ହାଇଦ୍ରାବାଦ: ସମ୍ପର୍କ ନଥାଇ ବି ସମ୍ପର୍କୀୟ। ନିଜର ନହୋଇ ବି ଆପଣାର। ମାତ୍ର କେତେ ଦିନ ରହଣି ଭିତରେ ପରକୁ ନିଜର କରିନେଇଥାନ୍ତି। ନାଁ ପ୍ରତିବଦଳରେ କିଛି ଚାହାଁନ୍ତି, ନାଁ ନିଅନ୍ତି କୌଣସି ଉପହାର। ଯେଉଁଠି ରୋଗୀକୁ ବଞ୍ଚାଇବା ପାଇଁ ହସ୍ପିଟାଲ କତ୍ତୃପକ୍ଷ ସହ ଟଙ୍କାର ମୂଲଚାଲି ଚାଲେ ସେଠି ବିନା ମୂଲ୍ୟରେ ପରକୁ ଆପଣାର କରି ସେବା ଯୋଗାଇ ଥାଏ ସେବିକାଟିଏ।
ମୃତ୍ୟୁ ସହ ସଂଗ୍ରାମ କରି ସୁସ୍ଥ ହେଉଥିବା ମଣିଷଟି ସେଠୁ କିଛି ଦିନ ଭିତରେ ଫେରି ଆସେ, ହେଲେ ପାଶୋରି ଯାଏ ତାର କିଛିଦିନର ଅନୁକମ୍ପା,କର୍ତ୍ତବ୍ୟ ଓ ଦାୟିତ୍ବକୁ। ଏମିତି ଅନେକ ରୋଗୀଙ୍କୁ ଭେଟୁଥିବା ଏହି ସେବିକା ଭାବପ୍ରବଣତାର ସହ ଜଣଙ୍କୁ ବିଦାୟ ଦିଏ ସିନା ହେଲେ ତାହାରି ଭିତରେ ଆଉ ଏକ ନୂଆ ଆଗନ୍ତୁକକୁ କର୍ତ୍ତବ୍ୟର ଉର୍ଦ୍ଧ୍ବକୁ ଯାଇ ସ୍ବାଗତ କରେ।
କିଏ ତାଙ୍କୁ ସିଷ୍ଟର ଡାକେ ତ ଆଉ କିଏ ନର୍ସ । ହସ୍ପିଟାଲରେ ଯଦି ରୋଗୀଙ୍କ ନିକଟତର ହୋଇପାରେ ତେବେ ସେ ହେଉଛି ଜଣେ ନର୍ସ । ମେଡିସିନ ଠାରୁ ଡାକ୍ତରଙ୍କ ପରାମର୍ଶ ପର୍ଯ୍ୟନ୍ତ ସେମାନେ ନିଜକୁ ପ୍ରତିଟି ସେବାରେ ନିୟୋଜିତ କରିଥାନ୍ତି । ଆଜି ହେଉଛି ସେହି ନର୍ସ ମାନଙ୍କ ପାଇଁ ଦିନଟିଏ । କୋଭିଡର ଏପରି ପରିସ୍ଥିତି ବିଶ୍ବର ବିଭିନ୍ନ କୋଣରେ ଆଜି ପାଳନ ହେଉଛି ବିଶ୍ବ ନର୍ସ ଦିବସ । 2020 ପାଇଁ ଏହା ଥିମ ରହିଛି 'ବିଶ୍ବ ସ୍ବାସ୍ଥ୍ୟ ପାଇଁ ନର୍ସିଂ' । ଯାହା ନର୍ସ ଓ ସାଧାରଣ ନାଗିରକଙ୍କ ମଧ୍ୟରେ ଅନ୍ତରାଷ୍ଟ୍ରୀୟ ନର୍ସ ଦିବସ ପାଳନ କରିବାକୁ ପ୍ରତ୍ସୋହିତ କରିବ ।
ସାରା ବିଶ୍ବ ପାଇଁ ମହାବିପତ୍ତି ଆଣି ଦେଇଛି ମହାମାରୀ କୋରୋନା । ବିଶ୍ବ ବ୍ୟାପି ଖୋଲାଇଛି ମୃତ୍ୟୁର ବନ୍ୟା । ହେଲେ ସବୁ ବିପତ୍ତି ଓ ବିପଦକୁ ମୁଣ୍ଡାଇ ନେଇଛନ୍ତି ମେଡିକାଲ କର୍ମଚାରୀ । ବିଶ୍ବକୁ ସୁରକ୍ଷିତ ରଖିବାକୁ ଯାଇ ନିଜକୁ ବାଜିରେ ଲଗାଇନ୍ତି ଏମାନେ । ଆଉ ସାଜିଛନ୍ତି କୋରୋନା ଯୋଦ୍ଧା । ଏହି ମେଡିକାଲ ଷ୍ଟାପଙ୍କ ମଧ୍ୟରୁ ନର୍ସ କର୍ମଚାରୀ ବି ହେଉଛି କୋଭିଡ-19ର ଫ୍ରଣ୍ଟଲାଇନର ।