ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ଯୋଗ ଦିବସର ଶୁଭେଚ୍ଛା ଜଣାଇବା ସହ କୋରୋନା ସମୟରେ ଯୋଗର ଗୁରୁତ୍ବ ବଢିଛି ବୋଲି କହିଛନ୍ତି ମୋଦି ।
କୋରୋନା ସମୟରେ ଯୋଗର ଗୁରୁତ୍ତ୍ବ ବଢିଛି: ମୋଦି ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଯେ, ଏହା ହେଉଛି ଦୃଢତାର ଦିନ । କର୍ମର କୁଶଳତା ହିଁ ଯୋଗ । ଯୋଗ ଆମକୁ ଏକାଠି କରିଥାଏ । ଆମକୁ ଯୋଡି ଥାଏ । ଆମ ଭିତରେ ଥିବା ଦୂରତାକୁ କମାଇବାରେ ସାହାଯ୍ୟ କରିଥାଏ । ଚଳିତ ବର୍ଷ ଯୋଗ ଦିବସର ଥିମ ରହିଛି 'ୟୋଗା ଆଟ ହୋମ..ୟୋଗା ୱିଥ ଫ୍ୟାମିଲି' । ମହାମାରୀ କୋରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଡିଜିଟାଲ ଯୋଗ ଦିବସ ପାଳନ ହେଉଛି । ସମସ୍ତେ ଅନଲାଇନ ମାଧ୍ୟମରେ ମାଇ ଲାଇଫ ମାଇ ୟୋଗାରେ ଅଂଶ ଗ୍ରହଣ କରିଛନ୍ତି । ତେବେ ଏହାକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ ଯୋଗ ପ୍ରତି ଲୋକଙ୍କର କେତେ ଉତ୍ସାହ ବଢୁଛି । ଏହା କେତେ ବ୍ୟାପକ ।
ଆଜି ଆମେ ସମସ୍ତେ ସାମୂହିକ କାର୍ଯ୍ୟରୁ ଦୂରରେ ରହି ଘରେ ନିଜ ପରିବାର ସହ ମିଶି ଯୋଗ କରୁଛେ । ଛୋଟ ଛୁଆ, ବ୍ୟୟସ୍କ, ସମସ୍ତେ ଏକାସାଙ୍ଗରେ ମିଳିମିଶି ଯଦି ଗୋଟିଏ ପରିବାରରେ ଯୋଗ କରିବେ, ତେବେ ଘରର ପରିବେଶ ମଧ୍ୟ ଉତ୍ତମ ରହିବ । ଏକ ନୂଆ ସଂଚାର ସୃଷ୍ଟି ହେବ । ଚଳିତ ବର୍ଷ ଯୋଗ ଦିବସ ଭାବାତ୍ମକ ଯୋଗର ମଧ୍ୟ ଦିନ । ଏହା ପରିବାର ମଧ୍ୟରେ ସମ୍ପର୍କକୁ ମଧ୍ୟ ଦୃଢ କରିବ । ମହାମାରୀ ପାଇଁ ସମସ୍ତେ ଯୋଗକୁ ଅତି ଗମ୍ଭୀର ଭାବରେ ନେଇଛନ୍ତି ବୋଲି କହିଛନ୍ତି ମୋଦି ।
ଏହାସହ ମୋଦି କହିଛନ୍ତି ଯେ, ଯୋଗ କରିବା ଦ୍ବାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଯୋଗର ଅନେକ ବିଧି ବିଧାନ ରହିଛି, ଆସନ ରହିଛି । ଏହା ମେଟାବୋଲିଜିମକୁ ଶକ୍ତିଶାଳୀ କରିଥାଏ । କୋଭିଡ-19 ଶ୍ବାସକ୍ରିୟାକୁ ଆକ୍ରମଣ କରିଥାଏ । ଫଳରେ ଶ୍ବାସ ଜନିତ ବ୍ୟାୟାମ କରିବା ଦ୍ବାରା ଆମକୁ ସୁଫଳ ମିଳିପାରିବ ବୋଲି କହିଛନ୍ତି ମୋଦି । ଯୋଗ ଖାଲି ଶାରିରୀକ ନୁହେଁ ମାନସିକ ଶାନ୍ତି ମଧ୍ୟ ଦେଇଥାଏ । ଯୋଗ ଦ୍ବାରା ଆମେ କୋରୋନାକୁ ହରାଇବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।