ଓଡିଶା

odisha

ETV Bharat / bharat

କାଶ୍ମୀର ଉପତ୍ୟକାର 11 ହଜାର ଫୁଟ ଉଚ୍ଚରେ ମହାଶିବରାତ୍ରୀ - ହିନ୍ଦୁ ତୀର୍ଥଯାତ୍ରୀ

ଜବରୱାନ୍‌ ପାର୍ବତ୍ୟ ଉପତ୍ୟକାର ଶିବ ମନ୍ଦିର ସାରା ବିଶ୍ବର ପର୍ଯ୍ୟଟକ ଏବଂ ହିନ୍ଦୁ ତୀର୍ଥଯାତ୍ରୀଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ସ୍ଥଳୀରେ ପରିଣତ ହୋଇଛି । ମହାଶିବରାତ୍ରୀ କିମ୍ବା କାଶ୍ମୀର ପଣ୍ଡିତମାନଙ୍କ ଭାଷାରେ ହେରାଥ ରାତିରେ ମନ୍ଦିରରେ ଭଗବାନ ଶିବଙ୍କର ବହୁ ଅନୁଗାମୀ ଓ ଭକ୍ତଙ୍କ ଭିଡ଼ ଜମେ । ଅଧିକ ପଢନ୍ତୁ...

କାଶ୍ମୀର ଉପତ୍ୟକାର 11,000 ଫୁଟ ଉଚ୍ଚରେ ମହାଶିବରାତ୍ରୀ
କାଶ୍ମୀର ଉପତ୍ୟକାର 11,000 ଫୁଟ ଉଚ୍ଚରେ ମହାଶିବରାତ୍ରୀ

By

Published : Feb 21, 2020, 9:44 PM IST

ପ୍ରକୃତିର ମନୋହର ଦୃଶ୍ୟ ରାଜିରେ ଭରପୂର ଶ୍ରୀନଗର ଆଡ଼କୁ ମୁହଁ କରି ଉପତ୍ୟକା ଚଟାଣରୁ ପ୍ରାୟ 11,000 ଫୁଟ ଉପରେ ରହିଛି ଭଗବାନ ଶିବଙ୍କର ଏକ ମନ୍ଦିର, ଯାହାକି ପ୍ରାୟ ଦଶ ଶତାବ୍ଦୀ ତଳେ କାଶ୍ମୀର ପରିଦର୍ଶନ କରିଥିବା ଦାର୍ଶନିକ ଶଙ୍କରାଚାର୍ଯ୍ୟଙ୍କ ନାମରେ ନାମିତ ହୋଇଥିଲା । ଶୁକ୍ରବାର ଜବରୱାନ ପାର୍ବତ୍ୟ ଉପତ୍ୟକାର ସେହି ଶିବ ମନ୍ଦିର, ସାରା ବିଶ୍ବର ପର୍ଯ୍ୟଟକ ଏବଂ ହିନ୍ଦୁ ତୀର୍ଥଯାତ୍ରୀଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ସ୍ଥଳୀରେ ପରିଣତ ହୋଇଛି । ମହାଶିବରାତ୍ରୀ କିମ୍ବା କାଶ୍ମୀର ପଣ୍ଡିତମାନଙ୍କ ଭାଷାରେ, ହେରାଥ ରାତିରେ, ମନ୍ଦିରରେ ଭଗବାନ ଶିବଙ୍କର ବହୁ ଅନୁଗାମୀ ଓ ଭକ୍ତଙ୍କ ଭିଡ଼ ଜମେ ।

କାଶ୍ମୀର ଉପତ୍ୟକାର 11,000 ଫୁଟ ଉଚ୍ଚରେ ମହାଶିବରାତ୍ରୀ

ହେରାଥ ଅବସରରେ ଭଗବାନ ଶିବଙ୍କ ପ୍ରସ୍ତର ମୂର୍ତ୍ତି ଦର୍ଶନ ନିମନ୍ତେ କେବଳ ଜାମ୍ମୁ ଓ କାଶ୍ମୀର କିମ୍ବା ଭାରତର ଅନ୍ୟ ଭାଗରୁ ନୁହେଁ, ବରଂ ବିଶ୍ବର କୋଣ ଅନୁକୋଣରୁ ବହୁସଂଖ୍ୟକ ଯାତ୍ରୀ ଦୂରପଥ ଅତିକ୍ରମ କରି ଏଠାକୁ ଆସନ୍ତି ।

ସେମାନଙ୍କର ବିଶ୍ବାସ ଯେ, ଶିବ ବା ଭୋଲେନାଥ କାହାରିକୁ ନିରାଶ କରନ୍ତି ନାହିଁ ସିନା, ହେଲେ ଶୁଦ୍ଧ ଚିତ୍ତରେ ଏବଂ ଆନ୍ତରିକତାର ସହ ପ୍ରାର୍ଥନା କରିବା ଦରକାର । ଅନ୍ଧକାର ଏବଂ ଅଜ୍ଞାନତାରୁ ସାରା ବିଶ୍ବର ମୁକ୍ତି କାମନା କରି ଏହି ଦିନ, ଭଗବାନ ଶିବଙ୍କ ଅନୁଗାମୀଗଣ ପ୍ରାର୍ଥନା, ଉପବାସ ଏବଂ ଜପତପ କରି ସାରା ରାତି ବିତାଇ ଦିଅନ୍ତି । ହେଲେ, ଏଥର ସେମାନେ ଏ ଅଞ୍ଚଳରେ ଶାନ୍ତି ସ୍ଥାପନ ଲାଗି ବି ପ୍ରାର୍ଥନା କରିଥିଲେ । ଜାମ୍ମୁରୁ ଆସିଥିବା ରେଣୁକା ଗୁପ୍ତା ଇଟିଭି ଭାରତକୁ କହିଲେ, “ମୁଁ ମୋ ପରିବାର ସହିତ ଆସିଥିଲି । ସମସ୍ତଙ୍କ ପାଇଁ ଆମେ ପୂଜା (ପ୍ରାର୍ଥନା) କଲୁ ।

ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଉଚ୍ଛେଦ ହେବା ପରଠାରୁ ଜାମ୍ମୁ ଓ କାଶ୍ମୀର ଦୁଃସମୟ ଦେଇ ଗତି କରୁଛି । ଆମେ ଏ ଅଞ୍ଚଳରେ ଶାନ୍ତି ଓ ଏକତା ଲାଗି ପ୍ରାର୍ଥନା କଲୁ ।” ନେପାଳରୁ ଆସିଥିବା ଅନ୍ୟ ଜଣେ ଭକ୍ତ କହିଲେ: ଆମେ ବସ୍‌ରେ, ଜୀପ୍‌ରେ, ଟ୍ରେନ୍‌ରେ ଏବଂ ତା’ପରେ ଟାଭେରାରେ ଆସି ଏଠାରେ ପହଞ୍ଚିଲୁ । ଭୋଲେ ନାଥ ସବୁ ଦୂଃଖ ଦୂର କରିପାରିବେ । ପ୍ରଗାଢ଼ ବିଶ୍ବାସ ଓ ଆଶା ନେଇ ଆମେ ଏଠାକୁ ଆସିଛୁ ।

ଆମର ଦୃଢ଼ ବିଶ୍ବାସ ରହିଛି ଯେ, ସାରା ବିଶ୍ବାରେ ଶାନ୍ତି ପ୍ରତିଷ୍ଠା ସମେତ ଆମର ସବୁ ପ୍ରାର୍ଥନା ସଫଳକାମ ହେବ । ଏକତାର ଏକ ଉଦାହରଣ ଐତିହାସିକମାନଙ୍କ ମତରେ, ଏହି ମନ୍ଦିର ଏକ ଅଷ୍ଟଭୁଜାକାର ମୂଳଦୁଆ ଉପରେ ନିର୍ମିତ ହୋଇଥିଲା ଏବଂ ଏଠାକୁ ଯିବା ପାଇଁ ଅନେକ ପାହାଚ ରହିଛି । ପ୍ରଥମେ ରାଜା ସନ୍ଦିମାନ୍‌ଙ୍କ ଦ୍ବାରା ଏହାର ନିର୍ମାଣ କରାଯାଇଥିଲା ଏବଂ ପରେ ପ୍ରାୟ ଖ୍ରୀଷ୍ଟପୂର୍ବ 1368ରେ ରାଜା ଗୋପାଦିତ୍ୟ ଏହାର ମରାମତି କରିଥିଲେ ।

ଭୂମିକମ୍ପରେ ଖସିପଡ଼ିଥିବା ମନ୍ଦିର ଛାତକୁ କାଶ୍ମୀରର ମୁସଲମାନ ରାଜା ଜେନ୍‌ ଉଲ ଆବଦିନ୍‌ ମଧ୍ୟ ମରାମତି କରିଥିଲେ । ପରେ, 1844 ମସିହାରେ ଶିଖ୍‌ ରାଜ୍ୟପାଳ ଶେଖ୍‌ ଗୁଲାମ ମୋଇ ଉଦ୍‌ ଦିନ୍‌ ମନ୍ଦିର ସୌଧର ପୁନରୁଦ୍ଧାର କରିଥିଲେ । ବିଶ୍ବ ପ୍ରସିଦ୍ଧ ଡାଲ୍‌ ହ୍ରଦର ପୂର୍ବରେ ରହିଛି ଶଙ୍କରାଚାର୍ଯ୍ୟ ମନ୍ଦିର ଏବଂ ପଶ୍ଚିମରେ ରହିଛି ଦୁରାନି ଯୁଗରେ ନିର୍ମିତ ହରିପର୍ବତ ଦୁର୍ଗ । ମନ୍ଦିରର ମୁହଁ ରହିଛି ହରି ପର୍ବତ ଆଡ଼କୁ, ଯାହାର ଆଉ ଏକ ନାଁ କୁହ୍‌ ଏ ମାରାନ୍‌ ଏବଂ ସେଠାରେ ଗୋଟିଏ ମସଜିଦ, ହିନ୍ଦୁ ମନ୍ଦିର ଓ ଗୁରୁଦ୍ବାରା ରହିଛି । ଶିବଙ୍କ ଅନୁଗାମୀମାନେ ଏହାକୁ “ସାଂପ୍ରଦାୟିକ ଏକତାର ଅନନ୍ୟ ଉଦାହରଣ” ବୋଲି କହନ୍ତି । ଯେତେବେଳେ ପୂର୍ବରେ ସୂର୍ଯ୍ୟୋଦୟ ଏବଂ ପଶ୍ଚିମରେ ସୂର୍ଯ୍ୟାସ୍ତ ହୁଏ, ସୂର୍ଯ୍ୟଙ୍କର ସେଇ ଏକା କିରଣକୁ ସମସ୍ତେ ମିଳିମିଶି ଉପଭୋଗ କରନ୍ତି ।

କୌତୁହଳର କଥା ଯେ, ମନ୍ଦିରର 250ରୁ ଅଧିକ ପାହାଚ ଅଛି ଏବଂ ଅର୍ଦ୍ଧ ସାମରିକ ବଳ ଏହାକୁ ଜଗି ରହିଛନ୍ତି । ସୁରକ୍ଷା କାରଣରୁ ମନ୍ଦିରକୁ ବା ମନ୍ଦିର ପରିସର ଭିତରକୁ କାର୍‌, ମୋବାଇଲ୍‌ ଫୋନ୍‌, ଭିଡିଓ ଓ କ୍ୟାମେରା ନେବା ନିଷେଧ କରାଯାଇଛି ।

ଜୁଲକରନୈନ ଜୁଲ୍‌ଫି, ଶ୍ରୀନଗର

ABOUT THE AUTHOR

...view details