ହାଇଦ୍ରାବାଦ: ଶହୀଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ମୃତଦେହ ଆଜି (ବୁଧବାର) ହାଇଦ୍ରାବାଦରେ ପହଞ୍ଚିବ। ଅପରାହ୍ନ 4 ଟାରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହେବ । ସେପଟେ ଶହୀଦ କର୍ଣ୍ଣେଲଙ୍କ ପତ୍ନୀ ଏବଂ ପିଲାମାନେ ଦିଲ୍ଲୀରୁ ଆସି ହାଇଦ୍ରାବାଦରେ ପହଞ୍ଚିଛନ୍ତି।
ଶହୀଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପିତା ବି ଉପେନ୍ଦର କହିଛନ୍ତି ଯେ, ସନ୍ତୋଷଙ୍କୁ ମାତ୍ର 37 ବର୍ଷ ହୋଇଥିଲା ଏବଂ ତାଙ୍କ ସାମ୍ନାରେ ଏକ ଲମ୍ବା ଭବିଷ୍ୟତ ଥିଲା। ମୁଁ ଜଣେ ପିତା ଭାବରେ ବହୁତ ଦୁଃଖିତ, କିନ୍ତୁ ଜଣେ ଭାରତୀୟ ନାଗରିକ ଏବଂ ସାମରିକ ପରିବାରର ଅଂଶ ହୋଇ ମୁଁ ମୋ ପୁଅ ପାଇଁ ଗର୍ବିତ। ଶହୀଦ କର୍ଣ୍ଣେଲ ବାବୁ ସବୁବେଳେ କାଉଣ୍ଟରସିଙ୍ଗେର୍ସ ରୁ ନେଇ ଅନ୍ୟ ପୋଷ୍ଟିଂ ପର୍ଯ୍ୟନ୍ତ ସବୁବେଳେ ଫିଲ୍ଡ ଚାକିରିରେ କରିଥିଲେ ।
ଏଥି ସହ ଶହୀଦ କର୍ଣ୍ଣେଲଙ୍କ ମା ମଞ୍ଜୁଳା କହିଛନ୍ତି ଯେ, 'ମୋ ବୋହୂ ଦିଲ୍ଲୀରେ ରୁହନ୍ତି। ସେ ମୋତେ ଦ୍ବିପହର ପ୍ରାୟ 2ଟା ଡାକି କହିଥିଲେ ଯେ ସନ୍ତୋଷ ବାବୁ ଆଉ ନାହାଁନ୍ତି। ମୁଁ ମୋ ପୁଅର ଶହୀଦ ହେବା ନେଇ ଗର୍ବିତ, କାରଣ ସେ ଦେଶ ପାଇଁ ବଳିଦାନ ଦେଇଛି। ଏହା ସହ ମାଆ ହିସାବରେ ମୁଁ ଦୁଃଖିତ କାରଣ ସେ ମୋର ଏକମାତ୍ର ପୁଅ ଥିଲା' ।
ସୂଚନାଯୋଗ୍ୟ, ସୋମବାର ରାତିରେ ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତୀୟ ଏବଂ ଚୀନ ଯବାନଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଭାରତୀୟ ସେନାର 20 ଜଣ ସୈନିକ ସହିଦ ହୋଇଛନ୍ତି। 70 ଦଶକ ପରେ ପ୍ରଥମ ଥର ପାଇଁ ଗଲଓ୍ବାନ ଉପତ୍ୟକାରେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଶହୀଦଙ୍କ ମଧ୍ୟରେ 16 ବିହାର ରେଜିମେଣ୍ଟର ଜଣେ ସାହସୀ ଅଧିକାରୀ କର୍ଣ୍ଣେଲ ବି ସନ୍ତୋଷ ବାବୁ ଅଛନ୍ତି।