ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ ସୈନିକଙ୍କ ସହ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଏହି ଘଟଣାକୁ ନେଇ ଲଗାତାର କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରୟାସ କରୁଛି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ । ଏନେଇ କଂଗ୍ରେସକୁ କଡା ଜବାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ-ଚୀନ ସୈନିକ ମୁହାଁମୁହିଁ ହେବା ଘଟଣାକୁ ନେଇ କଂଗ୍ରେସ ଭିତ୍ତିହୀନ ପ୍ରଶ୍ନ କରୁଛି । କଂଗ୍ରେସର ଏଭଳି କାର୍ଯ୍ୟକଳାପ ଭାରତୀୟ ଯବାନଙ୍କ ମନୋବଳ ଭାଙ୍ଗିବ ବୋଲି ନଡ୍ଡା କହିଛନ୍ତି ।
ରାଜସ୍ଥାନରେ ଏକ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରି ନଡ୍ଡା କହିଛନ୍ତି, ଆମେ ଗଲୱାନରେ ଲଢୁଥିବା ବେଳେ ଜଣେ ବିରୋଧୀ ନେତା ଟ୍ବିଟ କରି ଆମ ଯବାନଙ୍କ ମନୋବଳକୁ ଭାଙ୍ଗି ଦେଉଛନ୍ତି । ଏଭଳି କରି ସେ ନିଜ ସୀମିତ ବୁଦ୍ଧିର ପ୍ରଦର୍ଶନ କରୁଛନ୍ତି । ଆମ ଯବାନ ବିନାଅସ୍ତ୍ରରେ ସୀମାରେ କାହିଁକି ଗଲେ ବୋଲି ସେ ପ୍ରଶ୍ନ କରୁଛନ୍ତି । ସେ କଣ ଅନ୍ତରାଷ୍ଟ୍ରୀୟ ଚୁକ୍ତି ସମ୍ପର୍କରେ କିଛି ଜାଣି ନାହାନ୍ତି । ଆପଣ ନିଜ ସୀମିତ ବୁଦ୍ଧିର ପ୍ରଦର୍ଶନ କାହିଁକି କରୁଛନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି ନଡ୍ଡା ।