ନୂଆଦିଲ୍ଲୀ: ଖାଲି ପାଦ, ପରିବା ଚାଷ ଓ ଚନ୍ଦ୍ର ଯାତ୍ରା। ଜୀବନ କାଳ ମଧ୍ୟରେ ଅବିରତ ସଙ୍ଘର୍ଷ। ଅସମ୍ଭବ ଭିତରରେ ସମ୍ଭବ ଖୋଜୁଥିବା ଜଣେ ଉଦ୍ୟମି ମଣିଷ। ଏହାସହ ମନରେ ଚନ୍ଦ୍ରକୁ ଯାତ୍ରା କରିବାର ଦୃଢ ଇଛାଶକ୍ତି। ଏହି 3 ଟି ଜିନିଷ ମଧ୍ୟରେ କୌଣସି ତାଳମେଳ ନଥିଲେ ବି ଏପରି ଏକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି ଇସ୍ରୋ ଅଧ୍ୟକ୍ଷ କେ ଶିବନ। ଜଣେ ଆମ୍ବ ଚାଷୀର ପୁଅ ଆଜି ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛନ୍ତି।
ତାମିଲନାଡୁର 14 ଏପ୍ରିଲ 1957ରେ ପିତା କୈଳାସ ଭାଡିମୁ ଓ ମାତା ଚେଲାମଙ୍କ ଔରସରୁ ଜନ୍ମ ନିଅନ୍ତି ଶିବନ। ଚାଷ କରି ପରିବାର ପୋଷନ୍ତି ଶିବନଙ୍କ ବାପା। ସରକାରୀ ବିଦ୍ୟାଳୟରୁ ନିଜର କ୍ୟାରିଅର ଆରମ୍ଭ କରନ୍ତି ଶିବନ । ଶୈଶବରୁ କଲେଜ ଜୀବନ ପର୍ଯ୍ୟନ୍ତ ସେ କେବେ ପାଦରେ ଚପଲ ପିନ୍ଧି ନଥିଲେ । ଖାଲି ପାଦରେ ସେ ସ୍କୁଲ ଯିବା ଠାରୁ ଆରମ୍ଭ କରି ଘରର ପ୍ରତ୍ୟେକ କାମ କରିଥାନ୍ତି ଶିବନ। ଅନ୍ୟମାନଙ୍କ ଭଳି ତାଙ୍କ ପାଖରେ ନଥିଲା ଟ୍ରାଉଜର ପ୍ୟାଣ୍ଟ କି ଭଳିକି ଭଳି କୁର୍ତ୍ତା। କେବଳ ଧୋତିରେ ସେ କାଟି ଦେଇଛନ୍ତି ତାଙ୍କ କଲେଜ ଜୀବନ ।
ହେଲେ ତାଙ୍କର ଆର୍ଥିକ ସ୍ଥିତି ତାଙ୍କର ଲକ୍ଷ୍ୟକୁ ପ୍ରଭାବିତ କରିନଥିଲା । ଅକ୍ଲାନ୍ତ ପରିଶ୍ରମ ଓ ଅଖଣ୍ଡ ବିଶ୍ବାସ ଯୋଗୁଁ ସେ ଆଜି ସଫଳ । କେବଳ ସେତିକି ନୁହେଁ ପାଠପଢା ଛଡା ବାପାଙ୍କ ଚାଷ ଜମିରେ ମଧ୍ୟ କାମ କରୁଥିଲେ। ବାପାଙ୍କ ଆମ୍ବ ବଗିଚାରେ କାମ କରିବା ମୋର ଅଭ୍ୟାସରେ ପରିଣତ ହୋଇଯାଇଥିଲା ବୋଲି କୁହନ୍ତି ଶିବନ। ମୁଁ ବଗିଚାରେ କାମ କଲେ ଆଉ କୌଣସି ଶ୍ରମିକର ଆବଶ୍ୟକତା ପଡେନାହିଁ ।