ଭୋପାଳ: ଆଜି ମଧ୍ୟପ୍ରଦେଶରେ ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବାରଜ ସିଂ ଚୌହାନ । ଗତକାଲି ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଅତିରିକ୍ତ ପଦଭାର ସମ୍ଭାଳିବା ପରେ ଆଜି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ ବୋଲି କୁହାଯାଇଛି ।
ମଧ୍ୟପ୍ରଦେଶରେ 230 ବିଧାୟକ ଥିବାବେଳେ ପାଖାପାଖି 35 ଜଣ ମନ୍ତ୍ରୀ ହୋଇପାରନ୍ତି ବୋଲି ଆକଳନ କରାଯାଉଛି । ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ 6 ଜଣ କ୍ୟାବିନେଟ ମନ୍ତ୍ରୀ ଥିବାବେଳେ 29ଟି ମନ୍ତ୍ରୀ ପଦ ଖାଲି ପଡିଛି ।
ତେବେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ପୂର୍ବରୁ ଶିବରାଜ ଦିଲ୍ଲୀ ଯାଇ ବିଜେପି ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା କରିଥିଲେ । ମନ୍ତ୍ରିମଣ୍ଡଳରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ 8ରୁ 9 ଜଣ ସମର୍ଥକଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି କୁହାଯାଉଛି । ସୂଚନାଥାଉକି, ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପରେ ରାଜ୍ୟରେ କଂଗ୍ରେସର କମଲନାଥ ସରକାର ଭାଙ୍ଗି ଯାଇଥିଲା ।
ପରେ ମାର୍ଚ୍ଚ 23 ତାରିଖରେ ଚତୁର୍ଥ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଶିବରାଜ ସିଂ ଚୌହାନ । ପରେ ଅପ୍ରେଲ 21 ତାରିଖରେ 6 ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
ସେପଟେ ଗୁରୁବାର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ । ଦେଶର ଇତିହାସରେ ପ୍ରଥମ ଥର ପାଇଁ ଏତେ ସମୟ ପରେ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।