ଆମ ସମାଜରେ ବୃଦ୍ଧ ବୃଦ୍ଧାମାନେ ହେଉଛନ୍ତି ସମାଜ ପ୍ରଗତିର ଗୋଟିଏ ଗୋଟିଏ ଦର୍ପଣ । ଯେଉଁମାନେ ତାଙ୍କ ଯୁବାବସ୍ଥାରେ ନିଜର ଶ୍ରମ ଦେଇ ଏ ସମାଜକୁ ବିଭିନ୍ନ ସମ୍ପଦରେ ପରିପୂର୍ଣ୍ଣ କରିଛନ୍ତି। ପୂରା ଜୀବନକୁ ସେମାନେ ନିଜର ସନ୍ତାନ ସନ୍ତତି ତଥା ପରବର୍ତ୍ତୀ ପୀଢିକୁ ଉତ୍ସର୍ଗ କରିବା ସହ ସେମାନଙ୍କୁ ଯୋଗ୍ୟ ନାଗରିକ ଭାବେ ଗଢି ତୋଳିବାର ବିତାଇଛନ୍ତି। କିନ୍ତୁ ବର୍ତ୍ତମାନ ସେମାନେ ଅବହେଳିତ। ଯେଉଁମାନେ ନିଜର ଯୁବାବସ୍ଥାରେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଥିଲେ ସେମାନେ ଆଜି ସାହାଯ୍ୟର ହାତ ଖୋଜୁଛନ୍ତି। ଯେଉଁ ପିଲାମାନଙ୍କୁ ସେମାନେ ସ୍ନେହ ଓ ପ୍ରେମ ଦେଇ ବଡ଼ କରିଛନ୍ତି ସେମାନଙ୍କଠାରୁ ଏବେ ସେମାନେ ପରିଣତ ବୟସରେ ସ୍ନେହ ପ୍ରେମ ଆଶା କରୁଛନ୍ତି। ବୃଦ୍ଧ ବୟସରେ ସେମାନେ ତାଙ୍କ ଅନ୍ଧର ଲଉଡ଼ି ହେବେ ବୋଲି ଆଶା ବାନ୍ଧିଛନ୍ତି। ତେଣୁ ବର୍ତ୍ତମାନର ପୀଢି ତାଙ୍କୁ ଶ୍ରଦ୍ଧା କରିବା ଉଚିତ। ସେମାନଙ୍କ ସ୍ଵାସ୍ଥ୍ୟର ଯତ୍ନ ନେବା ଉଚିତ। ଯେହେତୁ ଏଇ କିଛି ଦଶନ୍ଧି ହେବ ଆମ ଜୀବନ ଧାରଣ ମାନରେ ଉନ୍ନତି ଆସିଛି ଏବଂ ହାରାହାରି ମୃତ୍ୟୁ ବୟସରେ ବୃଦ୍ଧି ଘଟିଛି ଆମ ସମାଜରେ ଏବେ ବୃଦ୍ଧବୃଦ୍ଧାଙ୍କ ସଂଖ୍ୟା ବି ବଢ଼ିଛି। ଏଣୁ ଆମ ପ୍ରତି ଏହା ଏକ ବଡ଼ ଆହ୍ବାନ ଯେ ଏହି ବୟସର ଅପରାହ୍ଣରେ ଥିବା ବ୍ୟକ୍ତିଙ୍କୁ ଆମେ ସହାୟତାର ହାତ ବଢ଼ାଇବା ଆବଶ୍ୟକ। ସେମାନଙ୍କୁ ସମାଜର ବୋଝ ବୋଲି ଅନୁଭବ ହେବାକୁ ନଦେବା ଉଚିତ।
ଏଥିପାଇଁ କ’ଣ କରିବା ଆବଶ୍ୟକ? କ’ଣ ସବୁ ସୁବିଧା ତାଙ୍କୁ ଯୋଗାଇବା ଦରକାର। ପୁଣି ତାଙ୍କରି ସମୟକୁ ଆମେ କିପରି ଦେଶର ସମ୍ପଦ ବିକାଶରେ ଉପଯୋଗ କରିପାରିବା ?
ଭାରତୀୟଙ୍କ ଆୟୁ କାଳ ସ୍ଵାଧୀନତା ସମୟରେ 41 ବର୍ଷ ବୟସ ଥିବା ବେଳେ ଏବେ ଏହା 69 ବର୍ଷକୁ ବୃଦ୍ଧି ପାଇଛି। ଏହା ଚିକିତ୍ସା ବିଜ୍ଞାନରେ ବିକାଶ, ଜୀବନଧାରଣ ମାନରେ ଅଭିବୃଦ୍ଧି, ପୁଷ୍ଟିକର ଖାଦ୍ୟ ସକାଶେ ବୃଦ୍ଧି ପାଇଛି। ଏଥିପାଇଁ ଭାରତରେ ପୌଢ଼ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଖାଲି ଭାରତ କାହିଁକି ବିଦେଶର ଅନେକ ସ୍ଥାନରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଯେଉଁଥିରେ ସବୁଠାରୁ ଆଗରେ ରହିଛି ଜାପାନ । ଚୀନ ପରେ ଭାରତରେ ବୃଦ୍ଧଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି। ଏହିପରି ଏକ ମୁହୂର୍ତ୍ତରେ ବୃଦ୍ଧ ବୃଦ୍ଧାମାନେ ଯେମିତି ସେମାନଙ୍କ ଜୀବନର ଶେଷ ସମୟ ଖୁସିରେ ଓ ସ୍ନେହ ସୌହାର୍ଦ୍ଦ୍ୟ ଭିତରେ ବିତାଇବେ ତାହା ଏକ ଆହ୍ବାନ।
କାହିଁକି?
ଏବେ ଆମ ଦେଶରେ ପ୍ରତି 10 ଜଣରେ ଜଣେ ବ୍ୟକ୍ତି ବୃଦ୍ଧ। ଏହି ସଂଖ୍ୟା 2050 ମସିହା ସୁଦ୍ଧା 40 କୋଟି ପହଞ୍ଚିବା ସମ୍ଭାବନା ରହିଛି। ପୁଣି ଆମ ଦେଶରେ ଥିବା ସମୁଦାୟ ବୃଦ୍ଧବୃଦ୍ଧାଙ୍କ ଭିତରୁ 70 ଲକ୍ଷ ଲୋକ ଏବେ କେବଳ ନିଜ ଘର ଭିତରେ ହିଁ ଜୀବନ କାଟୁଛନ୍ତି, ଏକ ବନ୍ଦୀ ସଦୃଶ। ଅନ୍ୟ 25 ଲକ୍ଷ ଶଯ୍ୟାଶାୟୀ ବା ରୋଗାଗ୍ରସ୍ତ। ଅନେକ ଲୋକ ଏବେ ବି କାମ ପାଇଁ ଯୋଗ୍ୟ ହୋଇଥିଲେ ବି ସେମାନେ ବାସ୍ତବ କର୍ମ କ୍ଷେତ୍ରରୁ ଅଲଗା ରହିଛନ୍ତି।
କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଚାଷୀ ବା କୃଷି ସହାୟକମାନେ 60 ବର୍ଷ ପରେ ଅନେକ ସ୍ଥାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେଉଥିବା ଲକ୍ଷ୍ୟ କରାଯାଉଛି। ଏମିତିକି ଗରିବ ପରିବାରର ଲୋକେ ଏହି ପରିଣତ ବୟସରେ ରୋଗ ପାଇଁ ଔଷଧ କିଣିବା ତଥା ଚିକିତ୍ସା ଖର୍ଚ୍ଚକୁ ଏକ ବୋଝ ବୋଲି ମାନୁଛନ୍ତି। ସଦ୍ୟ ହିସାବ ଅନୁଯାୟୀ, ଅବସର ନେବା ପରେ ଜଣେ ପୁରୁଷ ଆହୁରି 17 ବର୍ଷ ଏବଂ ଜଣେ ମହିଳା ପାଖାପାଖି ଅଧିକ 21 ବର୍ଷ ବଞ୍ଚିବାର ଆଶା ରହିଛି।
ଏହି ବୟସରେ ରୋଗରୁ ମୁକ୍ତି ପାଇବା ତଥା ଚିକିତ୍ସା ଖର୍ଚ୍ଚ ତୁଲାଇବା ପାଇଁ ଅନେକ ବୃଦ୍ଧବୃଦ୍ଧା କାର୍ଯ୍ୟ କରୁଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି। ଖାଲି ସେତିକି ନୁହେଁ, ତାଙ୍କ ପାଖରେ ଅର୍ଥାଭାବ ହେତୁ ବୃଦ୍ଧ ବୟସରେ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଖାଇବାରୁ ସେମାନେ ବଞ୍ଚିତ ହୁଅନ୍ତି। ଏହା ତାଙ୍କୁ ଶାରିରୀକ ଭାବେ ଦୁର୍ବଳ କରିବା ସହ ମାନସିକ ଅବସାଦର ଶିକାର କରିଥାଏ। ଯେଉଁ ଘରେ ପିଲାମାନେ ବାହାରେ କାମ କରନ୍ତି ସେଠାରେ ବୃଦ୍ଧବୃଦ୍ଧାଙ୍କ ପରିସ୍ଥିତି ଆହୁରି ଖରାପ ହୋଇଥାଏ। ଏକୁଟିଆ ସେମାନଙ୍କୁ ଜୀବନ ବିତାଇବାକୁ ପଡ଼େ ନହେଲେ ଜରା ନିବାସରେ ତାଙ୍କର କାଳ କଟେ।
ଆମକୁ କ’ଣ କରିବାକୁ ହେବ?
ଏକୁଟିଆ ରହିବା ବୃଦ୍ଧ ବୟସର ଏକ ପ୍ରମୁଖ ସମସ୍ୟା। ଯେହେତୁ ସେମାନେ ପିଲାମାନଙ୍କ ସ୍ନେହ ଓ ଶ୍ରଦ୍ଧା ପାଇପାରନ୍ତି ନାହିଁ, ଦିନକୁ ଦିନ ଅବସାଦ ଭିତରକୁ ଠେଲି ହୋଇ ଯାଆନ୍ତି। ଏସବୁ ସମସ୍ୟାର ସମାଧାନ ଆମ ହାତରେ ରହିଛି। ତାହା ହେଲା ନିୟମିତ ବ୍ୟବଧାନରେ ବାପା ମା’ଙ୍କୁ ଫୋନ ଯୋଗେ ସମ୍ପର୍କ କରିବାର, ସମୟ କାଢି ସେମାନଙ୍କୁ ଭେଟିବାର । ନିଜର ପିଲାମାନେ ଯେମିତି ତାଙ୍କ ଜେଜେ ମା’ ଜେଜେ ବାପାଙ୍କ ସହ ଭଲ ଭାବେ ମିଶୁଛନ୍ତି ତାହାକୁ ଅନୁଧ୍ୟାନ କରିବା ହେଉଛି ଆମର ମୁଖ୍ୟ କାମ। ଏମିତି କିଛି ପରିସ୍ଥିତ ସୃଷ୍ଟି କରିବା ଦରକାର ଯେମିତି ସେମାନେ ନୂଆ କପଡା ପରିଧାନ କରିବାର ସୁଯୋଗ ପାଇବେ । ବିଭିନ୍ନ ସାମଗ୍ରୀରେ ଘରସଜ୍ଜାକୁ ଗୁରୁତ୍ବ ଦେବା। ଏହାଛଡ଼ା ନିଜ ଦେହକୁ ଯେମିତି ସେମାନେ ଭଲ ପାଇବେ ସେଭଳି ବାତାବରଣ ସୃଷ୍ଟି କରିବା ଦରକାର। ବୃଦ୍ଧ ବୟସର ଲୋକଙ୍କୁ ନିକଟସ୍ଥ ପାର୍କ, ଦେବାଳୟ, ବୈଠକ ବା ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନେବା ଉଚିତ। ସେଠାରେ ସେମାନେ ଯେମିତି ତାଙ୍କ ବୟସର ଲୋକଙ୍କ ସହ କଥା ହେବେ ତାହା ବିଚାର କରିବା ଆବଶ୍ୟକ।
ସେମାନଙ୍କୁ ନୂଆ ଟେକ୍ନୋଲୋଜି ବାବଦରେ ଶିଖାଇବା ଦରକାର। ନାଚ, ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମରେ ସେମାନେ ଯେମିତି ଅଂଶଗ୍ରହଣ କରିବେ, ସେଲଫୋନ, ଅନଲାଇନ ବ୍ୟାଙ୍କିଂ, ବିଭିନ୍ନ ପ୍ରକାର ବିଜୁଳି ଦେୟ ଦେବା ପ୍ରଭୃତି ବିଷୟରେ ତାଙ୍କୁ ଶିକ୍ଷା ଦିଆଯିବା ଦରକାର। ନିୟମିତ ବ୍ୟବଧାନରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥାର ଚିକିତ୍ସା ଆବଶ୍ୟକ। ଏହା ହେଲେ ତାଙ୍କ ଭବିଷ୍ୟତରେ ସ୍ଵାସ୍ଥ୍ୟଗତ ଜଟିଳତା ଭୋଗ କରିବାକୁ ପଡ଼ିବ ନାହିଁ।
ସରକାର ଏ ଦିଗରେ ମଧ୍ୟ ଜରୁରୀ ଧ୍ୟାନ ଦେବା ଆବଶ୍ୟକ। ବିଭିନ୍ନ ସ୍ଥାନରେ ସ୍ଵାସ୍ଥ୍ୟ କେନ୍ଦ୍ର ଖୋଲିବା ସହ କିପରି ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ହେବ ସେ ବାବଦରେ ଯତ୍ନ ଗ୍ରହଣ କରାଯିବା ଉଚିତ। ଏହାବାଦ ବିଭିନ୍ନ ସ୍ଵାସ୍ଥ୍ୟରକ୍ଷା ଯନ୍ତ୍ରପାତିକୁ ସେମାନଙ୍କ ଘରେ ଉପଲବ୍ଧ କରାଇ ତାହାର ବ୍ୟବହାର କେମିତି କରାଯିବ ସେ ବିଷୟରେ ଆବଶ୍ୟକ ଧ୍ୟାନ ଦିଆଯିବା ଆବଶ୍ୟକ।
ସ୍ଵାସ୍ଥ୍ୟ କ୍ଷେତ୍ରରେ ହେଉଥିବା ବିଭିନ୍ନ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଯେଉଁ ବୃଦ୍ଧବୃଦ୍ଧାମାନେ ଜୋରରେ ପଢ଼ନ୍ତି ସେମାନେ ଭୁଲାପଣ ରୋଗର ଶିକାର ହୁଅନ୍ତି ନାହିଁ। ଏଣୁ ସେମାନଙ୍କ ସେବାକୁ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ବ୍ୟବହାର କରାଯିବା ଆବଶ୍ୟକ।