ବର୍ତ୍ତମାନ ଭାରତୀୟ ସେନାରେ ସ୍ବତନ୍ତ୍ର ସମ୍ମାନ ରଖିଥିବା ଗୋର୍ଖା ରେଜିମେଣ୍ଟର ଯେଉଁ ବୀର ଯୋଦ୍ଧାମାନଙ୍କୁ ନେଇ ଗଠିତ, ସେମାନଙ୍କର ପୂର୍ବଜମାନେ 1765 ମସିହାରେ ପୃଥ୍ବୀ ନାରାୟଣଙ୍କ ନେତୃତ୍ବରେ ଯେଉଁ ସାହସ ଓ ପରାକାଷ୍ଠା ଦେଖାଇ ଥିଲେ ତାହା ଅତ୍ୟନ୍ତ ଗୌରବମୟ। ସେ ସମୟର ନେପାଳୀମାନେ ୟୁରୋପୀୟ ଯୁଦ୍ଧକଳା ଓ ଶୃଙ୍ଖଳାକୁ ପାଥେୟ କରି ନେପାଳ ଚାରିପାଖରେ ଥିବା ପାହାଡି ଅଧିବାସୀଙ୍କ ମଧ୍ୟରେ ଅପରାଜେୟ ରହି ଆସିଥିଲେ।
କାଠମାଣ୍ଡୁ, ଲଳିତାପାଟନ ଏବଂ ଭଟଗାଓଁ ଦଖଲ କରିଥିବା ନେପାଳ ସମ୍ରାଟ ପୃଥ୍ବୀ ନାରାୟଣଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀ ଏବଂ ତାଙ୍କ ଭାଇ ରାଜାଙ୍କ ଶିଶୁ ପୁତ୍ର ନାଁରେ ରେଜିମେଣ୍ଟ ଗଠନ କରି କୁମାଉନ ଯାଏଁ ରାଜ୍ୟ ଦଖଲ କରିଥିଲେ। 1790ରେ ସେମାନେ ଆଲମୋରା ବିଜୟ ସହ ରାମଗଙ୍ଗା ସହ ପୂରା ଦେଶରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ।
କୁମାଉନଠାରୁ ପଶ୍ଟିମରେ ଆଗକୁ ମାଡ଼ି ଗୋର୍ଖାମାନେ ଗଡ଼ୱାଲ ଯାଏଁ ଆକ୍ରମଣ କରି ଚାଲିଥିଲେ। କିନ୍ତୁ ସେମାନଙ୍କର ଏହି ବିଜୟ ଅଭିଯାନ, ଚୀନର ନେପାଳ ଅଭିଯାନ ଖବର ଶୁଣି ଥମି ଯାଇଥିଲା। ଏହି ସମୟରେ ସେମାନେ ନିଜ ଦେଶକୁ ବଞ୍ଚାଇବାକୁ ଯାଇ ଗଡ଼ୱାଲ ଛାଡି ନିଜ ଦେଶକୁ ଫେରି ଆସିଥିଲେ। ତେବେ ଏହାର କିଛି ବର୍ଷ ପରେ ଗୋର୍ଖା ବାହିନୀ ପୁଣି ଥରେ ପଶ୍ଚିମ ଦିଗରେ ଅଗ୍ରସର ହୋଇ ତତ୍କାଳୀନ ଗଡ଼ୱାଲ ରାଜାଙ୍କ ରାଜଧାନୀ ଥିବା ଶ୍ରୀନଗର ଯାଏଁ ପହଞ୍ଚି ଯାଇଥିଲା। 1803 ଫେବୃଆରିରେ ଗଡ଼ୱାଲ ଉପରେ ଆକ୍ରମଣ କରିଥିଲେ ଏବଂ ରାଜା ଦକ୍ଷିଣ ଦିଗରେ ପଛକୁ ହଟିଯାଇଥିଲେ। ବାରାହାଟରେ ବି ସେ ପରାଜିତ ହୋଇ ସେଠାରୁ ବିତାଡିତ ହୋଇଥିଲେ। ଏହାପରେ ସେ ଡୁନ ଏବଂ ପରେ ଶାହାରାନପୁରକୁ ପଳାଇ ଆସିଥିଲେ।
ପରାଭୁତ ରାଜା ପ୍ରଦ୍ୟୁମ୍ନ ଶାହା ସେଠାରେ ତାଙ୍କର ସମସ୍ତ ସମ୍ପତ୍ତି ବନ୍ଧା ପକାଇ ଏବଂ ନିଜ ସିଂହାସନକୁ ବିକି କିଛି ଲକ୍ଷ ଟଙ୍କା ସଂଗ୍ରହ କରି ଏକ ନୂଆ ସେନା ବାହିନୀ ଗଠନ କରିଥିଲେ ଏବଂ ଡୁନ୍ ଫେରି ଆକ୍ରମଣକାରୀଙ୍କ ଉପରେ ଆକ୍ରମଣ କରିଥିଲେ। ତେବେ ଉମର ସିଂହ ଥାପ୍ପା ଡେରା ଦଖଲ କରି ନେଇଥିଲେ। ରାଜା ପ୍ରଦ୍ୟୁମ୍ନ ଶାହା ପରାସ୍ତ ହୋଇଥିଲେ ଏବଂ ତାଙ୍କୁ ଶତ୍ରୁପକ୍ଷ ହତ୍ୟା କରିଥିଲେ।
ଗଡ଼ୱାଲର ଶେଷ ରାଜା ପ୍ରଦ୍ୟୁମ୍ନ ଶାହାଙ୍କ ଦୁର୍ଭାଗ୍ୟ ସମ୍ପର୍କରେ ଯମୁନୋତ୍ରୀରୁ ଅଳ୍ପ ଦୂରରେ ଥିବା ହିମାଳୟ ପର୍ବତରେ ରହୁଥିବା ପାଲିଗଡ଼ର ସାଧୁ ସନ୍ଥଙ୍କ ପାଖରେ ଅନେକ ତଥ୍ୟ ରହିଛି। ଏହା ବ୍ରିଟିଶ ପର୍ଯ୍ୟଟକ ଜେ.ବି.ଫ୍ରେଜର ଉଲ୍ଲେଖ କରିଛନ୍ତି। ଶାହାଙ୍କ ପତନ ସହ ଗଡ଼ୱାଲରେ ଆରମ୍ଭ ହୋଇଥିଲା ଗୋର୍ଖାମାନଙ୍କର ରାଜୁତି। କାଳକ୍ରମେ ଏ ଅଞ୍ଚଳର ବ୍ରିଟିଶ କବଜାକୁ ଆସିଥିଲା।
ଶିବାଲିକ ପର୍ବତମାଳାର ଉତ୍ତର ଭାଗରେ ଗୋର୍ଖାମାନଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ବ୍ରିଟିଶ ସେନା ଦକ୍ଷିଣ ଦିଗରେ ପହଞ୍ଚିଥିଲେ । ଉମର ସିଂ ଥାପ୍ପା 1803ରେ ଡେରା ଦଖଲ କରିବା ବେଳକୁ ଏପଟେ କର୍ଣ୍ଣେଲ ବର୍ଣ୍ଣ ଶାହାରାନପୁର ଆଡକୁ ମା଼ଡ଼ି ଯାଇଥିଲେ। ସେ ସମୟରେ ଗୋର୍ଖାମାନଙ୍କ ଶାସନ ଅତ୍ୟନ୍ତ ନିଷ୍ଠୁର ଥିଲା। ପାହାଡିମାନଙ୍କ ଉପରେ ଗୋର୍ଖାମାନଙ୍କ ନିର୍ଯାତନା ଅସହ୍ୟ ଥିଲା। ଅନ୍ୟାୟ ଓ ନିଷ୍ଠୁରତା ଚରମ ସୀମାରେ ପହଞ୍ଚିଥିବା କୁହାଯାଏ।
ବାସ୍ତବରେ ଗଡ଼ୱାଲ ଅଞ୍ଚଳରେ ଗୋର୍ଖା ଅତ୍ୟାଚାରକୁ ‘ଗୁର୍ଖାନୀ’ କୁହାଯାଉଥିଲା। ଏପରିକି ରାତିରେ ସେମାନେ ଘରୁ ଘରୁ ବଳପୂର୍ବକ ସମସ୍ତ କ୍ଷୀର ପିଇଦେବା ସହ ଧର୍ଷଣକାରୀ ଗୋର୍ଖା ସୈନିକମାନେ ସକାଳୁ ଆସି ଦହି ଦାବି କରୁଥିଲେ।
ଗୋର୍ଖାଙ୍କ ବର୍ବରତା ଏପରି ସୀମାରେ ପହଞ୍ଚିଥିଲା, ଯେଉଁଠାରୁ ଗୋର୍ଖା ଯୁଦ୍ଧର ସୂତ୍ରପାତ ହୋଇଥିଲା। ଗୋର୍ଖାମାନେ ଏକ ବିବାଦୀୟ ଅଞ୍ଚଳରେ ଏକ ଥାନାକୁ ନଷ୍ଟ କରି ଦେଇଥିଲେ ଏବଂ ଥାନାର ଦାରୋଗା ଇନଚାର୍ଜଙ୍କୁ ହତ୍ୟା କରିଥିଲେ। ବ୍ରିଟିଶ ବାହିନୀ ବିରୋଧରେ ଯୁଦ୍ଧ କରି 18 ଜଣ କନେଷ୍ଟେବଳଙ୍କୁ ଜୀବନରେ ମାରି ଦେବା ସହ 8 ଜଣଙ୍କୁ ଆହତ କରିଥିଲେ। ଏହା ପରେ ପରେ ଆଉ ଏକ ଥାନାକୁ ମଧ୍ୟ ଆକ୍ରମଣରେ ଉଡାଇଦେଇଥିଲେ। ସେତେବେଳେ ଗୋର୍ଖାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅନୁକୂଳ ନଥିବାରୁ ନେପାଳ ରାଜାଙ୍କ ପାଖକୁ ବ୍ରିଟିଶ ସରକାରଙ୍କ ପକ୍ଷରୁ ଏକ ପ୍ରତିବାଦ ପତ୍ର ପଠାଯାଇଥିଲା। କିନ୍ତୁ ଉତ୍ତର ଅସମ୍ମାନସୂଚକ ଥିବାରୁ 1814 ନଭେମ୍ବର ପହିଲାରେ ଯୁଦ୍ଧ ଘୋଷଣା କରାଯାଇଥିଲା। ଡୁନରେ ଥିବା ୱିଲିୟମସ ମେମୋରିଆଲରେ ଏହାର ପ୍ରମାଣ ରହିଛି। ଗୋର୍ଖାମାନେ ବହୁତ କମ୍ ସଂଖ୍ୟାରେ ଥିଲେ ମଧ୍ୟ ସେମାନେ ନାଲାପାଣି ପର୍ବତରେ ଅତି ତରବରିଆ ଭାବେ ତିଆରି କରିଥିବା ଏକ ଦୁର୍ଗ , ଯାହାକି କଳିଙ୍ଗା ଭାବେ ପରିଚିତ, ରେ ଯେଉଁଭଳି ସାହସ ଓ ବୀରତ୍ବର ସହ ଲଢିଥିଲେ ତାହା ଇତିହାସରେ ଲିପିବଦ୍ଧ ହୋଇ ରହିଛି।
ଡୁନ୍ ଭ୍ୟାଲିର ରିସପନା କୂଳରେ ଦୁଇଟି ଛୋଟ ସ୍ମାରକୀ ସ୍ତମ୍ଭ ଉଭୟ ବିଜୟୀ ଓ ପରାଜିତଙ୍କ କାହାଣୀକୁ ବଖାଣୁଛି। ଗୋଟିଏ ହେଉଛି ବ୍ରିଟିଶ ଜେନେରାଲ ଜିଲେସ୍ପି ଓ ଯୁଦ୍ଧରେ ତାଙ୍କ ସହିତ ଜୀବନ ଦେଇଥିବା ଅନ୍ୟମାନଙ୍କର ସ୍ମୃତି, ଅନ୍ୟଟି ସାହସୀ ବଳଭଦ୍ର ସିଂହ ଏବଂ ବୀର ଗୋର୍ଖାଙ୍କ ପାଇଁ। ତେବେ ଯାହାହେଉ 1815 ନଭେମ୍ବର 17ରେ ଶାହାରାନପୁର ଜିଲ୍ଲା ବ୍ରିଟିଶ ଅଧିନକୁ ଆସିଥିଲା।
1815ରେ ବ୍ରିଟିଶ ଜେନେରାଲ ଓକ୍ଟେରଲୋନ ନେପାଳୀମାନଙ୍କୁ କାଳି ନଦୀ ପାଖାପାଖି ଗଡ଼ୱାଲ ଏବଂ କୁମାଉନ ଅଞ୍ଚଳରୁ ଉଚ୍ଛେଦ କରିଥିଲେ। ଏହି ଅଞ୍ଚଳରେ 12 ବର୍ଷ ଧରି ଚାଲିଥିବା ନେପାଳୀ ଶାସନର ଅବସାନ ଘଟିଥିଲା। ଯାହାକି ଉତ୍ତରାରଖଣ୍ଡ ଇତିହାସରେ ଏକ ଅଧ୍ୟାୟ ହୋଇ ରହିଯାଇଛି। ବିଶେଷ କରି ଏହି ସମୟ ଉତ୍ତରାଖଣ୍ଡ ପାଇଁ ଅତ୍ୟାଚାର ଓ ବର୍ବରତାର ସମୟ ଥିଲା। ସେ ସମୟରେ ପୂର୍ବରେ ସିକ୍କିମର ତିସ୍ତାଠାରୁ ନେଇ ପଶ୍ଚିମରେ ସତଲେଜ ନଦୀ ଯାଏଁ ରହିଥିବା ସ୍ଥଳ ଭାଗରେ ନେପାଳୀଙ୍କ ରାଜ ଥିଲା।
ଗୋର୍ଖା ଯୁଦ୍ଧ ପରେ ଆଲୋଚନା ଜରିଆରେ 1815 ଡିସେମ୍ବରରେ ବିହାର ଚମ୍ପାରଣର ସାଗୌଲିଠାରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିଲା। ତହିଁ ପରବର୍ଷ 1916ରେ ଏହା କାର୍ଯ୍ୟକାରୀ ହୋଇଥିଲା। ପରେ ନେପାଳ ପୂର୍ବ ଓ ପଶ୍ଟିମରେ ଯେଉଁସବୁ ଅଞ୍ଚଳ ଦଖଲ କରିଥିଲା ସେସବୁ ଫେରାଇ ଦେଇଥିଲା। ଏଥିସହିତ ପୂରା ତରାଇ ଅଞ୍ଚଳ ମଧ୍ୟ ଇଷ୍ଟ ଇଣ୍ଡିଆ କମ୍ପାନି ହାତକୁ ଆସିଥିଲା। ସେତେବେଳେ 1815 ଡିସେମ୍ବର 2ରେ ଇଷ୍ଚ ଇଣ୍ଡିଆ କମ୍ପାନି ଏବଂ ନେପାଳର ରାଜଗୁରୁ ଗଜରାଜ ମିଶ୍ରଙ୍କ ସହିତ ଚନ୍ଦ୍ରଶେଖର ଉପାଧ୍ୟାୟଙ୍କ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇ ନେପାଳ ସହିତ ସୀମାରେଖା ଟଣାଯାଇଥିଲା। ଏହା 1816 ମାର୍ଚ୍ଚ 4 ତାରିଖରେ ସଂଶୋଧିତ ହୋଇଥିଲା। ଚୁକ୍ତି ମୁତାବକ ନେପାଳୀ ବ୍ରିଟିଶ୍ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ ଏବଂ ନେପାଳ ପଶ୍ଚିମାଞ୍ଚଳର ସ୍ବତ୍ତ୍ବ ଇଷ୍ଟ ଇଣ୍ଡିଆ କମ୍ପାନି ପାଇଥିଲା।
ସିକ୍ସିମ, ତେରାଇ, କୁମାଉନ ଏବଂ ଗଡ଼ୱାଲ ବ୍ରିଟିଶ ଅଧିନକୁ ଆସିବା ସହ ନେପାଳ ତା’ର ପୂର୍ବ ସୀମାକୁ ଫେରି ଆସିଥିଲା। ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାରେ ରହିଥିବା ସାରଦା ନଦୀ (କିମ୍ବା ଯାହାକୁ ନେପାଳୀମାନେ ମହାକାଳୀ ବୋଲି କହନ୍ତି) ଦୁଇ ଦେଶ ମଧ୍ୟରେ ସୀମାରେଖା ଭାବେ ଧରି ନିଆଯାଇଥିଲା। ଅବଶ୍ୟ ପୂର୍ବରେ ବିହାରର କିଶନଗଂଜ ସମତଳ ଭୂମିକୁ ପ୍ରବାହିତ ହୋଇ ଆସିଥିବା ମେଛି ନଦୀ ଦୁଇ ଦେଶ ମଧ୍ୟରେ ପୁରୁଣା ସୀମା ରେଖା ଥିଲା।
ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଯେଉଁ ବିବାଦ ଆରମ୍ଭ ହୋଇଛି ତାହା ସୀମା ସଡ଼କ ସଂଗଠନ ଦ୍ବାରା ଏକ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ହୋଇଛି। ମାନସରୋବର ଯାତ୍ରୀଙ୍କ ପାଇଁ ଦୂରତା କମାଇବା ସକାଶେ ଲିପୁଲେଖ ପାସ୍ ଦେଇ ଏହି ରାସ୍ତା ନିର୍ମାଣ ହେଉଛି। ମହାକାଳୀ ନଦୀର ତିନିଟି ଶାଖା ନଦୀ ରହିଛି : ଉତ୍ତରାଖଣ୍ଡ ପିଥୋରାଗଡ଼ ଜିଲ୍ଲାରେ ପ୍ରବାହିତ ଏହି ତିନିଟି ଶାଖା ନଦୀ ହେଲା ଲିମ୍ପିଆଧୁରା, କଳାପାଣି ଏବଂ ଲିପୁଲେଖ। ନେପାଳ ପଶ୍ଚିମରେ ପୂରା ଶେଷ ଆଡକୁ ସୀମାରେ ଲିମ୍ପିଆଧୁରାକୁ ନିଜର ବୋଲି ଦାବି କରୁଛି। କିନ୍ତୁ ଭାରତ କହୁଛି ଏହା ଲିପୁଲେଖ । ହିମାଳୟ ଘେରି ରହିଥିବା ପାର୍ବତ୍ୟାଞ୍ଚଳରେ ଚୀନ କିଛି ଦିନ ହେଲା ଦେଖାଉଥିବା ଶକ୍ତି ଯୋଗୁଁ ଉତ୍ସାହିତ ହୋଇ ନେପାଳର କମ୍ୟୁନିଷ୍ଟ ସରକାର ଏଭଳି ଏକ ଛୋଟିଆ କଥାକୁ ବଡ଼ କରି ଥୋଇଛନ୍ତି।
ଯେତେବେଳ ହାତୀଙ୍କ ମଧ୍ୟରେ ଲଢେଇ ହୁଏ, ସେତେବେଳେ ସେ ଅଞ୍ଚଳ ନଷ୍ଟଭ୍ରଷ୍ଟ ହୋଇଯାଏ, ଏପରିକି ସାମାନ୍ୟ ଘାସଟିଏ ମଧ୍ୟ ବଞ୍ଚେନା। ଭାରତ-ନେପାଳ ସୀମା ବିବାଦ ସମ୍ପର୍କିତ ଖବର ପରେ ପରେ, ମୁଁ ଦେଖିଲି ହିଲ୍ ଷ୍ଟେସନରେ କାମ କରୁଥିବା ନେପାଳୀମାନେ ନିଜ ନିଜ ଘରକୁ ଫେରିଗଲେ, ସେତେବେଳେ ଏହି ଲୋକକଥାଟି ମୋ ମନକୁ ଆସିଲା।
ଲେଖକ ଗଣେଶ ସାଇଲି , ସେ ହେଉଛନ୍ତି ପାହାଡି ଅଞ୍ଚଳର ସ୍ଥାନୀୟ ଅଧିବାସୀ। ସେ ତାଙ୍କର ଅନୁଭୂତି ଏହି ଲେଖାରେ ବର୍ଣ୍ଣନା କରିଛନ୍ତି। ଲେଖକ ଦୁଇ ଡଜନରୁ ଅଧକ ପୁସ୍ତକ ରଚନା କରିଛନ୍ତି; ଏଥିରୁ କିଛି ପୁସ୍ତକ 20ଟି ଭାଷାରେ ଅନୁବାଦିତ ହୋଇଛି, ତାଙ୍କ ଲେଖା ବିଶ୍ବ ବ୍ୟାପୀ ଆଦୃତ ହୋଇଛି।