ପାଟନା:ରାମ ବିଳାସ ପାସୱାନ,ଏପରି ଏକ ବ୍ୟକ୍ତିତ୍ବ ଯିଏ ରାଜନୀତିର ଏକ ଲମ୍ବା ଇନିଂସ ଖେଳି ଶେଷରେ ଅନ୍ତିମ ନିଶ୍ବାସ ତ୍ୟାଗ କରିଛନ୍ତି । 'ମୁଁ ସେହି ଘରେ ଦୀପ ଜାଳିବାକୁ ଯାଉଛି, ଯେଉଁଠାରେ ଶତାବ୍ଦୀ ଧରି ଅନ୍ଧକାର ରହିଆସିଛି' - ଏହି ସ୍ଲୋଗାନ ଦେଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ରାମ ବିଳାସ ପାସୱାନ। ପୋଲିସରେ ଚାକିରି କରୁଥିଲେ ବି ଦେଶ ସେବା କରିବାର ଇଚ୍ଛା ତାଙ୍କୁ ରାଜନୀତିକୁ ଟାଣି ଆଣିଥିଲା ।
ଖଗଡିଆର ଦଳିତ ପରିବାରରେ ଜନ୍ମଗ୍ରହଣ କରିଥିଲେ ପାସୱାନ:
ଲୋକ ଜନଶକ୍ତି ପାର୍ଟି ସଭାପତି ରହିସାରିଥିବା ରାମ ବିଳାସ ପାସୱାନଙ୍କ ଜନ୍ମ 5 ଜୁଲାଇ 1946ରେ ଖାଗରିଆର ଏକ ଦଳିତ ପରିବାରରେ ହୋଇଥିଲା । ସେ ବୁନ୍ଦେଲଖଣ୍ଡ ବିଶ୍ବବିଦ୍ୟାଳୟ ଜାନ୍ସିରୁ କଳାରେ ସ୍ନାତକୋତ୍ତର ଏବଂ ପାଟନା ବିଶ୍ବବିଦ୍ୟାଳୟରୁ ଆଇନ ଶାସ୍ତ୍ରରେ ଶିକ୍ଷା ଅର୍ଜନ କରିଥିଲେ ।
1960 ଦଶକରୁ ଆରମ୍ଭ ହୋଇଥିଲା ରାଜନୈତିକ ଯାତ୍ରା-
1960 ମସିହାରେ ବିହାର ବିଧାନସଭା ସଦସ୍ୟ ଭାବରେ ପାସୱାନଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା। 1969 ମସିହାରେ ପ୍ରଥମ ଥର ପାଇଁ ପାସୱାନ ବିହାର ରାଜ୍ୟସଭା ନିର୍ବାଚନରେ ମିଳିତ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଭାବରେ ବିଜୟଲାଭ କରିଥିଲେ । 1977 ମସିହାରେ ସେ ଷଷ୍ଠ ତମ ଲୋକସଭାରେ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଥିଲେ। 1982 ଲୋକସଭା ନିର୍ବାଚନରେ ପାସୱାନ ଦ୍ବିତୀୟ ଥର ପାଇଁ ବିଜୟଲାଭ କରି ସଂସଦରେ ପହଞ୍ଚିଥିଲେ ।
ଦଳିତଙ୍କ ଉନ୍ନତି ପାଇଁ ଗଠନ କରିଥିଲେ ଦଳିତ ସେନା
1983 ମସିହାରେ, ରାମ ବିଳାସ ପାସୱାନ ଦଳିତଙ୍କ ଉନ୍ନତି ପାଇଁ ଏକ ଦଳିତ ସେନା ଗଠନ କରିଥିଲେ । ତାଙ୍କ ବିଜୟର ଯାତ୍ରା ଆହୁରି ଆଗକୁ ବଢିଚାଲିଥିଲା । ସେ 1989ରେ ନବମ ଲୋକସଭାରେ ତୃତୀୟ ଥର ପାଇଁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ଏହାସହ 1996ରେ ଦଶମ ଲୋକସଭା ମଧ୍ୟ ବିଜୟ ହାସଲ କରିଥିଲେ ପାସୱାନ ।
JDUରୁ ଅଲଗା ହେବା ପରେ 2000ରେ ଲୋକ ଜନଶକ୍ତି ପାର୍ଟି ଗଠନ
ଏହା ପରେ ରାମ ବିଳାସ ପାସୱାନ 2000ରେ ଜନତା ଦଳ ୟୁନାଇଟେଡରୁ ଅଲଗା ହୋଇ ବର୍ତ୍ତମାନର ଲୋକ ଜନଶକ୍ତି ପାର୍ଟି ଗଠନ କରିଥିଲେ । ସେ ଦ୍ବାଦଶ, ତ୍ରୟୋଦଶ ଏବଂ ଚତୁର୍ଦ୍ଦଶ ଲୋକସଭାରେ କ୍ରାମାଗତ ଭାବରେ ବିଜୟ ହାସଲ କରିଛନ୍ତି । ସେହିପରି ଅଗଷ୍ଟ 2010ରେ ପାସୱାନ ରାଜ୍ୟସଭାର ସଦସ୍ୟମାନେ ନିର୍ବାଚିତ ହୋଇଥିଲେ ।
1989 ପରଠୁ ଦୁଇଟି କ୍ୟାବିନେଟ ବ୍ୟତୀତ ସମ୍ଭାଳିଥିଲେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ
ରାଜନୀତିରେ ସମ୍ଭାବନା କେବେ ଶେଷ ହୁଏ ନାହିଁ । ରାମ ବିଳାସ ପାସୱାନ ଏହାକୁ ଭଲ ଭାବରେ ଜାଣିଥିଲେ | ବୋଧହୁଏ ଏହି କାରଣ ହେଉଛି ଯେ ରାଜନୀତିର ମେରୁଦଣ୍ଡକୁ ଦୃଢ ରଖିଥିବା ପାସୱାନଙ୍କୁ 1989 ପରଠାରୁ ଦୁଇଟି କ୍ୟାବିନେଟ ବ୍ୟତୀତ ସମସ୍ତ ସରକାରରେ ମନ୍ତ୍ରୀ ଭାବରେ ଦେଖିବାକୁ ମିଳିଛି । ସେ କୋଇଲା, ଟେଲିକମ୍, ଖାଦ୍ୟ ଯୋଗାଣ ଏବଂ ରେଳ ପରି ଅନେକ ବଡ ମନ୍ତ୍ରଣାଳୟ ନିଜର ଦାୟିତ୍ବ ତୁଲାଇଛନ୍ତି ।
ମନ୍ତ୍ରୀ ପଦରେ ପାସୱାନଙ୍କ ଯାତ୍ରା
- 1989ରେ କେନ୍ଦ୍ର ଶ୍ରମ ମନ୍ତ୍ରୀ
- 1996ରେ ରେଳ ମନ୍ତ୍ରୀ
- 1999ରେ ଯୋଗାଯୋଗ ମନ୍ତ୍ରୀ
- 2002ରେ କୋଇଲା ମନ୍ତ୍ରୀ
- 2014ରେ ଖାଦ୍ୟ ଏବଂ ଖାଉଟି ସୁରକ୍ଷା ମନ୍ତ୍ରୀ
- 2014ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାସୱାନ ଖାଦ୍ୟ ଏବଂ ଖାଉଟି ସୁରକ୍ଷା ମନ୍ତ୍ରୀ ଥିଲେ
- ସମାଜବାଦୀ ପୃଷ୍ଠଭୂମିର ବଡ ନେତା
ସମାଜବାଦୀ ପୃଷ୍ଠଭୂମିର ଏକ ପ୍ରମୁଖ ନେତା ଥିଲେ ପାସୱାନ । ସେ ସାରା ଦେଶରେ ଜାତୀୟ ନେତା ଭାବରେ ମାନ୍ୟତା ପାଇଥିଲେ । ଜରୁରୀକାଳୀନ ପରିସ୍ଥିତି ପରେ ସେ 1977 ଲୋକସଭା ନିର୍ବାଚନରୁ ଚାରି ଲକ୍ଷ ଭୋଟ ରେକର୍ଡ ବ୍ୟବଧାନରେ ହାଜିପୁର ଆସନ ଜିତିଥିବା ସହ ଲୋକଲୋଚକୁ ଆସିଥିଲେ । ସେବେ ଠାରୁ ସେ ଏହି ଆସନରୁ ଅନେକ ଥର ନିର୍ବାଚନ ହୋଇଛନ୍ତି । ଦୁଇଥର ସେ ସର୍ବାଧିକ ଭୋଟରେ ଜିତିବା ନେଇ ରେକର୍ଡ ସ୍ଥାପନ କରିଥିଲେ। ଜେପି ଆନ୍ଦୋଳନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ପାସୱାନ ।
2005 ବିହାର ରାଜନୀତିରେ ପାସୱାନଙ୍କ ପତନ
2005ରୁ 2009 ରାମ ବିଳାସଙ୍କ ପାଇଁ ରାଜନୀତିର ସବୁଠାରୁ ଖରାପ ସମୟ ଭାବରେ ପ୍ରମାଣିତ ହୋଇଥିଲା । 2005ରେ ଲାଲୁ-ନୀତୀଶଙ୍କ ଯୁଦ୍ଧ ମଧ୍ୟରେ କ୍ଷମତା ବଜାୟ ରଖିବା ପାଇଁ ସମସ୍ତ କୌଶଳ ଅବଲମ୍ବନ କରାଯାଇଥିଲା, କିନ୍ତୁ ନୀତୀଶ କୁମାର ତାଙ୍କର 12 ଜଣ ବିଧାୟକଙ୍କୁ ନେଇ ଏକ ବଡ ଝଟକା ଦେଇଥିଲେ । ରାଷ୍ଟ୍ରପତି ଶାସନ ପରେ ନଭେମ୍ବରରେ ଯେତେବେଳେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, କେବଳ ଲାଲୁଙ୍କ 15 ବର୍ଷର ଶାସନ ନୁହେଁ ବରଂ ରାମ ବିଳାସଙ୍କ ରାଜନୈତିକ କ୍ୟାରିୟର ମଧ୍ୟ ଧିମେଇ ଯାଇଥିଲା । ତେବେ ସେବେଠୁ ସେ କେନ୍ଦ୍ର ରାଜନୀତିରେ ରହିଆସିଛନ୍ତି ।
ରାମ ବିଳାସ ପାସୱାନଙ୍କ ରାଜନୈତିକ ଇନିଂସ
ରାଜନୀତିରେ ରାମ ବିଳାସ ପାସୱାନଙ୍କ ଦୃଢ ସ୍ଥିତି ପାଇଁ ପ୍ରଥମ ଥର ଲାଗି ସେ ସାଂସଦ ନ ହୋଇ ମନ୍ତ୍ରୀ ହୋଇଥିଲେ। ସେ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦୀତା କରିନଥିଲେ ଏବଂ ହାଜିପୁରରୁ ସାନଭାଇ ପାଶୁପତି କୁମାର ପରାସଙ୍କୁ ମନୋନୀତ କରିଥିଲେ। ପରେ ସେ ବିଜେପି କୋଟାରୁ ରାଜ୍ୟସଭାର ସଦସ୍ୟ ହୋଇଥିଲେ।
ଦୀର୍ଘ ଦିନରୁ ଅସୁସ୍ଥ ରହିଥିଲେ କେନ୍ଦ୍ରମନ୍ତ୍ରୀ । ନିକଟରେ ତାଙ୍କର ହୃଦରୋଗ କାରଣରୁ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା । ସମସ୍ତେ ତାଙ୍କର ଆରୋଗ୍ୟ କାମନା କରୁଥିଲେ । ହେଲେ ପ୍ରାର୍ଥନାର କୌଣସି ଫଳ ମିଳିଲା ନାହିଁ । ଶେଷରେ ବିହାର ରାଜନୀତିର ପ୍ରଭାବଶାଳୀ ଦଳିତ ନେତା ସବୁଦିନ ପାଇଁ ଆର ପାରିକୁ ଚାଲିଯାଇଛନ୍ତି । ପାସୱାନଙ୍କ ବିୟୋଗରେ କେବଳ ବିହାର ନୁହେଁ, କେନ୍ଦ୍ର ରାଜନୀତିରେ ମଧ୍ୟ ଏକ ଯୁଗର ଅନ୍ତ ବୋଲି କୁହାଯାଇପାରେ ।
ବ୍ୟରୋ ରିପୋର୍ଟ, ଇଟିଭି ଭାରତ