ଭୋପାଳ: ବିଭିନ୍ନ ସମୟରେ ରୋଗୀଙ୍କ ପ୍ରତି ଡାକ୍ତର ଓ ଡାକ୍ତରଖାନାର ଅବହେଳା ଦେଖିବାକୁ ମିଳିଛି । କେତେବେଳେ ଆମ୍ବୁଲାନ୍ସ ନରହି ଲୋକଙ୍କ ଜୀବନ ଯାଉଛି ତ ଆଉ କେଉଁଠି ଭୁଲ ଇଞ୍ଜେକ୍ସନ ଦେଇ ପ୍ରାଣ ନେଉଛନ୍ତି ଡାକ୍ତର ଓ ଫାର୍ମାସିଷ୍ଟ । ତେବେ ମଧ୍ୟପ୍ରଦେଶର ଶିବପୁରୀର ଜିଲ୍ଲା ହସ୍ପିଟାଲର ଏମିତି ଏକ ଦୃଶ୍ୟ ଯାହା ଚକିତ କରିବା ସହ ଅତ୍ୟନ୍ତ ନିନ୍ଦନୀୟ ମଧ୍ୟ । ମୃତ ରୋଗୀର ଠିକ ଭାବେ ଯତ୍ନ ନନେଇଥିବାରୁ ମୃତଦେହର ଆଖିରେ ପିମ୍ପୁଡି ଲାଗିଯିବା ଘଟଣା ପୁରା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି ।
ସୂଚନା ଅନୁସାରେ, ମଙ୍ଗଳବାର ସକାଳୁ ବାଲାଚନ୍ଦ୍ର ଲୋଧି ନାମକ ଜଣେ ବୃଦ୍ଧ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ମାତ୍ର 5 ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ଏଠାରୁ ହିଁ ସରିଯାଇଥିଲା ଡାକ୍ତର ଓ ସେଠାରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ କର୍ତ୍ତବ୍ୟ । ସେମିତି ମୃତଦେହକୁ ଛାଡି ଦେଇ ଚାଲିଯାଇଥିଲେ । ଆଉ ଏହା ପରେ ଯେଉଁ ଦୃଶ୍ୟ ଥିଲା ତାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ ।