ବର୍ତ୍ତମାନର କୋଭିଡ-୧୯ ସଂଙ୍କଟ ପରିପ୍ରେକ୍ଷୀରେ ଉଦ୍ୟୋଗଗୁଡିକ ସେମାନଙ୍କ ପାଖରେ ଉପଲବ୍ଧ ଥିବା ସୀମିତ ମାନବ ପୁଞ୍ଜିରୁ ସର୍ବାଧିକ ଲାଭ ପାଇବା ଆଶା ରଖନ୍ତି । ଠିକ ସମୟରେ ସଂଖ୍ୟାଧିକ ଫଳାଫଳ ପାଇଁ ସେମାନେ ବହୁମୁଖୀ କୌଶଳ ହାସଲ କରିବା ଦରକାର । ଉଦାହରଣ ସ୍ବରୂପ ଶିକ୍ଷାଦାନ ପେଷାକୁ ନିଆଯାଉ । ପ୍ରାକ୍ କୋଭିଡ ଦୃଶପଟ୍ଟରେ ଅଧିକାଂଶ ପ୍ରତିଷ୍ଠାନରେ ଶିକ୍ଷାଦାନ ପେଷା କେବଳ ‘ଶିକ୍ଷାଦାନ’ରେ ହିଁ ସୀମିତ ରହୁଥିଲା ।
କିନ୍ତୁ ବର୍ତମାନର ସଂଙ୍କଟ ଦୃଷ୍ଟିରୁ ଅନେକ ଉଚ୍ଚ ଶିକ୍ଷାନୁଷ୍ଠାନ ଶିକ୍ଷକମାନଙ୍କୁ ଶିକ୍ଷାଦାନ କାର୍ଯ୍ୟ ସହ ପରାମର୍ଶଦାତା, ଟ୍ରେନର, ପାଣ୍ଠି ସଂଗ୍ରାହକ ଓ ମାର୍କେଟର ଭାବେ ଦେଖିବାକୁ ଚାହାନ୍ତି । ରାଜସ୍ବ ନୂଆ ସୂତ୍ର ଭାବେ ଶିକ୍ଷକମାନଙ୍କୁ ଭୂମିକା ବହୁମୁଖୀ ହେବାକୁ ଯାଉଛି । ଏହାଛଡା ଜାତୀୟ ( ଏନଆଇଆରଏଫ ) ଓ ଆନ୍ତର୍ଜାତିକ ( କ୍ୟୁଏସ- ୱାର୍ଲଡ ) ମାନ୍ୟତା ହାସଲ ପାଇଁ ବି ପ୍ରୟାସ କରିବା ଶିକ୍ଷକଙ୍କ ପାଇଁ ବାଧ୍ୟତାମୂଳକ ହୋଇଛି ।
ଗତ ୬ ମାସ ମଧ୍ୟରେ ବିଭିନ୍ନ ବୈଷୟିକ ଜ୍ଞାନକୌଶଳ ଶିଖି ଶିକ୍ଷକ ଏବେ ଭର୍ଚୁଆଲ ଶିକ୍ଷକରେ ପରିଣତ ହୋଇଛନ୍ତି । ଗତ ୬ ମାସରେ ବହୁମୁଖୀ କୌଶଳ ବା ଦକ୍ଷତା ଆହରଣ ପାଇଁ ସ୍କୁଲ ଓ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରେ ଶିକ୍ଷକ ଗୋଷ୍ଠୀର ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ । ଏବେ ଆସନ୍ତୁ ମ୍ୟାନେଜମେଣ୍ଟ ପେଷା କ୍ଷେତ୍ରରେ ଡିଜିଟାଲ ରୂପାନ୍ତରଣ ଉପରେ ନଜର ପକାଇବା ।
ମ୍ୟାନେମେଣ୍ଟ ପ୍ରଫେସନାଲଙ୍କଠାରୁ କର୍ପୋରେଟ ଜଗତ ବହୁ ଆଶା ରଖିଛି । ଆଉ ସେମାନଙ୍କର ଚାହିଦା ଆଜିକାଲି ବଢିବାରେ ଲାଗିଛି । କୋଭିଡ-୧୯ ସଙ୍କଟ ଯୋଗୁଁ କମ୍ପାନୀଗୁଡିକ ସୀମିତ ବଜେଟରେ ବହୁମୁଖୀ ପ୍ରତିଭା ସଂପନ୍ନ ମାନବ ପୁଞ୍ଜି ଉପରେ ଗୁରୁତ୍ବ ଦେଉଛନ୍ତି । ପ୍ରାକ୍ କୋଭିଡ ସ୍ଥିତି ଅପେକ୍ଷା ବର୍ତମାନ ଫାଇନାନ୍ସ କ୍ଷେତ୍ରରେ ଡିଜିଟାଲ ରୂପାନ୍ତରଣ ଦ୍ରୁତ ଗତିରେ ହେବାକୁ ଲାଗିଛି ।
ବର୍ତମାନ ଫାଇନାନ୍ସ ଓ ଆକାଉଣ୍ଟିଂ ପେଷାଦାରମାନେ ଏମଏସ ଏକ୍ସେଲ୍, ପାୱାର ବିଆଇ, ଏସଏପି-ଇଆରପି, ଏସକ୍ୟୁଏଲ୍ ଡାଟାବେସ୍, ଭର୍ଚୁଆଲ୍ ଅଡିଟ୍ ଓ ଡାଟା ଆନାଲିଟିତ୍ସି ସଫୱେୟାର ପାଇଥନ ଆଦି ଜ୍ଞାନକୌଶଳ କରାଗତ କରି ନିଜର ଦକ୍ଷତା ବୃଦ୍ଧି କରିବାରେ ଲାଗିଛନ୍ତି । ସେମାନଙ୍କର ଏହି ‘ଅପସ୍କିଲିଂ’ ଧୀରେ ଧୀରେ ପ୍ରସାର ହେଉଥିବା ଫିନ୍-ଟେକ୍ ଫିଲ୍ଡରେ ସେମାନଙ୍କୁ ନିୟୋଜିତ ହେବାରେ ସହାୟକ ହେବ ।
ସେହିପରି ଆଇଟି ପ୍ରଫେସନାଲମାନେ ବି ଫାଇନାନ୍ସ ଓ ବ୍ୟାଙ୍କିଂର ବେସିକ ଶିଖି ପିଟୁପି ଲେଣ୍ଡିଂ, ଓପନ ବ୍ୟାଙ୍କିଂ, ବ୍ଲକ୍-ଚେନ୍ ଓ ଫାଇନାନସିଆଲ୍ ରିସର୍ଚ୍ଚ ଭଳି କ୍ଷେତ୍ରକୁ ଫିନ୍ ଟେକ୍ ସଲ୍ୟୁସନ ଯୋଗାଇ ପାରିବେ ।
ଏବେ ଏଚ୍ଆର୍ ଫଙ୍କସନ୍ ଉପରେ ଆଲୋକପାତ କରିବା । ଏକ ଏଣ୍ଟର ପ୍ରାଇଜର୍ସରେ ମାନବ ପୁଞ୍ଜି ପରିଚାଳନା କରେ ଏଚଆର । ସଠିକ୍ ପ୍ରତିଭା ଚିହ୍ନଟ କରିବା ହେଉଛି ସେମାନଙ୍କର ପ୍ରମଖ ଭୂମିକା ।
ପ୍ରତିଭା ଚିହ୍ନଟ ସହ ଆବଶ୍ୟକ ପ୍ରଶିକ୍ଷଣ, ପ୍ରଦର୍ଶନର ସମୀକ୍ଷା ଓ ଶ୍ରେଷ୍ଠ ପ୍ରତିଭାକୁ ପ୍ରମୋଟ କରିବା ବି ଏଚଆର୍ ବିଭାଗର କାମ । ଏହାଛଡା ସେମାନେ ଜବ୍ ଡିଜାଇନ୍,ଜବ୍ ଆନାଲିସିସ୍, ଜବ୍ ରୋଟେସନ୍, କମ୍ପେନସେସନ ପେ’, କର୍ମଚାରୀ ହିତ ଯୋଜନା, ପଦୋନ୍ନତି, ଅଭିଯୋଗ ନିୟନ୍ତ୍ରଣ ଓ ବିବାଦ ସମାଧାନ ପରି କାର୍ଯ୍ୟକଳାପରେ ସଂପୃକ୍ତ ରହିଥାନ୍ତି । କହିବାକୁ ଗଲେ ସେମାନେ, ଦୈନନ୍ଦିନ ‘ହ୍ୟୁମାନ କ୍ୟାପିଟାଲ’ ସହ ଜଡିତ ରହିଥାନ୍ତି । ତେଣୁ ସେମାନଙ୍କୁ ‘ବିହେଭିୟରାଲ ଷ୍ଟଡିଜ୍’, ‘ସାଇକୋଲୋଜି’, ‘ବିଜନେସ ମେନେଜମେଣ୍ଟ’,‘କମ୍ୟୁନିକେସନ’ ଓ ଏବେ ‘ଟେକ୍ନୋଲୋଜ’ ଉପରେ ଗଭୀର ଜ୍ଞାନ ରହିବା ଦରକାର ।