ନୂଆଦିଲ୍ଲୀ: ଆମେରିକୀୟ ଏରୋସ୍ପେସ କମ୍ପାନୀ ଲକହିଡ୍ ମାର୍ଟିନ ଭାରତକୁ ତେଜସ ଓ AMCA (advanced multi-role combat aircraft) ଭଳି ବିଭିନ୍ନ ପ୍ରକଳ୍ପରେ ସହାୟତା କରିବାକୁ ଇଚ୍ଛା ପ୍ରକାଶ କରିଛି । ଆମେରିକା ରାଷ୍ଟ୍ରପତି ଆସନ୍ତା 24ରୁ ଭାରତ ଗସ୍ତ କରୁଥିବା ବେଳେ କମ୍ପାନୀ ପ୍ରତିରକ୍ଷା ଓ ସାମରିକ ସହଭାଗିତା ଭଳି କ୍ଷେତ୍ରରେ ଭାରତ ସହ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛି । ଏନେଇ ଲକହିଡ୍ ମାର୍ଟିନର ଉପସଭାପତି ବିବେକ ଲାଲ ସୂଚନା ଦେଇଛନ୍ତି ।
ଉପସଭାପତି ବିବେକ ଲାଲ କହିଛନ୍ତି, ‘ଭାରତୀୟ ବାୟୁସେନାର ତେଜସ ତଥା ଏଏମସିଏ ଭଳି ବିଭିନ୍ନ ପ୍ରକଳ୍ପରେ ଭାରତ ଯଦି ଆମକୁ ଆବଶ୍ୟକ କରେ ତେବେ ଆମେ ସାହାଯ୍ୟ କରିବାକୁ ପ୍ରସ୍ତୁତ ।’
ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ(HAL) ଓ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି(ADA) ଦ୍ବାରା ଘରୋଇ ଭାବେ ନିର୍ମାଣ କରାଯାଉଥିବା ତେଜସ ଭାରତ ପାଇଁ ଏକ ବଡ ଉପଲବ୍ଧି । ଏହାର ଆଧୁନିକ ସଂସ୍କରଣ ନିର୍ମାଣ କରିବାକୁ ଉଭୟେ ସଂସ୍ଥା ପ୍ରଚେଷ୍ଟା ଜାରିରଖିଛନ୍ତି । ଏଥିରେ ସହାୟତା ପ୍ରଦାନ କରିବାକୁ ଲକହିଡ୍ ମାର୍ଟିନ ଇଚ୍ଛା ପ୍ରକାଶ କରିଛି । ଅନ୍ୟପକ୍ଷରେ ଲଖିଦ ମାର୍ଟିନର F-21ଜେଟ ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବ । ଏଥିପାଇଁ 118ଟି ଯୁଦ୍ଧ ବିମାନ କିଣିବାକୁ ଭାରତୀୟ ବାୟୁସେନାର ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି ।