ଆନନ୍ଦପୁର: ଅଧାପନ୍ତରିଆ ହୋଇ ଦୀର୍ଘ ୧୫ ବର୍ଷ ଧରି ପଡି ରହିଥିଲା ପୋଲ । ୩ଟି ପଞ୍ଚାୟତର ଲୋକମାନେ ଯାତାୟତ ପାଇଁ ନାନାଦି ହଇରାଣ ହରକତ ହେଉଥିଲେ । ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନେତା କେହି ଶୁଣୁ ନଥିଲେ । ଶେଷରେ ଚାକିରିରୁ ଅବସର ପରେ ପେନସନ୍ ଟଙ୍କାରେ ପୋଲ ସମ୍ପୂର୍ଣ୍ଣ କରିବାକୁ ମନସ୍ଥ କରିଥିଲେ କାନପୁରର ଗଙ୍ଗାଧର ରାଉତ । ଏବେ ତାଙ୍କ ଏହି ସମାଜସେବା ମନୋଭାବ ସମଗ୍ର ଅଞ୍ଚଳରେ ଚର୍ଚ୍ଚିତ ।
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର କାନପୁର ଗାଁ ଲୋକମାନଙ୍କର ଦୀର୍ଘ ଦିନର ସ୍ବପ୍ନ ଏବେ ପୂରଣ ହୋଇଛି । ସାଳନ୍ଦୀ ନଦୀ ଉପରେ ଥିବା ଅସମ୍ପୁର୍ଣ୍ଣ ପୋଲ ଗାଁର ଗଙ୍ଗାଧର ରାଉତଙ୍କ ପ୍ରଚେଷ୍ଟାରେ ଏବେ ସମ୍ପୂର୍ଣ୍ଣ ହୋଇଛି । ପ୍ରାଣୀଧନ ନିରୀକ୍ଷକ ଭାବେ ଅବସର ଗ୍ରହଣ କରିବା ପରେ ଗଙ୍ଗାଧର ନିଜ ପେନସନ୍ ଟଙ୍କାରେ ଅସମ୍ପୁର୍ଣ୍ଣ ପୋଲକୁ ପୁରା କରିବାକୁ ପଦକ୍ଷେପ ନେଇଥିଲେ । ଏବେ ତାହା ବାସ୍ତବ ହୋଇଛି । ସାଳନ୍ଦୀ ନଦୀର ଅପର ପାର୍ଶ୍ବରେ ଲୋକଙ୍କର ତୋଟାବାଡି ସହ ଧାନ ଜମି ଆଦି ରହିଥିଲା । ଏଥିସହ ଏହି ପୋଲ ଦ୍ବାରା ସୋସୋ, ପଢିଆରୀପଲ୍ଲୀ, ବାଲିବରେଇ ପଞ୍ଚାୟତର ଲୋକମାନେ ଉପକୃତ ହୋଇଛନ୍ତି ।