ନୂଆଦିଲ୍ଲୀ: ଧାରା 370କୁ ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର । ଏହା ସହିତ ସ୍ବତନ୍ତ୍ର ରାଜ୍ୟ ମାନ୍ୟତାକୁ ହଟାଇ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ଦେଇଛନ୍ତି । ଏହା ମଧ୍ୟରେ ଜମ୍ମୁ କାଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି ।
ତେବେ 370କୁ ଉଚ୍ଛେଦ କରିବାର ଯୋଜନା ଜୁନ ମାସର ତୃତୀୟ ସପ୍ତାହରୁ ଆରମ୍ଭ କରିଦେଇଥିଲେ । ଏହାର ପ୍ରଥମ ପାହାଚ ଥିଲା ଜମ୍ମୁ କାଶ୍ମୀରର ମୁଖ୍ୟ ଶାସନ ସଚିବ ପଦରେ ପରିବର୍ତ୍ତନ । ଛତିଶଗଡ଼ କ୍ୟାଡ଼ରର ବରିଷ୍ଠ ଆଇଏଏସ ଅଧିକାରୀ ବିଭିଆର ସୁବ୍ରମଣ୍ୟମଙ୍କୁ ସେଠାରେ ଶାସନ ସଚିବ ଭାବେ ଅବସ୍ଥାପିତ କରିବା । ସୁବ୍ରମଣ୍ୟମ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଥିଲେ । ମିଶନ କାଶ୍ମୀର ପାଇଁ ଚାଣକ୍ୟଙ୍କ ରଣନୀତି ।
ସୁବ୍ରମଣ୍ୟମ ମୋଦିଙ୍କ ମିଶନ କାଶ୍ମୀରର ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ ଅନ୍ୟତମ । ଏହି ମିଶନର ସମ୍ପୂର୍ଣ୍ଣ ଭାର ଥିଲା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଉପରେ । ଅମିତ ଶାହା ନିଜର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହିତ ଏକ କୋର ଟିମ ଗଠନ କରିଥିଲେ । ଯାହାକୁ ନେଇ ଏହି ମିଶନକୁ ରୂପ ପ୍ରଦାନ କରାଯାଇଥିଲା । ତେବେ ଟିମରେ ସୁବ୍ରମଣ୍ୟମଙ୍କ ବ୍ୟତୀତ ଏହି ଟିମରେ ଆଇନ ସଚିବ ଆଲୋକ ଶ୍ରୀବାସ୍ତବ, ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ(ଆଇନ) ଆର ଏସ ବର୍ମା, ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ, କେନ୍ଦ୍ରୀୟ ଗୃହ ସଚିବ ରାଜୀବ ଗୌଓ୍ବା ଓ କାଶ୍ମୀରର କିଛି ବଛା ବଛା ଅଫିସର ସାମିଲ ଥିଲେ ।
ସେପଟେ ଏ ସମ୍ପର୍କରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ପ୍ରମୁଖ ମୋହନ ଭାଗବତ ଏବଂ ତାଙ୍କର ସହଯୋଗୀ ଭୈୟାଜୀ ଯୋଶୀଙ୍କୁ ଅବଗତ କରାଇଥିଲେ । ଏପରିକି ଜମ୍ମୁ-କାଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭାଜିତ କରାଯିବ ବୋଲି ମଧ୍ୟ ସେ ଅବଗତ କରାଇଥିଲେ ।
ତେବେ ପ୍ରାଥମିକ ପର୍ଯ୍ୟାୟରେ ବିଭିନ୍ନ ପ୍ରକାର ଆଇନଗତ ଆଲୋଚନା କରାଯାଇଥିଲା । ଆଲୋଚନା ପରେ କାଶ୍ମୀର ଘାଟିରେ ଆଇନ ଶୃଙ୍ଖଳା ଉପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନଜର ଥିଲା । ସେଠାରେ କିପରି ଆଇନ ଶୃଙ୍ଖଳା ପରିସ୍ଥିତି କିପରି ନିୟନ୍ତ୍ରଣ ମଧ୍ୟରେ ରହିବ ସେନେଇ ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ଏକାଧିକ ଥର ଆଲୋଚନା କରିଥିଲେ । ଏପରିକି ଅଜିତ ଡୋଭାଲ ଘାଟି ଅଞ୍ଚଳ ପରିଦର୍ଶନରେ ମଧ୍ୟ ଯାଇଥିଲେ।
କାଶ୍ମୀର ଗସ୍ତରେ ଯାଇ ସେଠାରେ ଅଜିତ ତିନି ଦିନ କାଳ ରହି ସ୍ଥିତି ପରଖି ଥିଲେ । ଏହା ପରେ 26 ଜୁଲାଇ ଠାରୁ ଅମରନାଥ ଯାତ୍ରାକୁ ବନ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଥିଲା । ଏହା ସହିତ ଘାଟି ଅଞ୍ଚଳରୁ ପର୍ଯ୍ୟଟକଙ୍କୁ ଖାଲି କରିବାର ନିଷ୍ପତ୍ତି ନିଆଯିବା ସହିତ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ସବୁ ନିଷ୍ପତ୍ତି ଅଜିତ ଡୋଭାଲଙ୍କ ପରାମର୍ଶରେ ନିଆଯାଇଥିଲା । ଏହା ବ୍ୟତୀତ କିପରି ରାଜ୍ୟରେ କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ନ ଉପୁଜେ ସେଥିପାଇଁ ସେଠାରେ 100 ରୁ ଊର୍ଦ୍ଧ୍ବ ପ୍ଲାଟୁନ ଯବାନ ଓ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିଲା ।