ଓଡିଶା

odisha

ପଲଟିଲା ବାଜି; ମଧ୍ୟପ୍ରଦେଶ ହେବ ଗେରୁଆ, ଭାଙ୍ଗିଲା କଂଗ୍ରେସ ସରକାର

By

Published : Mar 20, 2020, 1:31 PM IST

ଆସ୍ଥା ଭୋଟ ପୂର୍ବରୁ ଆତ୍ମସମ୍ମାନ ରକ୍ଷାକରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କୋମଳନାଥ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

madhya pradesh
madhya pradesh

ଭୋପାଳ: ମଧ୍ୟପ୍ରଦେଶ କ୍ଷମତା ମହାଭାରତର ଶେଷ ଦୃଶ୍ୟ ମଞ୍ଚସ୍ଥ ହେବାପୂର୍ବରୁ ନାଟକରେ ଆସିଲା ଟ୍ବିଷ୍ଟ । ସଂଖ୍ୟା ଗରିଷ୍ଠତା ଥିବା ଓ ସରକାରଙ୍କ ଉପରେ କୌଣସି ସଂକଟ ନଥିବା ଦାବି କରୁଥିବା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଶେଷରେ ଯୁଦ୍ଧ ପୂର୍ବରୁ ଅସ୍ତ୍ର ତ୍ୟାଗ କରିଛନ୍ତି ।

ପୂର୍ବାହ୍ନ 12 ଟାରେ ଏକ ସାମ୍ବାଦିକ ସମ୍ମଳନୀ କରି ବିଜେପି ଉପରେ ଯୋରଦାର ଆକ୍ରମଣ ସହ ସଂଗୀନ ଅଭିଯୋଗ କରି ଆତ୍ମସମର୍ପଣ କରିଛନ୍ତି । ଏହାସହ ସରକାରଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ନଥିବା ସ୍ବୀକାର କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ସେ ଖୁବଶୀଘ୍ର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ସାକ୍ଷାତ କରି ଇସ୍ତଫା ଦେବେ ବୋଲି କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କମଳନାଥ ନିଜ 15 ମାସ ସରକାରଙ୍କ ସଫଳତା ବଖାଣିଥିଲେ । କହିଥିଲେ ଆମର 15 ମାସ ଶାସନ ମଧ୍ୟପ୍ରଦେଶ ଜନତା ଅନୁଭବ କରିଛନ୍ତି । ସରକାର ରାଜ୍ୟର ବିକାଶ ପାଇଁ କୋଠର ନିଷ୍ପତି ନେଇଛନ୍ତି । ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜନତାଙ୍କୁ ଦିଆଯାଇଥିବା ପ୍ରତିଶୃତି ପାଳନ କରିବାକୁ ପ୍ରୟାସ କରିଛୁ । କୃଷକଙ୍କ ଋଣଛାଡ କରାଯାଇଛି । ତେବେ ଏହାସତଯେ ଆମର 15 ମାସର ଶାସନକାଳରେ ପ୍ରାୟ 5 ମାସ ନିର୍ବାଚନ ଆଚରଣ ବିଦ୍ଧି ବଳବତ୍ତର ରହିଲା । ଫଳରେ ସରକାର ଯଥା ସମ୍ଭବ କାମ କରିବାର ସଫଳ ହୋଇନାହାଁନ୍ତି । 15 ମାସ ଶାସନ କାଳରେ ଗୋଟିଏ ଟଙ୍କା ମଧ୍ୟ ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିନାହିଁ ।

ପରେ ବିଜେପି ଉପରେ ଯୋରଦାର ବର୍ଷିବା ସହ ସଂଗୀନ ଅଭିଯୋଗ ଆଣିଥିଲେ କମଳନାଥ । କହିଥିଲେ ରାଜ୍ୟରେ କଂଗ୍ରେସ ସରକାର ଗଠନ ଦିନ ଠାରୁ ଆମ ସରକାରକୁ ଭାଙ୍ଗିବାକୁ ବିଜେପି ଉଦ୍ୟମ କରିଆସୁଥିଲା । ବିଜେପି ନେତାମାନେ 15 ଦିନର ସରକାର ବୋଲି କହୁଥିଲେ । ସରକାରରେ ଅସ୍ଥିର ପାଇଁ ସର୍ବଦା ବିଜେପି କାମ କରିଛି । ତାଙ୍କର(ବିଜେପି) 15 ବର୍ଷର ଶାସନର ଅଭିଜ୍ଞତା ଯଦି ଆମ ସରକାର ଚଳାଇବାରେ ସହଯୋଗ କରିଥାନ୍ତେ ତାହାହେଲେ ରାଜ୍ୟର ବିକାଶ ଆହୁରି ହୋଇଥାନ୍ତା ବୋଲି କହିଛନ୍ତି ।

ଏହାସହ କମଳନାଥ କହିଛନ୍ତି ବିଜେପି ଆମର 22 ବିଧାୟକଙ୍କୁ ବନ୍ଦି କରି ସରକାର ଚଳାଇ ପାରିବ ନାହିଁ । ଗଣତନ୍ତ୍ର ଉପାୟରେ ଲୋକଙ୍କ ଦ୍ବାରା ନିର୍ବାଚିତ ଗୋଟିଏ ସରକାରକୁ ଭାଙ୍ଗି ବିଜେପି ସାମ୍ବିଧାନିକ ପାପ କରିଛି । ଖାଲି ମଧ୍ୟପ୍ରଦେଶ ନୁହେଁ ସାରା ଦେଶରେ ବିଜେପି ଓ ତାର ନେତା ମାନେ ଏହି କାମରେ ଲାଗିଛନ୍ତି । ଆଗାମୀ ଦିନରେ ସତ କଣ ତାହା ମଧ୍ୟପ୍ରଦେଶର ଜନତା ଜାଣିବେ ବୋଲି କହିଛନ୍ତି । ଏହାସହ ବିଜେପିକୁ ଚେତାବନୀ ଦେବା ଆଳରେ କହିଛନ୍ତି ବିଜେପି ଭୁଲିଯାଉଛି ଆଜିର ଦିନ ଶେଷ ହେବ, କାଲି ଓ ପରଦିନ ମଧ୍ୟ ଆସିବ । ଜଣେ ମହାରାଜା(ସିନ୍ଧିଆ) ଏବଂ ବିଜେପି ନେତାମାନେ 22 ବିଧାୟକଙ୍କୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯେଉଁ ଚକ୍ରବ୍ୟୁହ ରଚନା କରିଛନ୍ତି ସମସ୍ତ ଖୁଲାସା ହେବ ବୋଲି କମଳନାଥ କହିଛନ୍ତି ।

ଅନ୍ୟପଟେ କମଳନାଥ ଇସ୍ତଫା ଦେବା ପରେ ବିଜେପି ଶିବିରରେ ଉତ୍ସବର ମାହୋଲ । ଖୁବଶୀଘ୍ର ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଦାବି କରିବ ବୋଲି ବିଜେପି ବିଧାୟକ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details