ନୂଆଦିଲ୍ଲୀ: ସାରା ଦେଶରେ କୋରୋନାର କଳା ବାଦଲ । ଦେଶରେ କୋରୋନା ସଂକ୍ରମଣ ରିପୋର୍ଟ ହୁ ହୁ ହୋଇ ବଢୁଛି । ମୃତ୍ୟୁ ସଂଖ୍ୟାରେ ଲଗାମ ଲାଗୁନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଚିତ ପଦକ୍ଷେପ ଯୋଗୁଁ ଦେଶରେ ସ୍ଥିତି ଯଥାସମ୍ଭବ ସାମାନ୍ୟ ରହିଛି । ଏପରିସ୍ଥଳେ ଦେଶର ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋରୋନା ରିପୋର୍ଟ ଶୂନ କିମ୍ବା ଆରୋଗ୍ୟ ହାର ଶତ ପ୍ରତିଶତ ରହିଛି । ଯାହା କୋରୋନା ଯୁଦ୍ଧରେ ଭାରତର ବିଜୟ ଆଶାକୁ ଦ୍ବିଗୁଣିତ କରୁଛି ।
ରବିବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ ଦେଶରେ କୋରୋନା ଭାଇରସ ସଂକ୍ରମଣ ରିପୋର୍ଟ 62,939 ରହିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ସର୍ବଶେଷ ତଥ୍ୟ ଅନୁଯାୟୀ ଦେଶରେ 41,472 ସକ୍ରିୟ କୋରୋନା ଭାଇରସ୍ ମାମଲା ରହିଛି । 19,357 ସଂକ୍ରମିତ ଆରୋଗ୍ୟ ହୋଇ ଡିସଚାର୍ଜ ହୋଇଛନ୍ତି । ମାରାତ୍ମକ ସଂକ୍ରମଣରେ 2,109 ଜଣଙ୍କର ମୃତ୍ୟୁ ହୋଇଛି ।
ମଣିପୁର, ଅରୁଣାଚଳ, ମିଜୋରାମ ଏବଂ ଗୋଆ ଭଳି ରାଜ୍ୟରେ ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ନଗର ହାଭେଲିର ପ୍ରଥମ କୋରୋନା ସଂକ୍ରମଣ ରିପୋର୍ଟ ଏକ ସପ୍ତାହ ପୂର୍ବରୁ ହୋଇଥିଲା । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।
ଭାରତର ଏମିତି କିଛି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ରହିଛି, ଯେଉଁଠାରେ ଆଜି ପର୍ଯ୍ୟନ୍ତ କୌଣସି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହିଁ ।