ନୂଆଦିଲ୍ଲୀ: ଶୁ୍କ୍ରବାର ଲୋକସଭାରେ ପାରିତ ହୋଇଛି ଭାରତୀୟ ସୂଚନା ପ୍ରଯୁକ୍ତିବିଦ୍ୟା ସଂସ୍ଥା (ଆଇଆଇଆଇଟି) ସଂଶୋଧନ ବିଲ -2020 । ଏହି ବିଲ ଶୁକ୍ରବାର ଲୋକସଭାର ଲିଷ୍ଟ ଅଫ ବିଜନେସରେ ସ୍ଥାନ ପାଇଥିଲା । ଯେଉଁଥିରେ ସମସ୍ତ ଦଳର ସାଂସଦ ଭାଗନେଇ ବିଲକୁ ସମର୍ଥନ କରିଥିଲେ ।
ଓଡିଆ ସାଂସଦ ଭାବେ ବରଗଡ ସାଂସଦ ସୁରେଶ ପୂଜାରୀ ଆଲୋଚନାରେ ଭାଗନେଇ ନିଜ ପ୍ରସ୍ତାବ ରଖିଥିଲେ । ସୁରେଶ କହିଥିଲେ ମୋର ସଂସଦୀୟକ୍ଷେତ୍ର ଝାରସୁଗୁଡାରେ ଅନେକ ପ୍ରତିଷ୍ଠିତ ଶିକ୍ଷା ସଂସ୍ଥାନ ଓ ଶିଳ୍ପ ସଂସ୍ଥା ଅଛି । ଝାରସୁଗୁଡାର ଅନେକ ଜାତୀୟସ୍ତରର ଶିଳ୍ପ ସଂସ୍ଥା ପୁଞ୍ଜିନିବେଶ କରିଛନ୍ତି । ଫଳରେ ଜିଲ୍ଲାରେ ଅନେକ କଳକାରଖାନା ପ୍ରତିଷ୍ଠା ହୋଇଛି । ଝାରସୁଗଡା ସମେତ ଆଖପାଖ ଜିଲ୍ଲାର ଅନେକ ଛାତ୍ରଛାତ୍ରୀ ରାଜ୍ୟ ବାହାରେ ଭଲ ପଦପଦବୀରେ ବିଭିନ୍ନ ଶିଳ୍ପ ସଂସ୍ଥାରେ ଅଛନ୍ତି । ଝାରସୁଗୁଡାର ଏକ ଆଧୁନିକ ବିମାନ ବନ୍ଦର ମଧ୍ୟ ପ୍ରତିଷ୍ଠା ହୋଇଛି । ଏତେ ସବୁ ଥିବା ସତ୍ବେ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ଏକ ଜାତୀୟସ୍ତରର ଶିକ୍ଷାନୁଷ୍ଠାନ ନାହିଁ । ଯଦ୍ବାରା ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡୁଛି । ତେଣୁ ଆଗାମୀ ଦିନରେ ଝାରସୁଗୁଡାରେ ଏକ ଆଇଆଇଆଇଟି ପ୍ରତିଷ୍ଠା ପାଇଁ ସଂସଦରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।