ମୁମ୍ବାଇ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ମହାରାଷ୍ଟ୍ର ନିର୍ବାଚନରେ ଦେଖାଦେଇଛି ଟ୍ୱିଷ୍ଟ । ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ଆଗାମୀ ଲୋକସଭା ନିର୍ବାଚନ ନଲଢିବାକୁ ନିଷ୍ପତ୍ତି ନେଇଛି । ଏମଏନଏସର ମୁଖପାତ୍ର ଶିରୀଷ ସାୱନ୍ତ ଏ ସମ୍ପର୍କରେ ଏକ ବୟାନ ଜାରି କରି ସୂଚନା ଦେଇଛନ୍ତି ।
ଏହା ଅନୁସାରେ ଏମଏନଏସର ମୁଖ୍ୟ ରାଜ ଠାକରେ କହିଛନ୍ତି ଯେ ଦଳ ଏଥର ନିର୍ବାଚନ ଲଢିବ ନାହିଁ । ଭୋଟ ହାର ହ୍ରାସ ପାଉଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ୨୦୦୯ ଲୋକସଭା ନିର୍ବାଚନରେ ଏମଏନଏସକୁ ରାଜ୍ୟରେ ୪.୦୭ ପ୍ରତିଶତ ଭୋଟ ହାସଲ ମିଳିଥିଲା । ତେବେ ୨୦୧୪ ଲୋକସଭା ନିର୍ବାଚନରେ ପାର୍ଟି ଗୋଟିଏ ବି ଲୋକସଭା ଆସନରୁ ବିଜୟୀ ହୋଇନଥିଲା । ଅନ୍ୟପକ୍ଷରେ ବିଧାନସଭା ନିର୍ବାଚନରେ ଏମଏନଏସ ୨୫୦ ଆସନରୁ ମାତ୍ର ଗୋଟିଏ ଆସନରୁ ବିଜୟୀ ହୋଇଥିଲା । ହେଲେ ଏହାର ଏକମାତ୍ର ବିଧାୟକ ଥିବା ନେତା ମଧ୍ୟ ଏଥର ଦଳ ଛାଡିଛନ୍ତି ।