ଓଡିଶା

odisha

By

Published : May 21, 2020, 1:20 AM IST

ETV Bharat / bharat

ହର୍ଷ ବର୍ଦ୍ଧନ: ସାଧାରଣ ବ୍ୟକ୍ତିଙ୍କ ଅସାଧାରଣ କୃତିତ୍ବ

ମେ 22ରେ 34 ସଦସ୍ୟ ବିଶିଷ୍ଟ ବୋର୍ଡର ଦାୟିତ୍ବ ଗ୍ରହଣ କରିବେ ସ୍ବାସ୍ଥ୍ୟମନ୍ତ୍ରୀ । 194 ସଦସ୍ୟ ବିଶିଷ୍ଟ ବିଶ୍ବ ସ୍ବାସ୍ଥ୍ୟ ଅଧିବେଶନରେ ହର୍ଷ ବର୍ଦ୍ଧନଙ୍କ ନାମକୁ ଭାରତ ସୁପାରିସ କରିଥିଲା । ଅଧିକ ପଢନ୍ତୁ...

ହର୍ଷ ବର୍ଦ୍ଧନ: ସାଧାରଣ ବ୍ୟକ୍ତିଙ୍କ ଅସାଧାରଣ କୃତିତ୍ବ
ହର୍ଷ ବର୍ଦ୍ଧନ: ସାଧାରଣ ବ୍ୟକ୍ତିଙ୍କ ଅସାଧାରଣ କୃତିତ୍ବ

ହାଇଦ୍ରାବାଦ: କୋଭିଡ 19 ମୁକାବିଲାରେ ଦେଶ ବ୍ୟସ୍ତଥିବାବେଳେ ଏପରି ସମୟରେ ମିଳିଛି ଏକ ଖୁସି ଖବର । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ । ଭାରତ ପାଇଁ ଏହା ଏକ ଗୌରବମୟ ବିଷୟ । ଏପରି ସମ୍ମାନଜନକ ପଦବୀ ଅଳଙ୍କୃତ କରିବାରେ ସେ ପ୍ରଥମ ଭାରତୀୟ ।

ମେ 22ରେ 34 ସଦସ୍ୟ ବିଶିଷ୍ଟ ବୋର୍ଡର ଦାୟିତ୍ବ ଗ୍ରହଣ କରିବେ ସ୍ବାସ୍ଥ୍ୟମନ୍ତ୍ରୀ । 194 ସଦସ୍ୟ ବିଶିଷ୍ଟ ବିଶ୍ବ ସ୍ବାସ୍ଥ୍ୟ ଅଧିବେଶନରେ ହର୍ଷ ବର୍ଦ୍ଧନଙ୍କ ନାମକୁ ଭାରତ ସୁପାରିସ କରିଥିଲା । ଜାପାନ ପ୍ରତିନିଧିଙ୍କ ବଦଳରେ ସେ ଏହି ସ୍ଥାନ ଗ୍ରହଣ କରିବେ । ନିର୍ବିବାଦୀୟ ଭାବେ ସେ ଏଥିପାଇଁ ନିର୍ବାଚିତ ହୋଇଥିଲେ । ଏହି ପଦବୀରେ ଏକବର୍ଷ ପାଇଁ ସେ କାମ କରିବେ । ତେବେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସହ ହର୍ଷ ବର୍ଦ୍ଧନଙ୍କ ଏହା ପ୍ରଥମ ସମ୍ପର୍କ ନୁହେଁ । ଆଗରୁ ଅନେକ ଥର ସେ ଏହାସହ ସମ୍ପୃକ୍ତ ହୋଇଛନ୍ତି । ବିଭିନ୍ନ କାର୍ଯ୍ୟ ପାଇଁ ସମ୍ମାନିତ ହୋଇଛନ୍ତି ।

ହର୍ଷ ବର୍ଦ୍ଧନ ଜଣେ ସାଧାରଣ ବ୍ୟକ୍ତିତ୍ବ ଯିଏ ବହୁତ ଅସାଧାରଣ କୃତିତ୍ବ ହାସଲ କରିଛନ୍ତି । ତାଙ୍କ ଜୀବନଶୈଳୀ ଓ କାର୍ଯ୍ୟ ବିଷୟରେ ବହୁତ କମ ଲୋକ ଜାଣନ୍ତି । ସ୍ବାସ୍ଥ୍ୟ କ୍ଷେତ୍ରରେ ତାଙ୍କ ସଫଳତା ଅନେକ ଲୋକଙ୍କୁ ଅଜଣା । ସବୁବେଳେ ଭାରତକୁ ଏକ ନିରୋଗ ଓ ସୁସ୍ଥ ଦେଶ କରିବାରେ ସେ ଚେଷ୍ଟା କରୁଥିଲେ । ସ୍ବାସ୍ଥ୍ୟ ଓ ପରିବେଶ ସୁରକ୍ଷା ଦିଗରେ ତାଙ୍କର ବଳିଷ୍ଠ ପଦକ୍ଷେପ ଓ ସକ୍ରିୟ ଭୂମିକା ତାଙ୍କୁ ଆଜି ଏହି ସଫଳତା ଦେଇଛି । ସେ ସବୁବେଳେ କହନ୍ତି ସ୍ବାସ୍ଥ୍ୟ, ଶିକ୍ଷା ଓ ପରିବେଶରେ ସଫଳ ନହେଲେ କୌଣସି ଦେଶ ନିଜକୁ ସୁପରପାୱାର କହିପାରିବନି । ଆଜି ତାଙ୍କର ଏପରି ସଫଳତାବେଳେ ଆସନ୍ତୁ ଜାଣିବା ତାଙ୍କ ଜୀବନର ସଫଳତା କାହାଣୀ ଉପରେ ।

ଜନ୍ମ ଓ ଶିକ୍ଷା

1954ରେ ଜନ୍ମ ନେଇଥିବା ହର୍ଷ ବର୍ଦ୍ଧନ ଦିଲ୍ଲୀର ସବୁଠାରୁ ପୁରୁଣା ସ୍କୁଲରେ ପାଠ ପଢିଥିଲେ । ସେହିପରି ସେ କାନପୁରରେ ନିଜ ଏମବିବିଏସ ସାରିବା ପରେ ଦିଲ୍ଲୀ ଫେରି ସେଠାରେ ପ୍ରାଇଭେଟ୍ ସର୍ଜନ ଭାବେ କାମ କରିଥିଲେ । ପରେ ସେ ଭାରତୀୟ ମେଡିକାଲ ଆସୋସିଏସନର ଦିଲ୍ଲୀ ଚ୍ୟାପ୍ଟରରେ ଯୋଗ ଦେଇ ରାଜନୀତିରେ ପାଦ ଥାପିଥିଲେ । ପିଲାବେଳୁ ସେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ପ୍ରତି ଆକୃଷ୍ଟ ଥିଲେ । ସେଠାରେ ସେ କାମ କରିବା ଦ୍ବାରା ରାଜନୀତି ପ୍ରତି ଆକର୍ଷିତ ହୋଇଥିଲେ । 1982ରେ ସେ ନୂତନଙ୍କୁ ବିବାହ କରିଥିଲେ । ବାହାଘର ପରେ ଡାକ୍ତରୀ ଛାଡି ହାଉସ ୱାଇଫ ବନିଥିଲେ ନୂତନ । ହର୍ଷ ବର୍ଦ୍ଧନଙ୍କର 2 ପୁଅ ଡାକ୍ତର ଓ ଆକାଉଣ୍ଟାଟ ଅଛନ୍ତି ଯେବେ କି ଏକମାତ୍ର ଝିଅ ମଲ୍ଟିନ୍ୟାସନାଲ କମ୍ପାନୀରେ କାମ କରନ୍ତି ।

ରାଜନୀତି କ୍ୟାରିୟର

1993ରେ ହର୍ଷ ବର୍ଦ୍ଧନ ପ୍ରଥମ ଥର ପାଇଁ ଦିଲ୍ଲୀ କ୍ରିଷ୍ଣା ନଗର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏଠାରୁ ସେ ପାଞ୍ଚ ଥର ବିଜୟୀ ହୋଇଛନ୍ତି । ପରେ 2014ରେ ଚାନ୍ଦିନୀ ଚୌକରୁ ବିଜେପି ସାଂସଦ ଭାବେ ବିଜୟୀ ହୋଇଥିଲେ । ପରେ 2019ରେ ମଧ୍ୟ ସମାନ ଆସନରୁ ସେ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଥିବା ହର୍ଷ ବର୍ଦ୍ଧନ ପୂର୍ବରୁ ମୋଦି ସରକାର ଅଧୀନରେ ପରିବେଶ ମନ୍ତ୍ରୀ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଭାବେ କାମ କରିସାରିଛନ୍ତି । ସେ ମଧ୍ୟ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଭାବେ 1993-96 ମଧ୍ୟରେ କାମ କରିଛନ୍ତି । ତାଙ୍କ ନେତୃତ୍ବରେ ଦିଲ୍ଲୀରେ 2013 ନିର୍ବାଚନ ଲଢିଥିଲା ବିଜେପି । ଦିଲ୍ଲୀ ବିଜେପି ପ୍ରଦେଶ କମିଟିର ସେ 4 ଥର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।

ଆରଏସଏସ ଭକ୍ତ ଡାକ୍ତର ସାହେବ

ହର୍ଷ ବର୍ଦ୍ଧନ ଜଣେ ସାଧାରଣ ବ୍ୟକ୍ତିତ୍ବ ଯିଏ ସରଳ ଜୀବନଯାପନରେ ବିଶ୍ବାସ କରନ୍ତି । ରାଷ୍ଟ୍ରୀୟ ସ୍ବୟଂ ସେବକର ସଦସ୍ୟ ଭାବେ ସେ ସ୍ବୟଂ ଅପେକ୍ଷା ସେବାକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି । ଆରଏସଏସର ସେ ପିଲାବେଳୁ ଭକ୍ତ । ଏହି ସଙ୍ଗଠନରେ ସେ ବଡ ହୋଇଛନ୍ତି । ଏହାର ଆଦର୍ଶରେ ସେ ସବୁବେଳେ ଅନୁପ୍ରାଣିତ । ଆଜି ଯାଏଁ ବି ସେ ଆରଏସଏସକୁ ସବୁବେଳେ ପ୍ରାଧାନ୍ୟ ଦିଅନ୍ତି । ତାଙ୍କର ଅଭିଜ୍ଞତା ଓ କାର୍ଯ୍ୟଶୈଳୀ ପାଇଁ ସପୋର୍ଟ ଷ୍ଟାଫ୍, ଅଫିସ କର୍ମଚାରୀ, ରାଜନୈତିକ ସାଥୀ ତାଙ୍କୁ ଡାକ୍ତର ସାହେବ ବୋଲି ସମ୍ବୋଧନ କରନ୍ତି । କେବଳ ସ୍ବାସ୍ଥ୍ୟ ନୁହେଁ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ପରିବେଶ ଏସବୁଥିରେ ସେ ସିଦ୍ଧହସ୍ତ । ଏ ସମସ୍ତ ବିଭାଗର ଦାୟିତ୍ବ ସେ ତୁଲାଇ ସାରିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ସେ ସ୍ବଦେଶୀ ଜ୍ଞାନକୌଶଳ ଉପରେ ଅଧିକ ଗୁରୁତ୍ବ ଦିଅନ୍ତି ।

ପୋଲିଓ ଅଭିଯାନର ସୂତ୍ରଧାର

ଖୁବ୍ କମ ଲୋକ ଜାଣନ୍ତି ଯେ ଦିଲ୍ଲୀରେ ପ୍ରଥମେ ପୋଲିଓର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ହର୍ଷ ବର୍ଦ୍ଧନ । ବିଶ୍ବସାରାର ଯେତେ କେସ ଥିଲା ସେଥିରୁ 60 ପ୍ରତିଶତ ଭାରତରେ ଥିଲା । ଆଉ ପ୍ରଥମେ ଏହାର ମଙ୍ଗ ଧରିଥିଲେ ହର୍ଷ ବର୍ଦ୍ଧନ । 1994 ଅକ୍ଟୋବର 2ରେ ସେ 1.2 ମିଲିୟନ ପିଲାଙ୍କ ଟୀକାକରଣ କରିଥିଲେ । ଗୋଟିଏ ଦିନରେ ଏତେ ପିଲାଙ୍କ ଟୀକାକରଣ କରିବାରେ ଏହା ଏକ ରେକର୍ଡ । ଏଥିରେ ଆରଏସଏସ ସଙ୍ଗଠନ ଓ ଶହ ଶହ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯୋଗ ଦେଇଥିଲେ ।

ଯେଉଁ ସମୟରେ ଇଣ୍ଟରନେଟ୍, ସୋସିଆଲ ମିଡିଆର ବ୍ୟାପକ ପ୍ରଚାର ନଥିଲା ସେ ସମୟରେ ଏତେ ବଡ କାର୍ଯ୍ୟକ୍ରମ ଆୟୋଜନ କରିବା କଷ୍ଟକର ବ୍ୟାପାର ଥିଲା । ହେଲେ ହାର ମାନିନଥିଲେ ହର୍ଷ ବର୍ଦ୍ଧନ । ଏହି କାର୍ଯ୍ୟକ୍ରମ ପରେ ଭାରତରେ ପ୍ରତିବର୍ଷ ପୋଲିସ ପୋଲିଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ତାଙ୍କ ଉଦ୍ୟମ ଓ ଉତ୍ସାହ ବିଫଳ ଯାଇନଥିଲା । 9 ବର୍ଷ ହେବ ଭାରତରେ ଗୋଟିଏ ବି ପୋଲିସ କେସ ବାହାରିନାହିଁ । 2011 ଜାନୁୟାରୀ 13ରେ ଶେଷ କେସ ବାହାରିଥିଲା । ବର୍ଷକ ପରେ ସମାନ ଦିନରେ ଭାରତକୁ ପୋଲିଓ ଫ୍ରି ବୋଲି ଘୋଷଣା କରାଯାଇଥିଲା ।

ଧୂମ୍ରପାନମୁକ୍ତ ଦିଲ୍ଲୀ ଅଭିଯାନ

ତମାଖୁ ବ୍ୟାନ ପାଇଁ ହର୍ଷ ବର୍ଦ୍ଧନ ଅନେକ ପଦକ୍ଷେପ ନେଇଥିଲେ । ବିଶେଷ କରି ଦିଲ୍ଲୀରେ ଏହି ପଦକ୍ଷେପ ସେ ଆରମ୍ଭ କରିଥିଲେ । ହେଲେ ଏହା ଏତେ ସହଜ ନଥିଲା । ସେ ସମୟରେ ତମାଖୁ ବ୍ୟବସାୟୀଙ୍କ ଓ ସପକ୍ଷବାଦୀଙ୍କ ପାୱାର ତାଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଥିଲା । ବିଭିନ୍ନ ସମୟରେ ବିରୋଧ ଓ ଅଘଟଣର ସାମନା କରିଥିଲେ । କିନ୍ତୁ ସେ ଭୟଭୀତ ଅବା ଚାପଗ୍ରସ୍ତ ନହୋଇ ଆଗେଇ ଚାଲିଥିଲେ । ତାଙ୍କର ବଳିଷ୍ଠ ପଦକ୍ଷେପ ଓ ନେତୃତ୍ବ ବଳରେ ଦିଲ୍ଲୀ ଧୂମ୍ରପାନ ନିଷେଧ ଏବଂ ଧୂମ୍ରପାନ କରୁନଥିବା ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଆକ୍ଟ 1997ରେ ପାସ ହୋଇଥିଲା । ଏହି ନିୟମକୁ ହଜାର ହଜାର ଲୋକ ସ୍ବାଗତ କରିଥିଲ ଯିଏ ଏହି ତମାଖୁ ସେବନ ଓ ଧୂମ୍ରପାନ ଦ୍ବାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପ୍ରଭାବିତ ହୋଇଥିଲେ । ଦିଲ୍ଲୀକୁ ଫଲୋ କରିବାକୁ ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଥିଲେ ସୁପ୍ରିମକୋର୍ଟ । ହର୍ଷ ବର୍ଦ୍ଧନଙ୍କ ପଦକ୍ଷେପ ସାରା ବିଶ୍ବ ପାଇଁ ପ୍ରେରଣା ପାଲଟିଥିଲା ।

ପୁରସ୍କାର ଓ ସମ୍ମାନିତ

ତାଙ୍କର ପଦକ୍ଷେପକୁ ସାରା ବିଶ୍ବ ଜାଣିଥିଲା । ସେଥିପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ତାଙ୍କୁ 1998ରେ ବ୍ରାଜିଲରେ ଡିରେକ୍ଟର ଜେନେରାଲ କମେଣ୍ଡେସନ ମେଡାଲରେ ସମ୍ମାନିତ କରିଥିଲା । ପୂର୍ବରୁ ଏହି ସମ୍ମାନଜନକ ଉପାଧି ମହାନ ଫୁଟବଲର ପେଲେ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ପାଇଥିଲେ । 2001ରେ ତାଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ବାଜପେୟୀ ରୋଟାରୀ ଅନ୍ତର୍ଜାତୀୟର ପୋଲିଓ ନିରାକରଣ ଚମ୍ପିଆନ ପୁରସ୍କାରରେ ସମ୍ମାନିତ କରିଥିଲେ । ଏହି ପୁରସ୍କାର ପାଇବାରେ ହର୍ଷ ବର୍ଦ୍ଧନ ପ୍ରଥମ ଭାରତୀୟ ଥିଲେ । ପୂର୍ବରୁ ଏହା ସମସ୍ତ ବିଦେଶୀଙ୍କୁ ମିଳିଥିଲା । ଏହି ପୁରସ୍କାର ଦେବାବେଳେ ବାଜପେୟୀ ତାଙ୍କୁ ସ୍ବାସ୍ଥ୍ୟ ବର୍ଦ୍ଧନ ବୋଲି ଅଭିହିତ କରିଥିଲେ । ବିଜେପିରେ ମଧ୍ୟ ସେ ଏକ ଡାକ୍ତର ସେଲ ଗଢିବା ସହ ବିଭିନ୍ନ ରାଜ୍ୟରେ ଦଳର ୟୁନିଟ ଖୋଲିଛନ୍ତି । ଲସ ଭେଗାସର ମେୟର ତାଙ୍କୁ ସମ୍ମାନପୂର୍ବକ ସହରର ଚାବିକାଠି ପ୍ରଦାନ କରିଥିଲେ ଯାହା ପୂର୍ବରୁ କେବଳ ଐଶର୍ଯ୍ୟା ରାୟ ବଚ୍ଚନ ପାଇଥିଲେ ।

ହର୍ଷ ବର୍ଦ୍ଧନ 2 ଥର ପଲ ହ୍ୟାରିସ ଫେଲୋସିପ୍ ପାଇଛନ୍ତି । 1995ରେ ସେ ଲାୟନ୍ସ ଇଣ୍ଟନ୍ୟାସନାଲ ସର୍ଭିସ ଆୱାର୍ଡ ପାଇଥିଲେ । 1995 ଓ 1996ରେ ସେ ସମ୍ମାନଜନକ ଆଇଏମଏ ସ୍ପେଶାଲ ଆୱାର୍ଡ ପାଇଥିଲେ । 2002 ଜୁଲାଇ 1 ଡାକ୍ତର ଦିବସରେ ସେ ଭାରତୀୟ ମେଡିକାଲ ଆସୋସିଏସନର ଦିଲ୍ଲୀ ବ୍ରାଞ୍ଚ ଦ୍ବାରା ଶେଷ ଦଶନ୍ଧିର ଡାକ୍ତର ଭାବେ ନାମିତ ହୋଇଥିଲେ । 1996ରେ ସେତେବେଳର ଅର୍ଥମନ୍ତ୍ରୀ ମନମୋହନ ସିଂହ ତାଙ୍କୁ ସେବାଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ଏହାସହ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ଓ ଅନ୍ୟାନ୍ୟ ସଂସ୍ଥା ପକ୍ଷରୁ ସେ ବିଭିନ୍ନ ପୁରସ୍କାର ଏବଂ ସମ୍ମାନ ପାଇଛନ୍ତି ।

ବିଦେଶରେ ମଧ୍ୟ ଲୋକପ୍ରିୟ

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅତ୍ୟାବଶ୍ୟକୀୟ ଡ୍ରଗ୍ କାର୍ଯ୍ୟକ୍ରମକୁ ଭାରତରେ କାର୍ଯ୍ୟକ୍ଷମ କରିବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ । ଏହା ସେତେବେଳେ ଦିଲ୍ଲୀ ମଡେଲ ନାମରେ ଖ୍ୟାତ ଥିଲା । ଯାହାକୁ ବିଶ୍ବର ଅନେକ ରାଷ୍ଟ୍ର ଓ ଭାରତର ପ୍ରାୟ 12ରୁ ଅଧିକ ରାଜ୍ୟ ଗ୍ରହଣ କରିଥିଲେ । ଦିଲ୍ଲୀର ମଧ୍ୟବିତ୍ତ ଏବଂ ଗରିବ ପରିବାରର ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ସେ ମୈତ୍ରୀ ସୁରକ୍ଷା ପ୍ରୋଗ୍ରାମ ଆରମ୍ଭ କରିଥିଲେ । ସେହିପରି ତାଙ୍କ ଅଭିଯାନରେ ଦିଲ୍ଲୀରେ ହେପାଟାଇସ ବି, ଶ୍ରବଣ ଶକ୍ତି ଅଭିଯାନ, କ୍ୟାନ୍ସର କଣ୍ଟ୍ରୋଲ ପ୍ରୋଗ୍ରାମ ପ୍ରଭୃତି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ସହ ସଠିକ ଭାବେ କାର୍ଯ୍ୟକାରୀ ହୋଇଥିଲା । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଚାହିଦା ରହିଛି । ଅନେକ ସମୟରେ ବିଭିନ୍ନ ଦେଶର ସ୍ବାସ୍ଥ୍ୟ ବିଶେଷଜ୍ଞ ତାଙ୍କ ସହ ଯୋଗାଯୋଗ କରି ପରାମର୍ଶ ମାଗନ୍ତି ଏବଂ ସେ ମଧ୍ୟ ବିଦେଶର ବିଭିନ୍ନ ସମ୍ମିଳନୀରେ ଯୋଗ ଦେବାକୁ ନିମନ୍ତ୍ରଣ ପାଆନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଦକ୍ଷିଣ ପୂର୍ବ ଏସିଆ ଅଫିସର ପରାମର୍ଶଦାତା ଭାବେ ସେ କାର୍ଯ୍ୟ କରିଛନ୍ତି ।

ଏହାସହ ସେ ଅନେକ ଅନ୍ତର୍ଜାତୀୟ ମେଡିକାଲ ଆସୋସିଏସନ ଓ ପରିଷଦ ତଥା ସଙ୍ଗଠନରେ କାର୍ଯ୍ୟ କରିସାରିଛନ୍ତି । ବିଭିନ୍ନ ଅନ୍ତର୍ଜାତୀୟ ସଙ୍ଗଠନର ସେ ସଦସ୍ୟ ରହିଛନ୍ତି । ଇଣ୍ଟରନ୍ୟାସନାଲ ମେଡିକାଲ ପାର୍ଲିମେଣ୍ଟାରୀ ଅର୍ଗାନାଇଜେସନର ସେ ଲାଇଫ୍ ଟାଇମ ମେମ୍ବର ଅଛନ୍ତି । ବିଭିନ୍ନ ଦେଶରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମ୍ମିଳନୀରେ ସେ ଯୋଗ ଦେଇଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କନଫରେନ୍ସରେ ସେ ଅନେକ ସାଇନ୍ସ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ରିସର୍ଚ୍ଚ ପେପର ଉପସ୍ଥାପନା କରିଛନ୍ତି । ହିନ୍ଦୁସ୍ତାନ ଟାଇମସ, ଇଣ୍ଡିଆନ ଏକ୍ସପ୍ରେସ, ପଞ୍ଜାବ କେଶରୀ, ଅର୍ଗାନାଇଜର ଭଳି ଜର୍ଣାଲ, ମ୍ୟାଗାଜିନ ଓ ଖବର କାଗଜରେ ତାଙ୍କର ଅନେକ ଲେଖା ପ୍ରକାଶ ପାଇଛି । ସ୍ବାସ୍ଥ୍ୟ, ପରିବେଶ ଓ ବିଜ୍ଞାନ ସମ୍ପର୍କରେ ସେ ବହୁତ ଲେଖାଲେଖି କରନ୍ତି । ସେ ନିଜ କାର୍ଯ୍ୟବେଳେ କେବେ ସାମ୍ପ୍ରଦାୟିକତା ଦେଖିନାହାନ୍ତି । ଅନେକ ମୁସଲିମ ଓ ଖ୍ରୀଷ୍ଟିଆନ ଲୋକଙ୍କ ସହ ମିଶି ସେ ସ୍ବାସ୍ଥ୍ୟ ସଚେତନତା ପ୍ରସାର କରିଛନ୍ତି ।

ବିବାଦୀୟ ମନ୍ତବ୍ୟ

ନିକଟରେ ବୈଜ୍ଞାନିକ ଷ୍ଟିଫେନ ହକିଙ୍ଗଙ୍କ ଦେହାନ୍ତ ପରେ ହର୍ଷ ବର୍ଦ୍ଧନ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଆଇନଷ୍ଟାଇନଙ୍କ ଥିଓରୀ ଅପେକ୍ଷା ଭାରତୀୟ ବେଦ ଅଧିକ ଶକ୍ତିଶାଳୀ । ଆଇନଷ୍ଟାଇନଙ୍କ ଥିଓରୀ ଅଫ ରିଲେଟିଭିଟି ଅପେକ୍ଷା ଭାରତୀୟ ବେଦରେ ଅନେକ ଶକ୍ତିଶାଳୀ ଥିଓରୀ ରହିଛି ବୋଲି ସେ ଦାବି କରିଥିଲେ । ଷ୍ଟିଫେନଙ୍କ ଉକ୍ତି ଆଧାରରେ ସେ ଏପରି କହିଥିବା ଜଣାପଡିଛି ।

ABOUT THE AUTHOR

...view details