ନୂଆଦିଲ୍ଲୀ: ଲୋକସଭାରେ ବଜେଟ ଅଧିବେଶନରେ ଭାଗ ନେଇ ଅନେକ ଦାବି ଉପସ୍ଥାପନ କରିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଶିକ୍ଷାଠୁ ଆରମ୍ଭ କରି କୃଷି, ପଶୁପାଳନ, ବରିଷ୍ଠ ନାଗରିକ, ସିନେମା, ରେଳ, ବିପର୍ଯ୍ୟୟ ସହିତ ସାଂସଦଙ୍କ ପାଣ୍ଠି ବୃଦ୍ଧି ପ୍ରସଙ୍ଗ ଉଠାଇଛନ୍ତି ସେ । ଆସନ୍ତୁ ଜାଣିବା ଲୋକସଭାରେ କଣ କହିଛନ୍ତି ସେ...
‘ଶିକ୍ଷା ଋଣଠାରୁ କାର ଋଣର ସୁଧ କମ୍’
ଶିକ୍ଷା କ୍ଷେତ୍ରରେ ମିଳୁଥିବା ଋଣରେ ଅଧିକ ସୁଧ ଲାଗୁଥିବାରୁ ଏହାକୁ କମ୍ କରିବାକୁ ସାଂସଦ ଅନୁଭବ ମହାନ୍ତି ଦାବି କରିଛନ୍ତି । ଏହି ଅବସରରେ ସେ କାର କିଣିବା ଲାଗି ମିଳୁଥିବା ଋଣରେ ସୁଧ ଅପେକ୍ଷା ଶିକ୍ଷା କ୍ଷେତ୍ରରେ ଅଧିକ ସୁଧ ପଡୁଥିବା କହିଛନ୍ତି । ସୁଧ କମ କରିବା ସହ ସମ୍ପୂର୍ଣ୍ଣ ଛାଡ କରିବାକୁ ମଧ୍ୟ ସେ ଦର୍ଶାଇଛନ୍ତି ।
ବରିଷ୍ଠ ନାଗରିକଙ୍କ ପାଇଁ ଦିଆଯାଉ ଧ୍ୟାନ
ଦେଶରେ ଅନେକ ବରିଷ୍ଠ ନାଗରିକ ସେମାନଙ୍କ ସନ୍ତାନଙ୍କ ଅତ୍ୟାଚାରର ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉ ବୋଲି କହିଛନ୍ତି ସେ । ଏହା ସହ ଓଡିଶା ସରକାର କରୁଥିବା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଉଦାହରଣ ଦେଇ ଏପରି କିଛି କରିବାକୁ ସେ ଦାବି କରିଛନ୍ତି ।
ପଶୁ ଡାକ୍ତରଖାନା ପାଇଁ ଅଲଗା ବଜେଟ କରିବାକୁ ଦାବି
ପଶୁ ଡାକ୍ତରଖାନା ପାଇଁ ଅଲଗା ବଜେଟ କରିବାକୁ ଲୋକସଭାର ଦାବି କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଏହାସହ ପଶୁ ଡାକ୍ତରଙ୍କ ପାଇଁ ମଧ୍ୟ ସୁବିଧା ସୁଯୋଗ ଦେବା ଲାଗି ସେ ଦାବି କରିଛନ୍ତି ।
ଜନଗଣନାରେ ଓବିସି ଗଣନା କରିବାକୁ ଦାବି
ଜନଗଣନାରେ ଓବିସି ଗଣନା କରିବାକୁ ସାଂସଦ ଅନୁଭବ ମହାନ୍ତି ଦାବି କରିଛନ୍ତି । ରାଜ୍ୟ ସରକାର ଏହି ପ୍ରସଙ୍ଗ ଉଠାଉଥିବାବେଳେ ସାଂସଦ ଆଜି ବଜେଟ ଅଧିବେଶନରେ ଭାଗ ନେଇ ଏହି ପ୍ରସଙ୍ଗ ଉଠାଇଛନ୍ତି ।