ଚେନ୍ନାଇ: ଚୋର ସନ୍ଦେହରେ ଗ୍ରାମବାସୀଙ୍କ ନିସ୍ତୁକ ମାଡରେ ସନ୍ଦିଗ୍ଧ ଯୁବକଙ୍କ ମୃତ୍ୟୁ । ତାମିଲନାଡୁ ତ୍ରିଚି ସହରର ଜୀୟାପୁରମ ଅଞ୍ଚଳରେ ଏଭଳ ନୃଶଂସ କାଣ୍ଡ ଘଟିଛି । ଏହି ଆକ୍ରମଣରେ ଆଉ ଏକ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକଙ୍କୁ ମହାତ୍ମା ଗାନ୍ଧି ମେମୋରିଆଲ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣକ କେରଳର 30 ବର୍ଷୀୟ ଦୀପୁର ଏବଂ ଆହତ 25 ବର୍ଷୀୟ ଅରବିନ୍ଦ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନରେ ତ୍ରିଚି ଆଲୁର ଗ୍ରାମରେ ଦୀପୁର ନାମକ ଯୁବକ ତାଲା ଭାଙ୍ଗି ଏକ ଘର ଖୋଲିବାକୁ ଚେଷ୍ଟା କରୁଥିଲେ ଏବଂ ଯୁବକଙ୍କ ସହ ତାଙ୍କ ସହଯୋଗୀ ଅରବିନ୍ଦ ମଧ୍ୟ ଉପସ୍ଥିତ ଥିଲେ । ତେବେ ସେମାନେ ଚୋରି କରିବାକୁ ଉଦ୍ୟମ କରୁଥିବା ଭାବି ସେଠାକାର ଗ୍ରାମବାସୀ ତାଙ୍କୁ ବିରୋଧ କରି ଏକ ରଶିରେ ବାନ୍ଧି ନିସ୍ତୁକ ମାଡ ଦେଇଥିଲେ । ଫଳରେ ସମ୍ପୃକ୍ତ ଯୁବକ ଓ ତାଙ୍କର ସହଯୋଗୀ ଗୁରୁତର ଆହତ ହୋଇଥିଲେ ।