ମୁମ୍ବାଇ: ସ୍ବପ୍ନର ସହର ମୁମ୍ବାଇ । ରଙ୍ଗୀନ ଆଲୋକମାଳା ଓ ବଡ ବଡ ଅଟାଳିକା ଭିତରେ ଝଲସୁଥିବା ଏହି ମାୟାନଗରୀକୁ ସତେ ଯେମିତି ଶ୍ରୀହୀନ କରିଦେଇଛି ଲଗାଣ ବର୍ଷା । ବଦଳିଯାଇଛି ବାଣିଜ୍ୟନଗରୀର ଚିତ୍ର । ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ମୁମ୍ବାଇରେ ଥିବା ଏକ ବଡ ବିଲ୍ଡିଂରୁ ପ୍ରବାହିତ କୃତ୍ରିମ ଝରଣା ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । 40 ସେକେଣ୍ଡର ପ୍ରବାହିତ ଏହି କୃତ୍ରିମ ଝରଣାର ଦୃଶ୍ୟ ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଚକିତ କରିଦେବ ।
ଲଗାଣ ବର୍ଷା ଯୋଗୁଁ ବିଲ୍ଡିଂର ଛାତ ଉପରେ ପାଣି ଭରିଯିବା କାରଣରୁ ପାଣି ସବୁ ତଳକୁ ଖସୁଛି । କେହି ଏହି ଦୃଶ୍ୟକୁ ଦେଖିଲେ ଜଳପ୍ରପାତ ହେଉଥିବା ମନେ କରିବ । 40 ମହଲା ବିଶିଷ୍ଟ ଏହି ବିଲ୍ଡିଂରୁ ଝରୁଥିବା କୃତ୍ରିମ ଝରଣା ଦକ୍ଷିଣ ମୁମ୍ବାଇର କଫେ ପରେଡ୍ ଅଞ୍ଚଳର । ତେବେ ଏହି କୃତ୍ରିମ ୱାଟରଫଲକୁ ଦେଖିବାକୁ ଅନେକ ଲୋକଙ୍କ ଭିଡ ଜମୁଥିବାବେଳେ ଅନେକ ଏହାର ଭିଡିଓ ବନାଇ ସେୟାର କରୁଛନ୍ତି ।