ଓଡିଶା

odisha

ETV Bharat / bharat

କଂଗ୍ରେସ ସରକାରରେ ବି ହୋଇଛି ସର୍ଜିକାଲ ଷ୍ଟ୍ରାଇକ !

କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ସମୟରେ ମଧ୍ୟ ଭାରତୀୟ ସେନା ଯବାନ ବହୁଥର କରିଛନ୍ତି ସର୍ଜିକାଲ ଷ୍ଟ୍ରାଇକ । କିନ୍ତୁ ସେନାର ବୀରତ୍ବ ଓ ଅପରେସନକୁ ନେଇ ନିର୍ବାଚନ ପାଇଁ ବ୍ୟବହାର କରିନି ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ।

By

Published : May 3, 2019, 11:06 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ରାଷ୍ଟ୍ରବାଦ, ସେନାର ବୀରତ୍ବ ଓ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଜୋରଦାର ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଏଥି ମଧ୍ୟରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଦେଇଛନ୍ତି ବଡ ମନ୍ତବ୍ୟ । କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ସମୟରେ ମଧ୍ୟ ଭାରତୀୟ ସେନା ଯବାନ ବହୁତ ଥର କରିଛନ୍ତି ସର୍ଜିକାଲ ଷ୍ଟ୍ରାଇକ । କିନ୍ତୁ କେବେ ମଧ୍ୟ ସେନାର ବୀରତ୍ବ ଓ ଅପରେସନକୁ ନେଇ ନିର୍ବାଚନ ଓ ଭୋଟ ପାଇଁ ବ୍ୟବହାର କରି ନାହିଁ ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ।

ବିଗତ ୭୦ ବର୍ଷରେ ପ୍ରଥମଥର କୌଣସି ସରକାର ସେନାକୁ ଭୋଟ ପାଇଁ ବ୍ୟବହାର କରୁଛନ୍ତି । ପୁଲୱାମା ଆକ୍ରମଣରେ ଆମର ୪୦ ଯବାନ ଶହୀଦ ହୋଇଛନ୍ତି । ଏହା ଆମର ସବୁଠାରୁ ବଡ ବିଫଳତା ଥିଲା । ସିଆରପିଏଫର ବାଟାଲିୟନକୁ ଏୟାରଲିଫ୍ଟ କରିବାର ଦାବି କରାଯାଇଥିଲା କିନ୍ତୁ ସରକାର ଏହାକୁ ଗ୍ରହଣ କରି ନଥିଲେ । ଜମ୍ମୁ କଶ୍ମୀରର ପୋଲିସ ପ୍ରଥମରୁ ଗୁପ୍ତ ସୂଚନା ଯୋଗାଇ ଥିଲେ ଯେ ଆତ୍ମଘାତୀ ଆଇଇଡି ବିସ୍ଫୋରଣ ହୋଇପାରେ । ଏହା ସତ୍ତ୍ବେ ସରକାର ଶୋଇଥିଲେ ବୋଲି କହିଛନ୍ତି ମନମୋହନ ସିଂ ।

ଏହାସହ ସେ କହିଛନ୍ତି ବିଗତ ୫ ବର୍ଷ ଧରି ଆମ ସେନାର ଠିକଣା ଉପରେ କ୍ରମାଗତ ଆକ୍ରମଣ ହୋଇ ଚାଲିଛି । ପଠାନକୋଟ, ଗୁରୁଦାସପୁର, ଯବାନଙ୍କ ଆର୍ମି କ୍ୟାମ୍ପ ସହ ଅମରନାଥ ଯାତ୍ରା ଯାଏ ଆକ୍ରମଣ ହୋଇଛି । ପଠାନକୋଟ ଆକ୍ରମଣ ପରେ ଏହାର ତଦନ୍ତ ପାଇଁ ଆଇଏସଆଇକୁ ଆମନ୍ତ୍ରିତ କରି ମୋଦି ସରକାର ସବୁଠାରୁ ବଡ ଭୁଲ କରିଥିଲେ । ଏହା ଦ୍ବାରା ଆମ ସେନାର ମନୋବଳ ଦୁର୍ବଳ ହୋଇଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଅନ୍ୟପକ୍ଷେ କଂଗ୍ରେସ ମଧ୍ୟ ମନମୋହନ ସିଂଙ୍କ ଦାବିକୁ ସମର୍ଥନ କରିଛି । ଦଳ କହିଛି ଯେ ୟୁପିଏ ସରକାର ବେଳେ ୨୦୦୮ ଜୁନ ୧୯ରେ ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ ଆସାମା ରାଇଫଲର ଗୋର୍ଖା ରେଜିମେଣ୍ଟ ଦ୍ବାରା ପୁଞ୍ଛର ଭାଟାଲ ସେକ୍ଟଟରରେ ହୋଇଥିଲା । ଦ୍ବିତୀୟ ସର୍ଜିକାଲ ଷ୍ଟ୍ରାଇକ ୨୦୧୧ ଅଗଷ୍ଟ ୩୦-ସେପ୍ଟମ୍ବର ୧ରେ ୧୯ ରାଜପୁତ ରେଜିମେଣ୍ଟ ଓ ୨୦ କୁମାଓ ରେଜିମେଣ୍ଟ ଦ୍ବାରା ଶାରଦା ସେକ୍ଟରରେ ହୋଇଥିଲା । ତୃତୀୟ ସର୍ଜିକାଲ ଷ୍ଟ୍ରାଇକ ୨୦୧୩ ଜାନୁଆରୀ ୬ରେ ସାୱାନ ପାତ୍ରା ଚେକ ପୋଷ୍ଟରେ, ଚତୁର୍ଥ ସର୍ଜିକାଲ ଷ୍ଟ୍ରାଇକ ୨୦୧୩ ଜୁଲାଇ ୨୭-୨୮ରେ ନାସାପିର ସେକ୍ଟରରେ, ପଞ୍ଚମ ସର୍ଜିକାଲ ଷ୍ଟ୍ରାଇକ ୨୦୧୩ ଅଗଷ୍ଟ ୬ରେ ନୀଲାମ ଭେଲିରେ ଓ ଷଷ୍ଠ ଓ ଶେଷ ସର୍ଜିକାଲ ଷ୍ଟ୍ରାଇକ ୨୦୧୪ ଜାନୁଆରୀ ୧୪ରେ କରାଯାଇଥିଲା ।

ABOUT THE AUTHOR

...view details