ନୂଆଦିଲ୍ଲୀ: କୋରୋନା କଟକଣାରେ ଅଧିବେଶନ ସେପ୍ଟେମ୍ବର 14 ତାରିଖରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଯାଇଛି । ଅଧିବେଶନର ପ୍ରଥମ ଦିନରେ 30 ଜଣ ସାଂସଦ କୋରୋନା ସଂକ୍ରମିତ ହୋଇଥିଲେ । ଯାହାକୁ ନଜରରେ ରଖି ସଂସଦରେ ନୂତନ କୋରୋନା ପ୍ରୋଟୋକଲ ଜାରି ହୋଇଛି ।
ଏହି ନୂଆ ପ୍ରୋଟୋକଲ ଅନୁସାରେ, ଏଥର ପ୍ରତ୍ୟେକ ଦିନ ସଂସଦରେ ପ୍ରବେଶ କରୁଥିବା ସବୁ ସାଂସଦ, ସାମ୍ବାଦିକ ଓ ପାର୍ଲାମେଣ୍ଟର କର୍ମଚାରୀ କୋରୋନାର ଆଣ୍ଟିଜେନ ଟେଷ୍ଟ କରିବେ। ଲୋକସଭା ଏବଂ ରାଜ୍ୟସଭାର ପ୍ରେସ ଗ୍ୟାଲେରୀରୁ ମୌସୁମୀ ଅଧିବେଶନକୁ ରିପୋର୍ଟିଂ କରୁଥିବା ସାମ୍ବାଦିକମାନେ 72 ଘଣ୍ଟା ମଧ୍ୟରେ RT-PCR ଟେଷ୍ଟ ରିପୋର୍ଟ ଦାଖଲ କରିବେ ।
ଉଭୟ ଗୃହର ସଦସ୍ୟମାନେ ସ୍ୱେଚ୍ଛାକୃତ ଭାବେ ନିୟମିତ ବ୍ୟବଧାନରେ RT-PCR ପରୀକ୍ଷା ଦେଉଛନ୍ତି ବୋଲି ସଂସଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସଂସଦର ଜଣେ ସଦସ୍ୟ ଯେତେ ଥର ଚାହିଁବେ RT-PCR ଟେଷ୍ଟ କରିପାରିବେ । RT-PCR ଟେଷ୍ଟ ସମୟ ସାପେକ୍ଷ ହୋଇଥିବାରୁ ଆଣ୍ଟିଜେନ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି ।