ଅହମ୍ମଦାବାଦ: କୋରୋନା ସଂକ୍ରମଣକୁ ରୋକିବାକୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇ ଥିବାବେଳେ ଏଥିରେ ଖିଲାପକାରୀଙ୍କ ବିରୋଧରେ ଗୁଜୁରାଟ ହାଇକୋର୍ଟ ଶୁଣାଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ । ବୁଧବାର ଗୁଜୁରାଟ ହାଇକୋର୍ଟ, କୋଭିଡ ନିୟମ ଉଂଲ୍ଲଘନ କରୁଥିବା ବ୍ୟକ୍ତିଙ୍କୁ କୋଭିଡ ସେଣ୍ଟରରେ ରହି ସେବା କରିବାକୁ ବାଧ୍ୟତାମୂଳକ କରିଛନ୍ତି । ଏହି ରାୟକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ଗୁଜୁରାଟ ହାଇକୋର୍ଟ ।
ଏନେଇ ମୁଖ୍ୟ ବିଚାରପତି ବିକ୍ରମ ନାଥ ଏବଂ ଜଷ୍ଟିସ ଜେ.ବି ପାରଦୀୱାଲାଙ୍କ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ, ମାସ୍କ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କୁ କୋଭିଡ କେନ୍ଦ୍ରଗୁଡିକରେ ଥିବା ଲୋକଙ୍କ ଯତ୍ନ ନେବାକୁ ହେବ । ଦିନକୁ ଅତିକମରେ 6 ଘଣ୍ଟା ଓ ସର୍ବାଧିକ 8 ଘଣ୍ଟା ସେଠାରେ ରହି ସେବା କରିବାକୁ ପଡିବ । ଏହାସହ ରାଜ୍ୟ ସରକାର ଚାହିଁଲେ ଏହି ଅବଧିକୁ 5ରୁ 15 ଦିନକୁ ବୃଦ୍ଧି କରିପାରିବେ ବୋଲି କୋର୍ଟ ନିଜ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ।
ବିନା କୌଣସି ଭେଦଭାବରେ ସମସ୍ତ ଉଂଲ୍ଲଘନକାରୀଙ୍କ ପାଇଁ ନିୟମକୁ ସମାନ କରାଯିବ । ଉଂଲ୍ଲଘନକାରୀ କୋଭିଡ କେନ୍ଦ୍ରରେ ଅଣଚିକିତ୍ସା ସେବା ଯେପରିକି, ସଫେଇ କାର୍ଯ୍ୟ, ଗୃହରକ୍ଷୀ, ଖାଦ୍ୟ ରାନ୍ଧିବା , ପରିବେଷଣରେ ସହାୟତା, ରେକର୍ଡ ପ୍ରସ୍ତୁତି, ଡାଟା ଫିଡିଂ ଇତ୍ୟାଦି କାର୍ଯ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।
ଉଲ୍ଲଂଘନକାରୀଙ୍କ ବୟସ, ଯୋଗ୍ୟତା, ଲିଙ୍ଗ ଏବଂ ସ୍ବାସ୍ଥ୍ୟ ସ୍ଥିତିକୁ ବିଚାର କରି କର୍ତ୍ତୃପକ୍ଷଙ୍କ ଦ୍ବାରା ଦିଆଯାଇଥିବା କାର୍ଯ୍ୟକୁ ଉପଯୁକ୍ତ ଭାବରେ ପାଳନ କରିବା ନେଇ କୋର୍ଟ କହିଛନ୍ତି।