ଡକ୍ଟର ଜିଭିଏସ ମୂର୍ତ୍ତି, ନିର୍ଦ୍ଦେଶକ, ଭାରତୀୟ ଜନସ୍ବାସ୍ଥ୍ୟ ସଂସ୍ଥା, ହାଇଦ୍ରାବାଦ
କୋଭିଡ-19ର ପ୍ରଭାବ ଆମ ସମସ୍ତଙ୍କ ଉପରେ ପଡ଼ୁଛି ଏବଂ ଆମ ଭିତରେ ଅଛନ୍ତି ଲକ୍ଷ ଲକ୍ଷ ମଧୁମେହ ବା ଡାଏବେଟିସ ରୋଗୀ । ଭାରତରେ ପ୍ରାୟ 7 କୋଟି ଡାଏବେଟିସ ପୀଡ଼ିତ ବ୍ୟକ୍ତି ଅଛନ୍ତି । ଯଦି ଭାରତରେ ପ୍ରତି ପରିବାରର ହାରାହାରି ସଦସ୍ୟ ସଂଖ୍ୟା 5 ବୋଲି ଧରି ନିଆଯାଏ, ତେବେ ଏହାର ଅର୍ଥ ଭାରତର 35 କୋଟି ଲୋକ, ପ୍ରତ୍ୟକ୍ଷ ବା ପରୋକ୍ଷ ରୂପରେ ଡାଏବେଟିସ ଦ୍ବାରା ପ୍ରଭାବିତ । ଡାଏବେଟିସକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ କାରଣ ସହିତ ମାନସିକ ଚାପ ଏବଂ ଦୁଶ୍ଚିନ୍ତା ଡାଏବେଟିସ ପୀଡ଼ିତ ରୋଗୀ ଓ ସେମାନଙ୍କ ପରିବାରକୁ ଅସୁବିଧାରେ ପକାଇପାରେ ।
ଡାଏବେଟିସ ରୋଗୀମାନେ କୋରୋନା ଭାଇରସ ଦ୍ବାରା ସଂକ୍ରମିତ ହେବାର ସମ୍ଭାବନା, ଦେଶର ଅନ୍ୟ ଯେକୌଣସି ବ୍ୟକ୍ତିଙ୍କ ସହ ସମାନ । କିନ୍ତୁ ଡାଏବେଟିସ ପୀଡ଼ିତ ବ୍ୟକ୍ତି କୋଭିଡ-19ରେ ପୀଡ଼ିତ ହେଲେ ଡାଏବେଟିସ ନଥିବା ଲୋକଙ୍କ ତୁଳନାରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାର ଆଶଙ୍କା ଅଧିକ । କାରଣ, ଡାଏବେଟିସ ରୋଗୀଙ୍କ ଶରୀରରେ କୋରୋନା ଭାଇରସର ସଂକ୍ରମଣ ଅଧିକ ଗୁରୁତର ଲକ୍ଷଣ ଏବଂ ଜଟିଳ ଅବସ୍ଥା ସୃଷ୍ଟି କରିପାରେ । ଆରମ୍ଭରୁ ଯେଉଁ ସବୁ ଦେଶରେ ଏହି ସର୍ବବ୍ୟାପୀ ମହାମାରୀ ବ୍ୟାପିଥିଲା ସେଠାରେ ଏହା ଲକ୍ଷ୍ୟ କରାଯାଇଛି । ଡାଏବେଟିସ ଥିବା ସବୁ ଲୋକଙ୍କ କ୍ଷେତ୍ରରେ ଗୁରୁତର ଜଟିଳ ଅବସ୍ଥା ସୃଷ୍ଟି ହେବାର ଆଶଙ୍କା ଖୁବ ଅଧିକ ଏବଂ ଡାଏବେଟିସରେ ପୀଡ଼ିତ 60 ବର୍ଷର କିମ୍ବା ଅଧିକ ବୟସର ଲୋକଙ୍କ କ୍ଷେତ୍ରରେ ଏହି ବିପଦ ଆଶଙ୍କା ସର୍ବାଧିକ ।
ଡାଏବେଟିସରେ ପୀଡ଼ିତ ଜଣେ ବ୍ୟକ୍ତି କୋରୋନା ଭାଇରସ ଦ୍ବାରା ସଂକ୍ରମିତ ହେଲେ ତାଙ୍କର ରକ୍ତ ଶର୍କରା ବା ବ୍ଲଡ ସୁଗାର ମାତ୍ରା ପ୍ରଭାବିତ ହୋଇଥାଏ । ଭୂତାଣୁ ସଂକ୍ରମଣ ବିରୋଧରେ ଲଢ଼ିବା ପାଇଁ ସଂକ୍ରମିତ ବ୍ୟକ୍ତିଙ୍କ ଶରୀର ଅଧିକ କ୍ରିୟାଶୀଳ ହେଉଥିବାରୁ, ଏହାର ଫଳସ୍ବରୂପ ବ୍ଲଡ୍ ସୁଗାରର ଉପର ଓ ତଳ ସ୍ତରରେ ଅସ୍ଥିରତା ଦେଖାଦିଏ । ଆମେ ଜାଣୁ ଯେ ଡାଏବେଟିସ ଶରୀରର ସବୁ ଅଙ୍ଗକୁ ପ୍ରଭାବିତ କରେ ଏବଂ ଦୁର୍ବଳ ଶାରୀରିକ ନିୟନ୍ତ୍ରଣ କ୍ଷମତା ଯୋଗୁଁ ଆଖି, ପାଦ, ବୃକକ୍ ଏବଂ ଶରୀରର ଅନ୍ୟ ଅଙ୍ଗରେ ଥିବା ସମସ୍ୟା ବଢ଼ିବାରେ ଲାଗେ । ସୁତରାଂ, ଅନ୍ୟ ସମସ୍ତ ଲୋକଙ୍କ ତୁଳନାରେ, ଡାଏବେଟିସ ପୀଡ଼ିତ ବ୍ୟକ୍ତିମାନେ କୋଭିଡ୍-19 ପ୍ରତିଷେଧକ ସଂପର୍କିତ ପରାମର୍ଶ ପ୍ରତି ଅଧିକ ଧ୍ୟାନ ଦେବା ଏବଂ ଏହାକୁ ମାନି ଚଳିବା ନିଶ୍ଚିତ ରୂପେ ଆବଶ୍ୟକ ।
ଲକଡାଉନ ଯୋଗୁଁ ଡାଏବେଟିସ ପୀଡ଼ିତ ବ୍ୟକ୍ତିମାନେ ସାଧାରଣ ଦିନରେ ସେମାନେ ସ୍ବାଭାବିକ ଭାବେ କରୁଥିବା ନିତିଦିନିଆ ଚଲାବୁଲା ଏବଂ ବ୍ୟାୟାମ କରିପାରୁନାହାନ୍ତି । ନିକଟସ୍ଥ ତେଜରାତି ଦୋକାନରେ ଯାହା କିଛି ମିଳୁଛି, ସେଇଥିରେ ହିଁ ଚଳିବାକୁ ପଡୁଥିବାରୁ ଭୋଜନ ଉପରେ ନିୟନ୍ତ୍ରଣ ରଖିବା କଷ୍ଟକର ହୋଇପଡ଼ିଛି । ଡାଏବେଟିସ ସଂପର୍କିତ ଶାରୀରିକ ସ୍ଥିତି ପରିଚାଳନା ପାଇଁ ଡାଏବେଟିସ ପୀଡ଼ିତ ବ୍ୟକ୍ତିମାନେ ଅନ୍ୟାନ୍ୟ ଉପଚାର ସହିତ ଦୈନନ୍ଦିନ ଔଷଧ ସେବନ ଉପରେ ନିର୍ଭର କରନ୍ତି । ସେମାନେ ଗଚ୍ଛିତ ରଖିଥିବା ଔଷଧ ଶେଷ ହେବାକୁ ଯାଉଛି ଏବଂ ସେଇ ସମାନ ବ୍ରାଣ୍ଡର ଔଷଧ ସ୍ଥାନୀୟ ଔଷଧ ଦୋକାନରେ ମିଳୁଛି କି ନାହିଁ ବୋଲି ସେମାନଙ୍କ ଚିନ୍ତା ବଢ଼ିଯାଇପାରେ ।
ଡାଏବେଟିସ ପୀଡ଼ିତ ବ୍ୟକ୍ତିମାନେ କ’ଣ କରିବା ଉଚିତ ?
‘ଘରେ ରୁହନ୍ତୁ’ ନୀତିକୁ କଠୋର ଭାବରେ ପାଳନ କରନ୍ତୁ । ଅନ୍ୟମାନଙ୍କଠାରୁ 1-2 ମିଟର ଶାରୀରିକ ଦୂରତା ବଜାୟ ରଖିବା ନିୟମ ପାଳନ କରନ୍ତୁ ଏବଂ ଆପଣଙ୍କୁ ଦେଖା କରିବାକୁ ଆସୁଥିବା ବ୍ୟକ୍ତିମାନେ ଯେପରି ଏହି ନିରାପଦ ଦୂରତା ବଜାୟ ରଖନ୍ତି ତାହା ଦେଖି ନିଅନ୍ତୁ । ଏମିତି କି ଔଷଧପତ୍ର କିମ୍ବା ତେଜରାତି ଜିନିଷ ଆଣିବା ଲାଗି ଘରର ଅନ୍ୟ କେହି ସଦସ୍ୟ କିମ୍ବା ପଡ଼ୋଶୀ କିମ୍ବା ସୁରକ୍ଷା କର୍ମୀ ଯିବା ହିଁ ଭଲ ।
ନିଶ୍ଚିତ କରି ନିଅନ୍ତୁ ଯେ, କେବଳ ଡାଏବେଟିସ ପୀଡ଼ିତ ବ୍ୟକ୍ତି ନୁହଁନ୍ତି, ବରଂ ଘରର ସମସ୍ତ ଲୋକ ବାରମ୍ବାର ସାବୁନ ଓ ପାଣିରେ ହାତ ଧୋଇବାର ସ୍ବାସ୍ଥ୍ୟରକ୍ଷା ନୀତି ଅନୁସରଣ କରୁଛନ୍ତି ।
ପୂର୍ବରୁ ସେବନ କରୁଥିବା ସମସ୍ତ ଔଷଧପତ୍ର ସେବନକୁ ନିଶ୍ଚିତ ଭାବରେ ଅବ୍ୟାହତ ରଖନ୍ତୁ । ପରିବର୍ତ୍ତିତ ପରିସ୍ଥିତି ଯୋଗୁଁ କୌଣସି ଔଷଧ ସେବନ ବନ୍ଦ କରନ୍ତୁ ନାହିଁ କି ନିଜେ ନିଜେ ନିର୍ଦ୍ଧାରିତ ମାତ୍ରା କମ କରନ୍ତୁ ନାହିଁ । ଯଦି ଆପଣ ରକ୍ତଚାପ ହ୍ରାସ କରିବା ଲାଗି କୌଣସି ଔଷଧ ବା ଆସ୍ପିରିନ ଇତ୍ୟାଦି ସେବନ କରୁଛନ୍ତି, ତେବେ ସେଗୁଡ଼ିକୁ ପୂର୍ବଭଳି ସେଇ ସମାନ ମାତ୍ରାରେ ସେବନ କରିବା ଅବ୍ୟାହତ ରଖନ୍ତୁ ।