ପ୍ରବଳ ବର୍ଷା ଯୋଗୁଁ ଦେଶର ଅଧିକାଂଶ ଭାଗରେ ବନ୍ୟା ପ୍ରକୋପ ଦେଖାଦେଇଛି । ବନ୍ୟା ପୀଡିତଙ୍କ ଦୁର୍ଦ୍ଦଶା କହିଲେ ନ ସରେ । ଲଗାଣ ବର୍ଷା ଯୋଗୁଁ ଦେଶର ଅଧିକାଂଶ ତଳିଆ ଅଞ୍ଚଳ ଏବେ ପାଣି ଘେରରେ । ଆଉ ସେସବୁ ଅଞ୍ଚଳ ଜଳାଶୟର ଭ୍ରମ ସୃଷ୍ଟି କରୁଛି । ଶହ ଶହ ଏକର ଚାଷଜମି ଜଳମଗ୍ନ । ଜଳବହୁଳତା ଚାଷୀ ପାଇଁ ଆଣିଦେଇଛି ଦୁଃଖ । ବର୍ଷା ଓ ବନ୍ୟା ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ରିପୋର୍ଟ ଅନୁସାରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ବ୍ୟାପକ ଫସଲ ନଷ୍ଟ ହୋଇଛି । ଜୀବନହାନି ବି ଘଟିଛି । ସରକାରୀ ସୂଚନା ଅନୁସାରେ ଜୁଲାଇ-ଅଗଷ୍ଟରେ ମହାରାଷ୍ଟ୍ର, ରାଜସ୍ଥାନ, ଓଡିଶା ଓ ଛତିଶଗଡ ସମେତ ୧୧ଟି ରାଜ୍ୟରେ ଆସିଥିବା ବନ୍ୟାରେ ୮୬୮ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ଓ ବନ୍ୟା ପ୍ରକୋପ ଯୋଗୁଁ କେବଳ ଆସାମ ଓ ବିହାରରେ ୫୫ ଲକ୍ଷ ଲୋକ ବାସହରା ହୋଇଛନ୍ତି । ଏଣେ ଏବେ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ଭୀଷଣ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଆନ୍ଧ୍ର ପ୍ରଦେଶରେ ଗୋଦାବରୀ ନଦୀରେ ଜଳସ୍ତର ବଢୁଥିବାରୁ ଦେଖାଦେଇଛି ବନ୍ୟା ଆଶଙ୍କା । ଭାରି ବର୍ଷା ଯୋଗୁଁ ତେଲେଙ୍ଗାନାର ଭଦ୍ରାଦ୍ରି ଏଜେନସୀ ଏରିଆ ପାଇଁ ବିପଦ ସୃଷ୍ଟି ହୋଇଛି ।
ପ୍ରବଳ ବନ୍ୟାରେ ରାଜପଥ, ସଡକ ଓ ଚାଷଜମି ପାଣିରେ ବୁଡିଯାଉଥିବା ବେଳେ ମିଲିଅନ ମିଲିଅନ କ୍ୟୁସେକ ପାଣି ସମୁଦ୍ରକୁ ଚାଲିଯାଉଛି । ଯେଉଁ ଦେଶରେ ୬୫ ପ୍ରତିଶତରୁ ଅଧିକ ଚାଷଜମିକୁ ମରୁଡି ଭୟ ଥାଏ, ସେଠାରେ ଏତେ ପରିମାଣରେ ପାଣି ଉପଯୋଗ ନ ହୋଇ ସମୁଦ୍ରରେ ମିଶିବା ନିହାତି ଦୁର୍ଭାଗ୍ୟଜନକ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦି ବାର୍ଷିକ ବୃଷ୍ଟିପାତର ୭୦ ପ୍ରତିଶତ ବର୍ଷା ମାତ୍ର ୧୦୦ ଦିନରେ ହୁଏ ଓ ଏହାକୁ ଯଦି ନଷ୍ଟ ହେବାକୁ ଦିଆଯାଏ, ତାହା ହେଲେ ଆମେ ବଡ ଭୁଲ କରି ବସୁଛେ ।
ଦେଶରେ ବନ୍ୟା ନିୟନ୍ତ୍ରଣ ପାଇଁ ସାଢେ ୬ ଦଶକ ପୂର୍ବେ ଗଠନ ହୋଇଥିଲା ଜାତୀୟ ବନ୍ୟା କମିଶନ । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଧନଜୀବନ କ୍ଷୟକ୍ଷତି ଯଥାସମ୍ଭବ କମ କରିବା ଉଦ୍ଦେଶ୍ୟରେ ୧୫ ବର୍ଷ ପୂର୍ବେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ-(ଏନଡିଏମଏ ) ଗଠନ କରାଯାଇଥିଲା । ତେବେ, ପ୍ରତିବର୍ଷ ବାରମ୍ବାର ପ୍ରାକୃତିକ ଦୁର୍ବିପାକର ଅକଥନୀୟ ଦୁର୍ଦ୍ଦଶା ଏସବୁ ସଂସ୍ଥାର ପ୍ରଭାବହୀନତାକୁ ହିଁ ଦର୍ଶାଉଛି ।
ବନ୍ୟା ଯୋଗୁଁ ବ୍ୟାପକ ଫସଲ ହାନି ସହ ଧନଜୀବନ ନଷ୍ଟ ହେଉଛି । ସ୍ୱାସ୍ଥ୍ୟଗତ ସମସ୍ୟା ବି ଦେଖାଦେଉଛି । ବନ୍ୟାଜଳ କମିବା ପରେ ବିଭିନ୍ନ ଗାଁରେ ଶୋଚନୀୟ ପରିସ୍ଥିତି ସୃଷ୍ଟି ହୁଏ । ସରକାରୀ ହିସାବ ଅନୁସାରେ ବିଗତ ସାଢେ ୬ ଦଶକ ମଧ୍ୟରେ ଦେଶରେ ବନ୍ୟା ଯୋଗୁଁ ୮୭ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ସମୟ ମଧ୍ୟରେ ବନ୍ୟାରେ ୧୦ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ୪ ଲକ୍ଷ ୭୦ ହଜାର କୋଟିରୁ ଅଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି ।
ପ୍ରସିଦ୍ଧ ତେଲେଗୁ ଇଂଜିନିୟର କେ.ଏଲ୍ ରାଓ ବହୁ ବର୍ଷ ପୂର୍ବେ ବନ୍ୟା ନିୟନ୍ତ୍ରଣ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ । ଯଦି ଗଙ୍ଗା ଓ କାବେରୀ ନଦୀର ସଂଯୋଗ କରିଦିଆଯାଏ, ତାହା ହେଲେ ୬୦ ହଜାର କ୍ୟୁସେକ ପାଣିରେ ୧୫୦ ଦିନ ଲାଗି ୪୦ ଲକ୍ଷ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ ବୋଲି ହିସାବ କରିଥିଲେ ରାଓ । ବଡ ବିଡମ୍ବନାର ବିଷୟ ଯେ, ମୋଦି ସରକାର ୬୦ଟି ନଦୀକୁ ସଂଯୋଗ କରିବାକୁ ଚାହୁଁଥିଲେ ମଧ୍ୟ ଦେଶର ଉଜ୍ୱଳ ଭବିଷ୍ୟତ ପାଇଁ ଉଦ୍ଦିଷ୍ଟ ଏହି ପ୍ରସ୍ତାବର ଦୃଢ ଭିତ୍ତିଭୂମି ସୃଷ୍ଟି ହୋଇପାରି ନାହିଁ । ପ୍ରସ୍ତାବ କେବଳ କାଗଜପତ୍ରରେ ହିଁ ସୀମିତ ହୋଇ ରହିଯାଇଛି । ସୁରେଶ ପ୍ରଭୁ ଟାସ୍କଫୋର୍ସ ଅନୁସାରେ ଏହି ପ୍ରସ୍ତାବ କାର୍ଯକାରୀ ପାଇଁ ରାଜନୈତିକ ଦଳ ଓ ସରକାରଙ୍କ ମଧ୍ୟରେ ସୁସମନ୍ୱୟ ଓ ସହଯୋଗ ଏକାନ୍ତ ଆବଶ୍ୟକ । ଏହାଛଡା ରାଜ୍ୟ ସରକାରଗୁଡିକ କେନାଳ ଉପରେ ଜବରଦଖଲ ଉଚ୍ଛେଦ କରିବା ସହ ପୋଖରୀ ଓ ଅନ୍ୟ ଜଳାଶୟଗୁଡିକର ବେଆଇନ ଅଧିକାର ବିରୋଧରେ କଡା କାଯ୍ୟା ର୍ନୁଷ୍ଠାନ ନେବା ଦରକାର । ବନ୍ୟା ନିୟନ୍ତ୍ରଣ ନେଇ ଜାତୀୟ ନୀତିକୁ ବି ଆନ୍ତରିକତାର ସହ କାର୍ଯ୍ୟକାରୀ କରିବା ଦରକାର ।