ଓଡିଶା

odisha

ଚାଣକ୍ୟଙ୍କ ଚକ୍ରବ୍ୟୁହରେ ମହାରାଷ୍ଟ୍ର ରାଜନୀତି !

By

Published : Nov 23, 2019, 9:31 PM IST

ମହାରାଷ୍ଟ୍ର ମହାଭାରତକୁ ନେଇ ଆରମ୍ଭ ହୋଇଛି ଭାରତୀୟ ରାଜନୀତିର ସବୁଠୁ ବଡ ଗୋଟି ଚାଳନା । ଗୋଟିଏ ପଟେ ବିଜେପି ଚାଣକ୍ୟ ଅମିତ ଶାହା ଥିବା ବେଳେ ଅନ୍ୟପଟେ ଅଛନ୍ତି ମରାଠୀ ଖେଳାଳି ପାୱାର, ଶିବସେନାଙ୍କ ସମେତ କଂଗ୍ରେସର ସବୁ ବଡହସ୍ତୀ । ମହାରାଷ୍ଟ୍ର କ୍ଷମତାର ଏହି ଯୁଦ୍ଧର ଅନ୍ତକୁ ସାରା ଦେଶ ଅପେକ୍ଷା କରିଥିବା ବେଳେ ଅମିତ ଶାହାଙ୍କ ରଣନୀତି ମଧ୍ୟ ଲାଗିଛି ବାଜିରେ ।

ଚାଣକ୍ୟଙ୍କ ଚକ୍ରବ୍ୟୁହ

ହାଇଦ୍ରାବାଦ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳକୁ ରବିବାର ଏକ ମାସ ପୁରିବ । ନିୟମ କହୁଛି ବିଧାନସଭା କାର୍ଯ୍ୟକାଳ ପୂରିବା ପୂର୍ବରୁ ନୂତନ ସରକାର ଶପଥ ଗ୍ରହଣ କରିବା କଥା । ହେଲେ ଭାରତ ରାଜନୀତି ଇତିହାସରେ ପ୍ରଥମ ଥର କୌଣସି ମେଣ୍ଟ ବହୁମତ ପାଇ ମଧ୍ୟ ସରକାର ଗଠନ କରିବା ପରିବର୍ତ୍ତେ କ୍ଷମତା ଅଳନ୍ଦିରେ ଛନ୍ଦି ହୋଇ ନିଜ ନିଜ ଜିଦରେ ଅଟଳ ରହିଲେ । ଫଳରେ ସ୍ଥିତି ଏମିତି ହେଲା ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେଲା ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ସକାଳୁ ନିଦ ଭାଙ୍ଗିଲା ବେଳକୁ ସାରା ଦେଶବାସୀଙ୍କ ପାଇଁ ଥିଲା 2ଟି ଖବର । ହାତରେ ଚା’ କପେ ଧରି ବସିଯାଇଥିଲେ ଲୋକେ ଖବର ଅପଡେଟ ନେବାକୁ । ହେଲେ ଖବର ପଢି ଦ୍ବନ୍ଦ୍ବରେ ପଡିଯାଇଥିଲେ ସମସ୍ତେ । କାରଣ (ମୁଦ୍ରିତ ଗଣମାଧ୍ୟମ)ଖବରକାଗଜରେ ଥିଲା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ହେଲେ ବୈଦ୍ୟୁତିକ ଗଣମାଧ୍ୟମ(ଟେଲିଭିଜନ)ରେ ଚାଲିଥିଲା ବିଜେପି ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ଶପଥ ଗ୍ରହଣ ଉତ୍ସବ । ଯାହାକୁ ନେଇ ଦେଶବାସୀ କିଛି ସମୟ ପାଇଁ ଦ୍ବନ୍ଦ୍ବ ଭିତରକୁ ଚାଲିଯାଇଥିଲେ । ରାତାରାତି ବଦଳିଯାଇଥିଲା ଖବରର ଶିରୋନାମା ।

ହେଲେ କାହିଁକି ଏମିତି ଘଟିଲା ? କଣ ଥିଲା ମହାରାଷ୍ଟ୍ର କ୍ଷମତା ମହାଭାରତର କାହାଣୀ । ଯେତେବେଳେ ବିଜେପି ସରକାର ଗଠନ ପାଇଁ ମନା କରିଦେଲା ଶିବସେନା ସରକାର ଗଠନ ପାଇଁ ସବୁ ଦମ ଲଗାଇ ଦେଲା । ଏନସିପି-କଂଗ୍ରେସ ମେଣ୍ଟକୁ ନେଇ ଆରମ୍ଭ ହେଲା ବୈଠକ ପରେ ବୈଠକ । କେତେବେଳେ ସରକାରରେ ତିନି ଦଳର ଭାଗ ବଣ୍ଟାକୁ ନେଇ ବୈଠକ ତ କେତେବେଳେ ସର୍ବନିମ୍ନ କାର୍ଯ୍ୟକ୍ରମକୁ ନେଇ ଚାଲିଲା ଅଙ୍କକଷା । ଆଉ ତିନିଦଳର ସମସ୍ତ ରଣନୀତି, ବକ୍ତବ୍ୟକୁ ବିଜେପି ଗମ୍ଭୀରତାର ସହ ପରଖୁଥିଲା । ଯାହାର କୌଣସି ଟେର ପାଉନଥିଲେ ଶିବସେନା-ଏନସିପି-କଂଗ୍ରେସ ।


ଭାରତୀୟ ରାଜନୀତିରେ ଚାଣକ୍ୟ ଆଖ୍ୟା ପାଇଥିବା ଅମିତ ଶାହାଙ୍କୁ ମରାଠୀ ରାଜନୀତିର ପୁରୁଖା ଖେଳାଳି ତଥା ଏନସିପି ମୁଖ୍ୟ ଶରଦ ପାୱାର ନଭେମ୍ବର 6ରେ ଦେଇଥିଲେ ଖୋଲା ଆହ୍ବନ । ଅମିତ ଶାହା ମହାରାଷ୍ଟ୍ରରେ କେମିତି ନିଜ ‘ରାଜନୀତି ଗୋଟିଚାଳନାର ଦକ୍ଷତା ଦେଖାଇବେ’ ମୁଁ ତାକୁ ଉତ୍ସୁକତାର ସହ ଅପେକ୍ଷା କରିଛି ବୋଲି ଗଣମାଧ୍ୟମରେ କୁହନ୍ତି ଶରଦ ପାୱାର ।

@nawabmalikncp

ଖାଲି ଶରଦ ନୁହେଁ ଦଳର ବରିଷ୍ଠ ନେତା ନୱାବ ମଲ୍ଲିକ ମଧ୍ୟ ଅମିତ ଶାହାଙ୍କୁ କଟାକ୍ଷ କରି କହିଥିଲେ ଭାରତୀୟ ରଜନୀତିର ତଥାକତିଥ ଚାଣକ୍ୟଙ୍କୁ ପାୱାର ସାହେବ ମାତ ଦେଇଛନ୍ତି । ଶରଦଙ୍କ ଏହି ଆହ୍ବନ ବି ସେତେବେଳେ ଯଥାର୍ଥତା ଥିଲା । ରାଜନୀତି ଅଙ୍କକଷାରେ ଧୂରନ୍ଧର ଅମିତ ଶାହା ମହାରାଷ୍ଟ୍ରରେ କେମିତି ହାତ ବାନ୍ଧି ବସିଗଲେ ବୋଲି ଚର୍ଚ୍ଚା ଆରମ୍ଭ ହେଲା । କାରଣ ଗୋଆ, ମଣିପୁରରେ ବିଜେପିର ଯଥେଷ୍ଟ ସଂଖ୍ୟା ନଥାଇ ମଧ୍ୟ ଅମିତ ଶାହା ଗୋଟି ଚାଳନା କରି କଂଗ୍ରେସକୁ କ୍ଷମତାରୁ ଦୂରେଇ ରଖିବାରେ ସଫଳ ହୋଇଥିଲେ । ଠିକ ସେହିପରି ବିହାର ଓ କର୍ଣ୍ଣାଟକରେ ଦଳକୁ କ୍ଷମତାକୁ ଫେରିଆଣିବାରେ ଚାଣକ୍ୟଙ୍କ ଚକ୍ରବ୍ୟୁହ ସଠିକ ପ୍ରମାଣିତ ହୋଇଛି । ତାହାହେଲେ ମହାରାଷ୍ଟ୍ରରେ ଦଳ ଏକକ ସଂଖ୍ୟା ଗରିଷ୍ଠତା ଥାଇ ସୁଦ୍ଧା କାହିଁକି ଚୁପ ରହିଲେ ଚାଣକ୍ୟ ଅମିତ ଶାହା । ଏହାବି ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହେଲା ଗୋଆ, ମଣିପୁର, କର୍ଣ୍ଣାଟକରେ କ୍ଷମତା ଦଖଲ ପାଇଁ ଯେତେବେଳେ ପୁରା କେନ୍ଦ୍ରୀୟ ନେତା ଲାଗିପଡିଥିଲେ ମହାରାଷ୍ଟ୍ରରେ କାହିଁକି ଦେବେନ୍ଦ୍ର ଫଡନାଭିସଙ୍କୁ ଏକୁଟିଆ ଛାଡିଦିଆଗଲା ?

ଭିଡିଓ ସୌଜନ୍ୟ: ଇଟିଭି ଭାରତ


ଏହାରି ଭିତରେ ଚାଣକ୍ୟ ଆରମ୍ଭ କଲେ ସିକ୍ରେଟ ମିଶନ । ଶିବସେନା ଉପରେ ସର୍ଜିକାଲ ଷ୍ଟ୍ରାଇକ ପାଇଁ ଆରମ୍ଭ ହେଲା ଦିଲ୍ଲୀରେ ‘ମିଶନ ମହାରାଷ୍ଟ୍ର’ । ପୁରା ଯୋଜନାବଦ୍ଧ ଭାବେ ମୋଦି-ଶାହା ଯୋଡି ରଣନୀତି ଆରମ୍ଭ କଲେ । ପ୍ରଥମେ ରାଜ୍ୟସଭାରେ ମୋଦି ଏନସିପିକୁ ଶୃଙ୍ଖଳିତ ଦଳ ବୋଲି ପ୍ରଶଂସା କଲେ । ପରେ ମୋଦି-ଶରଦଙ୍କ ଭେଟଘାଟ ହେଲା । ଆଉ ଠିକ ଶିବସେନା-ଏନସିପି-କଂଗ୍ରେସ ସରକାର ଗଠନ ପ୍ରକ୍ରିୟାକୁ ଶେଷ ସ୍ପର୍ଶ ଦେବା ପୂର୍ବରୁ ଚାଣକ୍ୟ ଗୋଟିଏ ରାତିରେ ବାଜି ଓଲଟାଇ ଦେଲେ । କେହି କିଛି ବୁଝିବା ପୂର୍ବରୁ ଏନସିପିର ବିଧାୟକ ଦଳ ନେତା ଓ କିଛି ବିଧାୟକଙ୍କୁ ନେଇ ଦେବେନ୍ଦ୍ର ଫଡନାଭିସ-ଅଜିତ ପାୱାର ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ।

ମହାରାଷ୍ଟ୍ର ମଭାଭାରତକୁ ନେଇ ବିଜେପି ଚାଣକ୍ୟ ରଚିଥିବା ରଚନାର ପ୍ରଥମ ଦୃଶ୍ୟ ଭାବେ ଦଳୀୟ ମୁଖ୍ୟମନ୍ତ୍ରୀ ଶପଥ ନେଇଛନ୍ତି ସତ, ହେଲେ ଏଇଠୁ ଆରମ୍ଭ ହୋଇଛି ଚାଣକ୍ୟଙ୍କ ପାଇଁ ବିରାଟ ବଡ ଚ୍ୟାଲେଞ୍ଚ । କାରଣ ଯେଉଁ ଅଜିତ ପାୱାରଙ୍କ ପାୱାରରେ ରାତାରାତି ନାଟକକୁ ରୋମାଞ୍ଚିତ ମୋଡକୁ ନେଇଛନ୍ତି ଚାଣକ୍ୟ ଏବେ ସେହି ଅଜିତ ବିଜେପିକୁ ପାୱାର ଯୋଗାଇବେ ତ ? କାହିଁକି ନା ମରାଠୀ ରାଜନୀତିକୁ ଭଲଭାବେ ଜାଣିଥିବା ଭେଟେରାନ ଶରଦ ପାୱାରଙ୍କ ପାଇଁ ଏହା ସମ୍ମାନର ବିଷୟ ପାଲଟିଯାଇଛି । ଯେକୌଣସି ମତେ ନିଜ ବିଧାୟକଙ୍କୁ ଅଟକାଇବାର ସବୁ ଶକ୍ତି ରଖୁଛନ୍ତି ଶରଦ । ଶେଷ ଖବର ସୁଦ୍ଧା ଦଳର ସମସ୍ତ 54 ବିଧାୟକଙ୍କ ମଧ୍ୟରୁ 51 ଜଣ ବିଧାୟକ ଏନସିପି କ୍ୟାମ୍ପକୁ ଫେରିଛନ୍ତି ।


ଏଠି ପ୍ରଶ୍ନ କଣ କରିବେ ଚାଣକ୍ୟ ? କେମିତି କ୍ଷମତା ନାଟକକୁ ଅନ୍ତିମ ଭାଗରେ ପହଞ୍ଚାଇ ସରକାର ବଞ୍ଚାଇବେ ? ଯେ ପର୍ଯ୍ୟନ୍ତ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ବିଜେପି ଦେଇ ନାହିଁ ସେ ପର୍ଯ୍ୟନ୍ତ ଚାଣକ୍ୟଙ୍କ ଚକ୍ରବ୍ୟୁହ ସଠିକ ବୋଲି ପ୍ରମାଣିତ ହେବ ନାହିଁ । ଯଦି ବିଜେପି ସରକାର ବଞ୍ଚାଇବାରେ ସଫଳ ହୁଏ ତେବେ ଅମିତ ଶାହା ପାଲଟିଯିବେ ଶତାଦ୍ଦୀର ଶ୍ରେଷ୍ଠ ରାଜନୈତିକ ଚାଣକ୍ୟ । ଯଦି ବିଫଳ ହୁଅନ୍ତି ଅମିତ ଶାହାଙ୍କ ସବୁ ସଫଳତା ଉପରେ ଲାଗିବ ପ୍ରଶ୍ନ ଚିହ୍ନ ।

ABOUT THE AUTHOR

...view details