ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନକୁ ସପ୍ତାହେ ବିତି ଗଲାଣି । ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ୍ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ 20ରୁ ଅର୍ଥନୀତିକୁ ସମ୍ଭାଳିବା ପାଇଁ କିଛି ବିଭାଗ ଖୋଲିବା ନେଇ ଅନୁମତି ଦେଇପାରନ୍ତି ବୋଲି ସୂଚନା ଦେଇଥିଲେ ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରବିବାର ଏକ ସର୍ତ୍ତମୂଳକ ଗାଇଡଲାଇନ ଜାରି କରି ରାଜ୍ୟ ମଧ୍ୟରେ ଶ୍ରମିକଙ୍କ ଗତିବିଧିକୁ ଅନୁମୋଦନ କରିଛି । କିନ୍ତୁ ଏହାସହ ସରକାର ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ, କୋରୋନା ହଟସ୍ପଟ ସ୍ଥାନ କୌଣସି ପ୍ରକାର ଖୋଲାଯାଇପାରିବନି । ସେମାନଙ୍କର ନିଜସ୍ବ ରଣନୀତି ମଧ୍ୟ ରାଜ୍ୟମାନଙ୍କ ଦ୍ବାରା ପ୍ରସ୍ତୁତ କରାଯାଉଛି ।
ଆଜି କିଛି ରାଜ୍ୟରେ ଲକଡାଉନ୍ ଖୋଲିପାରେ । ଯେଉଁ ସ୍ଥାନ ଗୁଡିକ ହ୍ବାଇଟ କିମ୍ବା ଗ୍ରୀନ ଜୋନରେ ସାମିଲ ଥିବ, ସେହି ସ୍ଥାନ ଖୋଲିବାର ସମ୍ଭାବନା ରହିଛି । କେନ୍ଦ୍ର ଗୃହମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରି ଫସିରହିଥିବା ଶ୍ରମିକଙ୍କୁ ରାଜ୍ୟ ସୀମା ଭିତରେ ଯିବା ପାଇଁ ଅନୁମତି ଦିଆଯାଇଛି ।
ଯେଉଁ ଶ୍ରମିକମାନେ ରାଜ୍ୟ ଭିତରେ ନିଜ କାର୍ଯ୍ୟ କ୍ଷେତ୍ରକୁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ସ୍କ୍ରିନିଂ କରାଯିବା ଉଚିତ ଏବଂ ଯଦି ସେମାନଙ୍କର ଲକ୍ଷଣ ନଥାଏ ତେବେ ସେମାନଙ୍କୁ ନିଜ କାର୍ଯ୍ୟ କ୍ଷେତ୍ରକୁ ପଠାଯିବା ଉଚିତ । କିନ୍ତୁ ରାଜ୍ୟ ସୀମା ବାହାରେ ଥିବା କୌଣସି ଶ୍ରମିକ ଯାଇପାରିବେ ନାହିଁ । ରାଜ୍ୟ ମଧ୍ୟରେ ଶ୍ରମିକମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯିବା ପରେ ସାମାଜିକ ଦୂରତା ଅନୁସରଣ କରାଯିବ । ଯାତ୍ରା ସମୟରେ ଶ୍ରମିକମାନଙ୍କ ଖାଦ୍ୟ ଏବଂ ପାନୀୟ ପାଇଁ ସ୍ଥାନୀୟ ପ୍ରଶାସନ ବ୍ୟବସ୍ଥା କରିବାକୁ ପଡିବ ।