ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ନେଇ ବିଜେପି-ଶିବସେନା ବିବାଦ ତୀବ୍ର ହେବାରେ ଲାଗିଛି । ରାଜ୍ୟରେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଚିତ୍ର ସ୍ପଷ୍ଟ ହୋଇନାହିଁ । ରାଜ୍ୟରେ ବିଜେପିର ବହୁମତ ନାହିଁ । ଏପଟେ ମେଣ୍ଟରେ ଫାଟ । 50-50 ଫର୍ମୁଲାକୁ ଜାବୁଡି ଧରିଛି ଶିବସେନା । ଏହାଭିତରେ ବଡ ଖବର ଆସିଛି । ମୁଖ୍ୟମନ୍ତ୍ରୀ ହେବା ପାଇଁ ଫୁଲ କନଫିଡେନ୍ସରେ ଫଡନଭୀସ । ଶପଥ ଗ୍ରହଣ ପାଇଁ ମୁମ୍ବାଇର ୱାଙ୍ଗଡେ ଷ୍ଟାଡିୟମ୍କୁ ନଭେମ୍ବର 5 ତାରିଖ ପାଇଁ ବୁକ୍ କରିଛନ୍ତି ।
ବିଶେଷ ସୂତ୍ରରୁ ଜଣାଯାଇଛି ଯେ, ବିସିସିଆଇ ଠାରୁ ନଭେମ୍ବର 5ରେ ଷ୍ଟାଡିୟମ ବୁକିଂ ପାଇଁ ଅନୁମତି ମିଳିସାରିଛି । ସୂଚନା ଯୋଗ୍ୟ ଯେ, ନଭେମ୍ବର 8ରୁ ୱାଙ୍ଗଡେରେ ମ୍ୟାଚ ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି-ଶିବସେନା ମଧ୍ୟରେ ୫୦-୫୦ ଫର୍ମୁଲାକୁ ନେଇ ସହମତି ଦିଆଯାଇଥିଲା । ଉଭୟ ଦଳ ପାଖରେ ଅଢେଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ପଦ ରହିବା ନେଇ ନିଷ୍ପତ୍ତି ହୋଇଥିଲା । ଚଳିତ ବିଧାନସଭା ନିର୍ବାଚନ ଫଳାଫଳ ପରେ ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ ଆସନ ଜିତିଛି । ଶିବସେନା ୫୬ଟି ଆସନରେ ବିଜୟୀ ହୋଇଥିଲା ।
ଏହାସହ ବିରୋଧୀ କଂଗ୍ରେସକୁ 44 ଓ ତାର ସହଯୋଗୀ ଏନସିପିକୁ 54 ଟି ଆସନରେ ବିଜୟ ମିଳିଛି । ଏବେ ଶିବସେନା ପ୍ରମୁଖ ନିଜ ପୁତ୍ର ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ସମସ୍ତ ବଳ, କୌଶଳ ଜୁଟାଇବାରେ ଲାଗିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଆସନ କେବଳ ବିଜେପିର ବୋଲି କହିଛନ୍ତି ଦେବେନ୍ଦ୍ର ଫଡନଭୀସ ।