ହାଇଦ୍ରାବାଦ: ଫେବୃଆରୀ 24 ଓ 25 ତାରିଖରେ ସରକାରୀ ଗସ୍ତରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତରେ ତାଙ୍କର ଭବ୍ୟ ସ୍ବାଗତ ପାଇଁ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପତ୍ନୀ ମେଲାନିଆ ଏବଂ ଝିଅ ଜ୍ବାଇଁଙ୍କ ସହ ଅହମ୍ମଦାବାଦରେ ପହଞ୍ଚିବା ପରେ ଏହି କାର୍ଯ୍ୟକ୍ରମ ଜରିଆରେ ସେ ଏମିତି ଏକ ଆଡମ୍ବରପୂର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବେ, ଯାହା କେହି ଆଗରୁ ଦେଖି ନ ଥିବେ ଏବଂ ଅନେକ ହୁଏତ ପୁଣି ଥରେ ଦେଖିବାର ସୁଯୋଗ ପାଇବେ ନାହିଁ । ହୋଷ୍ଟନର ହାଓଡି ମୋଦି ପରେ ଏହି କାର୍ଯ୍ୟକ୍ରମ ଜରିଆରେ ବିଶ୍ବ ପୁଣି ଥରେ ଦୁଇ ଶକ୍ତିଶାଳୀ ନେତାଙ୍କୁ ଗୋଟିଏ ମଞ୍ଚରେ ଦେଖିବେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମିଳିତ ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।
ଏହି କାର୍ଯ୍ୟକ୍ରମ ନବନିର୍ମିତ ସର୍ଦ୍ଦାର ବଲ୍ଲବଭାଇ ପଟେଲ ଷ୍ଟାଡିୟମରେ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ପ୍ରାୟ 1.25 ଲକ୍ଷ ଲୋକ ଉପସ୍ଥିତ ରହିବେ ବୋଲି ଅନୁମାନ କରାଯାଉଛି । ତେବେ ଏ ନେଇ ଗୁଜୁରାଟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ।
ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମର ଗ୍ୟାଲେରୀରେ 1.10 ଲକ୍ଷ ଲୋକଙ୍କର ବସିବାର ବ୍ୟବସ୍ଥା କରାଯାଇଛି । ସେହିପରି ଗ୍ରାଉଣ୍ଡ ଭିତରେ ପ୍ରସ୍ତୁତ ମଞ୍ଚ ସାମ୍ନାରେ 10 ହଜାର ଭିଆଇପି ବସିବେ । କାର୍ଯ୍ୟକ୍ରମରେ ଶହ ଶହ କଳାକାର ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ କରିବେ । 'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମ ହାଓଡି ମୋଦି କାର୍ଯ୍ୟକ୍ରମ ଭଳି କରାଯାଇଛି ।