ନୂଆଦିଲ୍ଲୀ: କୋରୋନା ସଙ୍କଟ ସମୟରେ ଗୁରୁବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମୋରିସନଙ୍କୁ ସପରିବାର ସହିତ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଥିଲେ । ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ ମୋରିସନ କହିଛନ୍ତି ଯେ, କୋରୋନା ସଙ୍କଟ ସମାପ୍ତ ହେବା ପରେ ସେ ଯେତେବେଳେ ଭାରତ ଆସିବେ ସେତେବେଳେ ସେ ଗୁଜୁରାଟି ଖେଚୁଡି ଖାଇବେ । ମୋରିସନଙ୍କ ଏହି କଥାରେ ମୋଦି ଜୋରରେ ହସିବା ସହ ତାଙ୍କୁ ଖେଚୁଡି ଖାଇବାକୁ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।
ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଏହି ଭିଡିଓ କନଫରେନ୍ସିଂ ଭର୍ଚୁଆଲ ଶିଖର ସମ୍ମିଳନୀର ଏକ ଅଂଶ ଥିଲା । ଏହି ଆଲୋଚନା ସମୟରେ ଉଭୟ ଦେଶର ନେତା ଭାରତ ମହାସାଗରରେ ସାମୁଦ୍ରିକ ସହଯୋଗ ସମେତ ମୋଟ 9ଟି ଚୁକ୍ତିନାମାରେ ସହମତି ଦେଇଛନ୍ତି । ଏତଦବ୍ୟତୀତ ରଣନୀତିକ ସହଯୋଗ ଉପରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସୁଦୃଢ ହୋଇଛି ।