ଲକ୍ଷ୍ନୌ: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ମୃତ୍ୟୁରେ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ଶୋକ ପ୍ରକାଶ କରିଛନ୍ତି । ମହନ୍ତ ନରେନ୍ଦ୍ର ଗିରି କହିଛନ୍ତି ଯେ, ଲାଲଜୀ ଟଣ୍ଡନ ସାଧୁ ସନ୍ଥ ମାନଙ୍କୁ ବହୁତ ଭଲ ପାଉଥିଲେ । ଯେତେବେଳେ ବି ସେ ପ୍ରୟାଗରାଜ ଆସୁଥିଲେ, ସେତେବେଳେ ସେ ବଡ ହନୁମାନ ମନ୍ଦିର ପରିଦର୍ଶନରେ ଆସୁଥିଲେ। ଏହା ସହ ଲାଲଜୀ ମଧ୍ୟ 2019ରେ ପ୍ରୟାଗରାଜର କୁମ୍ଭ ମେଳାକୁ ଆସିଥିଲେ। ସେ ଆହୁରି କହିଛନ୍ତି ଯେ, ଲାଲଜୀ ଟଣ୍ଡନ ଜଣେ ଶାନ୍ତ ପ୍ରକୃତିର ଲୋକ ଥିଲେ, ତାଙ୍କ ବିୟୋଗରେ କେବଳ ସନ୍ଥ ସମାଜ ନୁହେଁ ସମଗ୍ର ଦେଶ ମଧ୍ୟ ଦୁଃଖିତ।
ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ଆଖଡା ପରିଷଦ ଅଧ୍ୟକ୍ଷ
ମଙ୍ଗଳବାର ସକାଳେ ଏମପି ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ମୃତ୍ୟୁ ହୋଇଛି । ତାଙ୍କ ପୂର୍ବ କାର୍ଯ୍ୟକୁ ମନେ ପକାଇ ଶୋକ ପ୍ରକାଶ କରିଛନ୍ତି ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି । ଅଧିକ ପଢନ୍ତୁ...
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କର ମଙ୍ଗଳବାର ସକାଳ 5:35 ରେ ମୃତ୍ୟୁ ହୋଇଛି । ସେ ଲକ୍ଷ୍ନୌର ମେଦାନ୍ତା ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏନେଇ ତାଙ୍କ ମୃତ୍ୟୁ ବିଷୟରେ ପୁଅ ଆଶୁତୋଷ ସୂଚନା ଦେଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ 85 ବର୍ଷ ହୋଇଥିଲା । ଶାରୀରିକ ଅସୁସ୍ଥତା ହେତୁ ତାଙ୍କୁ ଜୁନ 12ରେ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଲାଲଜୀ ଟଣ୍ଡନ ବିଜେପିର ଜଣେ ବରିଷ୍ଠ ନେତା ଥିଲେ। ବିଜେପି ଏବଂ ଆରଏସଏସ ସହିତ ଲାଲଜୀ ଟଣ୍ଡନଙ୍କର ମଧ୍ୟ ଦୀର୍ଘ ସମ୍ପର୍କ ଥିଲା। ତାଙ୍କୁ ଅତି ସରଳ ଜୀବନଶୈଳୀ ସହିତ ଜଣେ ଉତ୍ତମ ନେତା ଭାବରେ ବିବେଚନା କରାଯାଉଥିଲା ।