ମୁମ୍ବାଇ: ମୁମ୍ବାଇ ସିଏସଟି ରେଳ ଷ୍ଟେସନ ନିକଟ ଫୁଟ ଓଭରବ୍ରିଜ ଭୁଷୁଡିବା ଫଳରେ 6 ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ 31 ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁବାର ସନ୍ଧ୍ୟାରେ ଘଟିଥିଲା ଏହି ଛାତିଥରା ଦୁର୍ଘଟଣା ।
ସେହିପରି ବ୍ରିଜ ତଳେ ଅନେକ ଫସି ରହିଥିବା ଅନୁମାନ କରାଯାଉଛି । ତେବେ ଭଗ୍ନାବଶେଷ ତଳୁ 7ରୁ 8 ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିଜେପି, ଶିବସେନା ଏବଂ କଂଗ୍ରେସ ଭଳି ବିଭିନ୍ନ ରାଜନୈତିକ ଦଳର କର୍ମୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଛନ୍ତି । ଘଟଣାସ୍ଥଳେ ଏନଡିଆରଏଫର 45 ଜଣ ସଦସ୍ୟ ଉପସ୍ଥିତ ଅଛନ୍ତି।
ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟର ମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି । ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ଆହତ ଓ ମୃତକଙ୍କ ପରିବାରକୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯିବ । ଅନ୍ୟପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଏବଂ ଗୁରୁତରଙ୍କୁ 50 ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଫୁଟ ଓଭର ବ୍ରିଜ ଭୁଶୁଡିବା ବେଳେ ଟ୍ରାଫିକରେ ରେଡ ସିଗନାଲ ଥିଲା। ତେଣୁ ଅନେକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିବା କହିଛନ୍ତି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଅଟୋ ଚାଳକ।
ବିଏମସି କମିଶନର ଅଜୟ ମେହତା ଏବଂ ମୁମ୍ବାଇ ପୋଲିସକୁ ଏହି ଘଟଣା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଅନ୍ୟପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା କହିଛନ୍ତି, ଏହି ଫୁଟ ଓଭର ବ୍ରିଜ ଭୁଶୁଡିବା କଥା କେହି ଆଶା କରିନଥିଲେ । ହଠାତ ଏଭଳି ଦୁର୍ଘଟଣା ଘଟିଛି । ନିର୍ମାଣର ପ୍ରାୟ 6 ମାସ ପରେ ଭୁଶୁଡିଛି ଏହି ଓଭରବ୍ରିଜ । ଏଥିପାଇଁ ବିଏମସି ହିଁ ଦାୟୀ ।
ଗତ 18 ମାସ ଭିତରେ ଫୁଟ ଓଭର ବ୍ରିଜ ଭୁଷୁଡିବା ଘଟଣା ତୃତୀୟ ଥର ଘଟିଛି । ଆହତଙ୍କୁ ସ୍ଥାନୀୟ ସେଣ୍ଟ ଜର୍ଜ ହସ୍ପିଟାଲ ଏବଂ ଜିଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଟି ଲେନ ଟାଇମ୍ସ ଅଫ ଇଣ୍ଡିଆ ଅଫିସ ଏବଂ ଅନଜୁମାନ ଇ-ଇସଲାମିକ ସ୍କୁଲକୁ ସଂଯୋଗ କରୁଥିବା ଏହି ଫୁଟ ଓଭର ବ୍ରିଜରେ ପ୍ରତିଦିନ ଏକ ହଜାରରୁ ଊର୍ଦ୍ଧ୍ବ ଲୋକ ଯାତାୟତ କରିଥାନ୍ତି ।