ନୂଆଦିଲ୍ଲୀ: ଆଜିଠୁ ବାଜିଛି 2019 ଲୋକସଭା ନିର୍ବାଚନର ପ୍ରଥମ ବିଗୁଲ । 91ଟି ଲୋକସଭା ଆସନ ପାଇଁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ସକାଳ 7ଟାରୁ ଚାଲିଛି ଭୋଟ୍ ଗ୍ରହଣ । ସମଗ୍ର ଦେଶବାସୀ ଗଣତନ୍ତ୍ରର ଏହି ମହାପର୍ବରେ ଉତ୍ସାହର ସହ ସାମିଲ ହୋଇଛନ୍ତି ।
ତେବେ ସମସ୍ତ ଦେଶବାସୀଙ୍କୁ ମତଦାନ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଟ୍ବିଟ୍ ଜରିଆରେ ଆହ୍ବାନ ଦେଇଛନ୍ତି । ଅଧିକରୁ ଅଧିକ ସଂଖ୍ୟାରେ ମତଦାନ ଦେଇ ନିଜ ଅଧିକାର ସାବ୍ୟସ୍ତ କରିବାକୁ ସେ କହିଛନ୍ତି। ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ପ୍ରଥମେ ମତଦାନ ଏବଂ ପରେ ଜଳପାନ।
ସମସ୍ତ ମତଦାତାଙ୍କୁ ଗଣତନ୍ତ୍ରର ଏହି ପର୍ବରେ ଉତ୍ସାହର ସହକାରେ ସାମିଲ ହେବାକୁ ସେ ନିବେଦନ କରିଛନ୍ତି। ଭୋଟ୍ ଦେବା ସମସ୍ତ ଭାରତୀୟଙ୍କର ଏକ ମୌଳିକ ଅଧିକାର ଏବଂ ଏଥିରେ ବିପୁଳ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ମୋଦି ଆହ୍ବାନ ଦେଇଛନ୍ତି । ବିଶେଷ କରି ଯୁବଗୋଷ୍ଠୀ ଏବଂ ପ୍ରଥମ ଥର ଭୋଟ୍ ଦେଉଥିବା ଭୋଟରଙ୍କୁ ଅଧିକ ସଂଖ୍ୟାରେ ସାମିଲ ହୋଇ ଭୋଟ୍ ଦେବାକୁ ସେ ଅନୁରୋଧ କରିଛନ୍ତି।
ପୂର୍ବରୁ ମୋଦି ଟ୍ବିଟରରେ ବିଭିନ୍ନ ସେଲିବ୍ରିଟିଙ୍କୁ ଟ୍ୟାଗ୍ କରି ଭୋଟ୍ ଦେବା ପାଇଁ ଦେଶବାସୀଙ୍କୁ ଉତ୍ସାହିତ କରିବାକୁ ସେମାନଙ୍କୁ ଅନୁରୋଧ କରିଥିଲେ। ଏମାନଙ୍କ ମଧ୍ୟରେ କ୍ରୀଡା, ସିନେମା ଭଳି ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ବ ସାମିଲ ଥିଲେ।