ଭୋପାଳ: ଦେଶରେ ଦିନକୁ ଦିନ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ସାର୍ବଜନିକ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ତେବେ ଏପରିସ୍ଥିତିରେ 50 ଲକ୍ଷ ସ୍ବଳ୍ପ ମୂଲ୍ୟର କପଡା ତିଆରି ମାସ୍କକୁ ପିଡିଏସ ଦୋକାନଗୁଡିକରେ ଯୋଗାଇ ଦେବାକୁ ଯୋଜନା କରିଛି ମଧ୍ୟପ୍ରଦେଶ ସରକାର ।
ରାଜ୍ୟ ସହରାଞ୍ଚଳର ମହିଳାମାନଙ୍କ ଦ୍ବାରା ସରକାର ଏହି ମାସ୍କଗୁଡିକ ସିଲେଇ କରିବେ ବୋଲି ଜଣେ ଜନସମ୍ପର୍କ ଅଧିକାରୀ ସୋମବାର କହିଛନ୍ତି । ରବିବାର ଦିନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଦ୍ବାରା COVID-19 ମୁକାବିଲା ପାଇଁ ରାଜ୍ୟର ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକରେ ଏହି ମାସ୍କ ଯୋଗାଇ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି । ସାର୍ବଜନୀନ ବିତରଣ ବ୍ୟବସ୍ଥା (ପିଡିଏସ୍) ଅଧୀନରେ ଥିବା ସମସ୍ତ ରାସନ ଦୋକାନରେ ଏହି ମାସ୍କ ଉପଲବ୍ଧ ହେବ । ତେବେ ଏହି ମାସ୍କ ତିଆରି କରିବା ଦ୍ବାରା ମହିଳାମାନଙ୍କୁ ନିଯୁକ୍ତି ମଧ୍ୟ ମିଳିଯିବ ବୋଲି ଅଧିକାରୀ କହିଛନ୍ତି ।