ଆନ୍ଧ୍ରପ୍ରଦେଶ: ସମସ୍ତେ ବ୍ୟସ୍ତ । ସବୁଠି ବ୍ୟସ୍ତତା । ଯେଉଁଠି ନିଜେ ହସିବାକୁ ସମୟ ନାହିଁ, ସେଠି ଅନ୍ୟର ଖୁସି କଥା ପଚାରେ କିଏ । ଯେଉଁଠି ମଣିଷ ମଣିଷ ଭିତରେ ପ୍ରକୃତ ପ୍ରେମସମ୍ପର୍କ ଦେଖିବାକୁ ମିଳେନାହିଁ, ସେଠି ଶୁଆ ଶାରୀଙ୍କ ମିଳନ ଦେଖିବାକୁ ବିଚ୍ ରାସ୍ତାରେ ଜମିଥିଲା ଯାତ୍ରୀଙ୍କ ଭିଡ ।
ଲୈଲା ଓ ମଜନୁ ନାମରେ ଏକ ଶୁଆ-ଶାରୀ ଦୀର୍ଘ 10 ମାସ ଧରି ଏକାସାଙ୍ଗରେ ରହୁଥିଲେ । ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଅତି ଗଭୀର ଓ ନିବିଡ । ସତେ ଯେମିତି ଜଣେ ଜଣକ ବିନା ଅଧୁରା । ହେଲେ ହଠାତ୍ ଦିନେ ଲୈଲାକୁ ଛାଡି ମଜନୁ କୁଆଡେ ଚାଲିଗଲା । ଆଉ ମଜନୁ ଯିବା ପରେ ଲୈଲା ଜୀବନରେ ପଡିଥିଲା ବିରାମ ଚିହ୍ନ । ଅପେକ୍ଷା ଥିଲା ତ କେବଳ ତା ମଜନୁର ଫେରିବା ବାଟକୁ ।
ଭିଡିଓ ସୌଜନ୍ୟ :ବ୍ୟୁରୋ ଇଟିଭି ତେବେ ଲୈଲାର ଏମିତି ଅବସ୍ଥା ଦେଖି ତା' ମାଲିକ ମଜନୁକୁ ଖୋଜିବା ଆରମ୍ଭ କରିଥିଲା । କିଛି ସପ୍ତାହ ପରେ ମାଲିକ ମଜନୁକୁ ଏକ ଗଛ ଉପରେ ବସିଥିବାର ଦେଖିଲା । ହେଲେ ମଜନୁ ତା ମାଲିକକୁ ଦେଖି ଦୂରକୁ ଉଡି ପଳାଇଥିଲା । ଫଳରେ ମାଲିକ ସେଠାରୁ ନିରାଶ ହୋଇ ଫେରିଯାଇଥିଲା ଆଉ ପରଦିନ ସେ ଲୈଲାକୁ ନିଜ ସହ ନେଇଯାଇଥିଲା ମଜନୁ ପାଖକୁ । ଆଉ ଲୈଲାକୁ ଦେଖି ମଜନୁ ପୁଣି ଥରେ ପେରିଯାଇଥିଲା ତା ପ୍ରେମିକା ପାଖକୁ ।
ଏସବୁ ଦୃଶ୍ୟ ଆନ୍ଧ୍ରପ୍ରଦେଶ ଥିରୁମାଲାର ଏକ ରୋଡରେ ଦୀର୍ଘ ଦୁଇ ଘଣ୍ଟା ଭିତରେ ଘଟିଥିଲା । ଲୈଲା ଓ ମଜନୁର ମିଳନର ସମୟକୁ ସମସ୍ତେ ବେଶ ଉତ୍ସାହର ସହ ଦେଖୁଥିଲେ । ଯଦ୍ବାରା କିଛି ସମୟ ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଜଣେ ଟ୍ରାଫିକ୍ କନଷ୍ଟେବଲ ଏବଂ ଜଣେ ଅକ୍ଟୋପସ କନଷ୍ଟେବଲ ଲୋକଙ୍କ ଏହି ଭିଡ ଭିତରେ ମଜନୁକୁ ସୁରକ୍ଷା ଦେଇଥିଲେ ।
ତେବେ ଏହି ପ୍ରେମ ପକ୍ଷୀଙ୍କ ମାଲିକଙ୍କ କହିବାନୁଯାୟୀ, ଅଷ୍ଟ୍ରେଲିଆର ଏହି ଦୁଇ ପ୍ରେମୀ ପକ୍ଷୀଙ୍କୁ ସେ 2 ଲକ୍ଷ ଟଙ୍କାରେ କିଣିଥିଲେ । ସେ ଥିରୁମାଲାରେ ଏକ ହୋଟେଲ ଚଲାଉଥିବାବେଳେ ପକ୍ଷୀ ଦ୍ବୟଙ୍କୁ ନିଜ ଘରେ ପାଳୁଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ଏହି ଶୁଆ ଶାରୀ ନିଜର 4 ବର୍ଷ ପୂରା କରିବା ପରେ ଜଣେ ବ୍ୟକ୍ତିଙ୍କ ସହ କଥା ହୋଇଥାନ୍ତି ।