ଓଡିଶା

odisha

ଶେଷ ପର୍ଯ୍ୟାୟରେ ମହାରାଷ୍ଟ୍ର ମହାଡ୍ରାମା, ସଂଘ ମୁଖ୍ୟଙ୍କ ନିଷ୍ପତି ମାନିବେ ବିଜେପି-ଶିବସେନା !

By

Published : Nov 6, 2019, 12:09 PM IST

ମହାରାଷ୍ଟ୍ର ରାଜନୀତି ଅନ୍ତିମ ଅଧ୍ୟାୟରେ ପହଞ୍ଚିଛି । ଆଜି କିମ୍ବା ଆସନ୍ତାକାଲି ଶେଷ ହେବ ମହାରାଷ୍ଟ୍ରର ମହାଭାରତ । ଶେଷ ଦୃଶ୍ୟରେ କଣ ଦୃଶ୍ୟମାନ ହେବ ତାହା ଏବେ ବି ରହସ୍ୟମୟ ।

ଡିଜାଇନ ଫଟୋ

ମୁମ୍ବାଇ: ବିଜେପି-ଶିବସେନା ମିଳିତ ଭାବେ 5 ବର୍ଷ ଶାସନ କଲେ । ଶାସନର ଅବଧି ଶେଷ ହେଲା । ପୁଣିଥରେ ନିର୍ବାଚନ ବିଗୁଲ ବାଜିଲା । ଆଉ ଏକାଠି ନିର୍ବାଚନ ଲଢିବା ପାଇଁ ନିଷ୍ପତି ନେଲେ । ଚୁକ୍ତି ଥିଲା ମିଳିତ ଭାବେ ସରକାର ଗଠନ କରିବା । ଏମାନଙ୍କର ମିଳିତ ଗଠବନ୍ଧନକୁ ମଧ୍ୟ ମରାଠୀ ଜନତା ବିଶ୍ବାସ କରି ସ୍ପଷ୍ଟ ବହୁମତ ଦେଲେ । ହେଲେ ଏଇଠି ବଦଳି ଗଲା ସବୁ ନିୟମ ଓ ଚୁକ୍ତି । କ୍ଷମତା ପାଇଁ ଆରମ୍ଭ ହେଲା ଘମାସାନ । ଫଳରେ ନଭେମ୍ବର 19ରେ ହୋଇଥିବା ନିର୍ବାଚନ ଓ 23 ନଭେମ୍ବରରେ ଫଳାଫଳ ଘୋଷଣା ହୋଇସାରିବା ପରେ ମଧ୍ୟ ଗଠନ ହୋଇପାରୁ ନାହିଁ ମହାରାଷ୍ଟ୍ରରେ ନୂଆ ସରକାର । ଏବେବି ମହାରାଷ୍ଟ୍ର କ୍ଷମତା ପାଇଁ ମହାଭାରତ ଅନ୍ତ ହେବା ପରିବର୍ତ୍ତେ ବଢିଚାଲିଛି ଗୋଟିଏ ପରେ ଗୋଟିଏ ଅଧ୍ୟାୟ । ଆଉ ଶିବସେନା-ବିଜେପିର ଟଣା ଓଟରାକୁ ଦେଖୁଛନ୍ତି ଉଭୟ କଂଗ୍ରେସ ଓ ଏନସିପି । ଏହାସହ ପାଗ ଦେଖି ନିଜ ନିଜ ଆଭିମୁଖ୍ୟକୁ ପରିବର୍ତ୍ତନ କରୁଛନ୍ତି ।

ଶିବସେନାର କଠୋର ଆଭିମୁଖ୍ୟ ଦେଖି ମହାରାଷ୍ଟ୍ର ବିଜେପି ‘ଅପେକ୍ଷା କର, ଚୁପ ରୁହ’ ରଣନୀତି ଆପଣାଇଥିଲା । ଶିବେସନା ନିଜ ଦମରେ ସରକାର ଗଠନ ପାଇଁ ଢେର ଉଦ୍ୟମ କରିବା ପରେ ମଧ୍ୟ ଏନସିପି-କଂଗ୍ରେସ ଠାରୁ ବିଶ୍ବାସ ଯୋଗ୍ୟ ଭରଷା ମିଳିନପାରିବାରୁ ଏବେ ଦଳ ନିରାଶ । ମହାରାଷ୍ଟ୍ର ରାଜନୀତି ଗୋଳିଆ ହୋଇ ଚାଲିଥିବା ବେଳେ ସ୍ଥାନୀୟ ନେତାଙ୍କୁ ଦାୟିତ୍ବ ଦେଇ ନିଜକୁ ଦୂରେଇ ରଖିଥିଲେ ବିଜେପି ଚାଣକ୍ୟ ଅମିତ ଶାହା । ତେବେ ସମୟ ସରି ଆସୁଥିବାରୁ ଓ ଶିବସେନା ନିଜ ଆଭିମୁଖ୍ୟରେ ଅଟଳ ରହିବା ଦେଖି ଅମିତ ଶାହା ମହାରାଷ୍ଟ୍ରର ମହାଭାରତ ମଞ୍ଚକୁ ଗତ ସୋମବାର ଓହ୍ଲାଇଛନ୍ତି । ମହାରାଷ୍ଟ୍ରର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଡାକି ସ୍ଥିତି ଅବଗତ ହୋଇଛନ୍ତି । ଅମିତ ଶାହା ଗୋଟି ଚାଳନା ଆରମ୍ଭ କରିବା ପୂର୍ବରୁ ଶିବସେନା ଏକ ପ୍ରକାର ଆତ୍ମସମର୍ପଣ କରିଛି । ଗତକାଲି (ମଙ୍ଗଳବାର)ଶିବସେନା ଚିଠି ଲେଖି ସରସଂଘ ମୁଖ୍ୟ ମୋହନ ଭାବଗତଙ୍କ ହସ୍ତକ୍ଷେପ ଲୋଡିଛି । ଏହାସହ ସଂଘର ମାନସ ପୁତ୍ର ନୀତିନ ଗଡକରୀଙ୍କୁ ମଧ୍ୟ ସମାଧାନ ପାଇଁ ଅନୁରୋଧ କରିଛି ।

ଶିବସେନା ଚିଠି ଲେଖିବାର କିଛି ସମୟ ପରେ ସଂଘ ମୁଖ୍ୟ ମୋହନ ଭାଗବତ ସଂଘ ମୁଖ୍ୟାଳୟକୁ ଦେବେନ୍ଦ୍ର ଫଡନାଭିସଙ୍କୁ ଡାକି ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ତେବେ ଉଭୟଙ୍କ ମଧ୍ୟରେ କଣ ଆଲୋଚନା ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଗୁପ୍ତ ରଖାଯାଇଛି । ସଂଘ ମୁଖ୍ୟଙ୍କୁ ଦେବେନ୍ଦ୍ର ଫଡନାଭିସ ସାକ୍ଷାତ କରିବା ପୂର୍ବରୁ ନିଜ ବାସଭବନରେ ଦଳର କୋର କମିଟି ବୈଠକ ଡକାଇଥିଲେ । ଏହି ଦୁଇଟି ବୈଠକରେ କଣ ନିଷ୍ପତି ହୋଇଛି ତାହା ଜଣାପଡିନଥିଲେ ମଧ୍ୟ ସରକାର ଗଠନ ଓ ବିଭାଗ ବଣ୍ଟନ ପ୍ରକ୍ରିୟା ଚୂଡାନ୍ତ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି । ସଂଘ ମୁଖ୍ୟ ମହାରାଷ୍ଟ୍ରର ବିକାଶ ସହ ଜନତାଙ୍କ ସ୍ବାର୍ଥ ପାଇଁ ଉଭୟ ଦଳକୁ ମତଭେଦ ଦୂର କରି ତୁରନ୍ତ ସରକାର ଗଠନ କରିବାକୁ ପରାମର୍ଶ ଦେଇଥିବା କୁହାଯାଉଛି । ଶିବସେନା ଯଦିଓ ସଂଘ ମୁଖ୍ୟଙ୍କ ପ୍ରସ୍ତାବକୁ ଗ୍ରହଣ କରିନାହିଁ କିନ୍ତୁ ଗ୍ରହଣ କରିବା ଥୟ ବୋଲି ବିଜେପି ଆଶାବାଦୀ ।

ସଂଘ-ମୁଖ୍ୟଙ୍କ ସହ ଦେବେନ୍ଦ୍ର ଫଡନାଭିସଙ୍କ ଆଲୋଚନା ପରେ ପରେ ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଟ୍ବିଷ୍ଟ ଭରିଛନ୍ତି ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ । ପାଟିଲ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଆମକୁ ଶିବସେନା ପାଖରୁ ସରକାର ଗଠନ ପାଇଁ କୌଣସି ପ୍ରସ୍ତାବ ମିଳିନାହିଁ । ଆମେ ଅପେକ୍ଷା କରିଛୁ ଶିବସେନାକୁ । ତାଙ୍କ ପାଇଁ ଆମ ଦ୍ବାର ସର୍ବଦା ଖୋଲା ଅଛି । କିନ୍ତୁ ଏହା ସ୍ପଷ୍ଟ ଯେ ଖୁବ ଶିଘ୍ର ବିଜେପି ନେତୃତ୍ବରେ ମହାରାଷ୍ଟ୍ରରେ ସରକାର ଗଠନ ହେବ ବୋଲି ସେ ଦୋହରାଇଛନ୍ତି ।

ସଂଘ ମୁଖ୍ୟଙ୍କ ହସ୍ତକ୍ଷେପ ପରେ ଶିବସେନା ନରମି ଥିବା କୁହାଯାଉଛି । ଯଦି ସେନା ମୋହନଙ୍କ ପ୍ରସ୍ତାବ ଗ୍ରହଣ କରେ ତେବେ ଶୁକ୍ରବାର ପୂର୍ବରୁ ଯେକୌଣସି ମୁହୁର୍ତ୍ତରେ ନୂଆ ସରକାରର ଶପଥ ଗ୍ରହଣ ହେବ ବୋଲି ଜଣାପଡିଛି । କିନ୍ତୁ ରାଜନୀତିରେ କ୍ଷମତା ପାଇଁ କିଛିବି ଓଲଟ ପାଲଟ ହୋଇପାରେ । କାରଣ ଆଜି ପୁଣି ଥରେ ଶିବସେନା ସାଂସଦ ସଞ୍ଜୟ ରାଉତ ଏନସିପି ମୁଖ୍ୟଙ୍କୁ ସାକ୍ଷାତ କରିଛନ୍ତି । ଏହାସହ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିବା କୁହାଯାଉଛି । ତେବେ ଏହି ଭେଟଘାଟକୁ କିନ୍ତୁ ବିଜେପି ଗମ୍ଭୀରତାର ସହ ନେଇଛି ।

ABOUT THE AUTHOR

...view details