍ୟାନର ତଳେ ଦାବି କରିଆସୁଛନ୍ତି । ଏଣେ କର୍ଣ୍ଣାଟକ ସରକାର ବେଲଗାଭୀକୁ ଜିଲ୍ଲାର ମାନ୍ୟତା ଦେବା ସହ ସହରକୁ ରାଜ୍ୟର ଦ୍ୱିତୀୟ ରାଜଧାନୀରେ ପରିଣତ କରିଛନ୍ତି । କେବଳ ସେତିକି ନୁହେଁ, ଏଠାରେ ଦ୍ୱିତୀୟ ବିଧାନସଭା ଗୃହ ବି ନିର୍ମାଣ କରାଯାଇଛି । ନଗର ନିଗନ ନିର୍ବାଚନରେ ମହାରାଷ୍ଟ୍ର ଏକୀକରଣ ସମିତି –ଏମଇଏସ ଓ କର୍ନାଟକର ବିଭିନ୍ନ ଦଳ ମଧ୍ୟରେ ଲଢେଇ ହୋଇଆସୁଛି । ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେଙ୍କ ଟ୍ୱିଟ୍ ପରେ ଯଥା ସ୍ଥିତିରେ ପରିବର୍ତ୍ତନ ହୋଇଛି । ବେଲଗାଭୀ ଜିଲ୍ଲାକୁ ମହାରାଷ୍ଟ୍ରରେ ମିଶାଇବା ପାଇଁ ଶିବସେନା ଏବେ ସକ୍ରିୟ ଉଦ୍ୟମ ଆରମ୍ଭ କରିଦେଇଛି ।
ଭାଷାଗତ ରାଜନୀତି ଓ ହିନ୍ଦୁତ୍ୱ ଉପରେ ଶିବସେନାର ରାଜନୀତି କେନ୍ଦ୍ରୀଭୂତ ହୋଇଆସିଛି । କର୍ଣ୍ଣାଟକରେ ମଧ୍ୟ ଭାଷାଗତ ପ୍ରସଙ୍ଗ ଆଧାରରେ ଏକାଧିକ ସଂଗଠନ ସକ୍ରିୟ ରହିଛନ୍ତି । ଯଦି ବେଲଗାଭୀ ଉପରେ ମହାରାଷ୍ଟ୍ରର ଦାବି ଗ୍ରହଣ କରାଯାଏ, ତାହାହେଲେ ସଂପୂର୍ଣ୍ଣ ଗୋଆ ଉପରେ ବି ମହାରାଷ୍ଟ୍ର ସରକାର ନିଜ ଅଧିକାର ଦାବି କରିବା ସମ୍ଭାବନା ରହିଛି । କେରଳର କାସାରଗଡ ତତ୍କାଳୀନ ମାଡ୍ରାସ ପ୍ରେସିଡେନସୀର କାନାରା ଜିଲ୍ଲାର ଅଂଶବିଶେଷ ଥିଲା । ଯଦି କର୍ଣ୍ଣାଟକ କାସାରଗଡ ଉପରେ ନିଜର ଅଧିକାର ଦାବି କରେ, ତାହା ହେଲେ କଣ ହେବ ? ସେହିଭଳି କନ୍ୟାକୁମାରୀ ତତ୍କାଳୀନ ଗଡଜାତ ରାଜ୍ୟ ଟ୍ରାଭାଙ୍କୋରର ଅଂଶ ଥିଲା । ମାର୍ତ୍ତଣ୍ଡମ ଓ ନାଗେର କୋଏଲ ବି ସେହି ଗଡଜାତ ରାଜ୍ୟର ଅଂଶ ଥିଲା । ଏମିତି ଅନେକ ଦାବି ସାରାଦେଶରେ ଏବେ ଉଠିବା ଆରମ୍ଭ କରିବ । ଆଉ ଏହା ଭାରତୀୟ ରାଷ୍ଟ୍ରପତି ଶୁଭ ସୂଚନା ନୁହେଁ ।