ରାୟପୁର: ଦୀର୍ଘ 15 ବର୍ଷ ପରେ ରାଜ୍ୟରେ କଂଗ୍ରେସ ସରକାର ଗଢିଛି । ନିର୍ବାଚନ ଲଢିବା ପୂର୍ବରୁ ରାଜ୍ୟରେ ମଦର ବିକ୍ରି ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ମାତ୍ର ଦଳ ରାଜ୍ୟରେ ସରକାର ଗଢିବାର 100 ଦିନରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ସେ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ । ସେପଟେ ମଦ ବନ୍ଦକୁ ନେଇ ଏବେ ଉତ୍ତରପ୍ରଦେଶ ସରକାର ଯୋଜନା କରୁଥିବା ଜଣାପଡ଼ିଛି ।
ତେବେ ରାଜ୍ୟର ଏପରି ଜଣେ ବିଜେପି ନେତା ଆଦିବାସୀଙ୍କ ମଦ କାରବାର ବନ୍ଦ ନେଇ ଦୀର୍ଘ 49 ବର୍ଷରୁ ଲୁଣ ଖାଇନଥିବା ଜଣାପଡ଼ିଛି । ରାଜ୍ୟର ବରିଷ୍ଠ ନେତା ନନ୍ଦକୁମାର ସାଏ ଏହି ଲବଣ ସତ୍ୟାଗ୍ରହରେ ଅଛନ୍ତି । ନନ୍ଦକୁମାର ହେଉଛନ୍ତି ଅନୁସୂଚିତ ଜନଜାତି ଆୟୋଗର ରାଷ୍ଟ୍ରୀୟ ଅଧ୍ୟକ୍ଷ ।
ଛାତ୍ର ଜୀବନରୁ ରାଜନୀତି କ୍ଷେତ୍ରରେ ବେଶ ସକ୍ରିୟ ଅଛନ୍ତି ନନ୍ଦକୁମାର । ନନ୍ଦ କୁମାର 1969 ମସିହାରେ ଜଶପୁରର ଏନଇଏସ ମହାବିଦ୍ୟାଳୟରେ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଛାତ୍ର ଜୀବନରୁ ହିଁ ଆଦିବାସୀଙ୍କ ମଙ୍ଗଳ କାମନା କରି ଦୀର୍ଘ 50 ବର୍ଷରୁ ଏହି ଆନ୍ଦୋଳନରେ ଅଛନ୍ତି । ତେବେ ଦୀର୍ଘ 49 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଲୁଣ ଖାଇନଥିବା ଜଣାପଡ଼ିଛି ।
ତେବେ ଛାତ୍ର ସଂସଦର ସଭାପତି ଥିବା ବେଳେ ମଦ ପିଇବା ଓ କାରବାର ଦ୍ବାରା ଅନେକ ଜୀବନହାନୀର କାରଣ ବୋଲି ତାଙ୍କର ଦୃଷ୍ଟିକୁ ଆସିଥିଲା । ତେବେ ସେବେଠାରୁ ମଦ କାରବାର ଓ ପିଇବାକୁ ବନ୍ଦ କରିବା ପାଇଁ ଦୃଢ ନିଷ୍ପତ୍ତି ନେଇଥିଲେ । ବିଭିନ୍ନ ଆଦିବାସୀ ଓ ଅନ୍ୟ ସମ୍ପ୍ରଦାୟର ସଂଗଠନ ସହ ମିଶି କାମ କରିବାକୁ ନିଷ୍ପତ୍ତି ନେଇଥିଲେ । ସେବେଠାରୁ ତାଙ୍କର ଏହି ଲବଣ ସତ୍ୟାଗ୍ରହ ଚାଲିଛି ।