ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ । ରାଜଧାନୀ ହୋଇଥିବାରୁ ଏହାର ଅନ୍ୟ କୌଣସି ପରିଚୟର ଆବଶ୍ୟକତା ନାହିଁ । ତେବେ ଯେତେବେଳେ ଦିଲ୍ଲୀ କଥା ଉଠେ ସେତେବେଳେ ସହର ଇତିହାସର ମୁକସାଖୀ ସାଜିଥିବା ଯମୁନା ନଦୀ କଥା ବି ଉଠେ । ବିଗତବର୍ଷ ମାନଙ୍କରେ ଯମୁନା ନିଜର ଅସ୍ତିତ୍ବ ହରାଇବାକୁ ବସିଥିବାବେଳେ ଦୂଷିତ ଜଳ ପାଇଁ ବେଶ୍ ପରିଚିତ ଥିଲା । ସେପଟେ ଏହାର ପୂର୍ବସ୍ଥିତି ଫେରାଇ ଆଣିବା ଲାଗି ସରକାର କରିଥିବା ବହୁ ଯୋଜନା ଫେଲ୍ ମାରିଥିଲା । ହେଲେ ସରକାର ଯାହା କରିପାରିଲେନି ତାହା କିଛି ମାତ୍ରାରେ କରିଦେଖାଇଛି ଲକ୍ଡାଉନ୍ ।
ଲକ୍ଡାଉନ୍ ଫଳରେ ଯମୁନା କୂଳରେ ଗଢିଉଠିଥିବା ସବୁ କଳକାରଖାନା ବନ୍ଦ ପଡିଛି । ଫଳରେ କଳକାରଖାନାରୁ ନିର୍ଗତ ହେଉଥିବା ଦୂଷିତ ଜଳ ଲାଗି କଳୁଷିତ ହୋଇ ପଡିଥିବା ଯମୁନା ଆଜି ସୁନ୍ଦରତା ଆଡକୁ ମୁହାଁଉଛି । ଗାଡିମଟର ଚାଲୁନଥିବାରୁ ଦିଲ୍ଲୀ ଆକାଶ ଯେପରି ସ୍ବଚ୍ଛ ଓ ନିର୍ମଳ ହୋଇଯାଇଛି । ଠିକ୍ ସେହିପରି କଳକାରଖାନା ଚାଲୁନଥିବାରୁ ଯମୁନା ବି ଜମ ଯନ୍ତ୍ରଣାରୁ ମୁକ୍ତି ପାଇଛି ।