ନୂଆଦିଲ୍ଲୀ:ମାରାତ୍ମକ କୋରୋନା କାଳରେ ନିଜ ଜୀବନକୁ ପାଣି ଛଡାଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଉଥିବା ଡାକ୍ତରମାନଙ୍କୁ ମିଳୁନାହିଁ ପାରିଶ୍ରମିକ । ମାସ ମାସ ଧରି ରାଜଧାନୀରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପାରିଶ୍ରମିକ ନମିଳିବାରୁ ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ ବୋଲି କହିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ । ଏହି ଘଟଣାରେ ରାଜନୀତି କରିବା ଉଚିତ ନୁହେଁ ବୋଲି ସେ ମତ ରଖିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ ଗତ କିଛି ମାସ ଧରି କୋରୋନା ଯୋଦ୍ଧା ସାଜିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପାରିଶ୍ରମିକ ଦିଆଯାଉନାହିଁ । ଏ ନେଇ ଦିଲ୍ଲୀ ମୁନିସିପାଲ କର୍ପୋରେସନ ଅଧିନରେ ଥିବା ହସ୍ପିଟାଲ ଓ ହିନ୍ଦୁ ରାଓ ହସ୍ପିଟାଲର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଅଭିଯୋଗ କରି ଧାରଣାରେ ବସିଛନ୍ତି । ଏ ସଂପର୍କରେ ମତ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ କହିଛନ୍ତି," ଏହା ଅତ୍ୟନ୍ତ ଲଜ୍ଜାଜନକ ପ୍ରସଙ୍ଗ । ଏହି ଘଟଣାରେ ରାଜନୀତି କରିବା ଆଦୌ ସାପେକ୍ଷ ଯୋଗ୍ୟ ନୁହେଁ " ବୋଲି କହି ସେ ଅସନ୍ତୋଷ ପ୍ରକାଶ କରି ସ୍ବାସ୍ଥ୍ୟକର୍ମୀଙ୍କ ଦରମା ଦେବାକୁ ଅର୍ଥର ଅଭାବ ସଂପର୍କରେ ଦିଲ୍ଲୀ ମୁନିସିପାଲ କର୍ପୋରେସନକୁ ପ୍ରଶ୍ନ କରିଛନ୍ତି ।