ଓଡିଶା

odisha

By

Published : Aug 24, 2020, 6:10 AM IST

ETV Bharat / bharat

ଗୁରୁତ୍ବପୂର୍ଣ୍ଣ କଂଗ୍ରେସ କାର୍ଯ୍ୟକାରିଣୀର ଦିନକ ପୂର୍ବରୁ ଦଳରେ ପୁଣିଥରେ ନେତୃତ୍ବ ସଂକଟ

CWC ବୈଠକର ଗୋଟିଏ ଦିନ ପୂର୍ବରୁ ଅଧ୍ୟକ୍ଷ ପଦକୁ ନେଇ ଦଳରେ ଦେଖାଦେଇଛି ନେତୃତ୍ବ ସଙ୍କଟ । ଗାନ୍ଧୀ କି ଅଣ ଗାନ୍ଧୀ ନେତୃତ୍ବକୁ ନେଇ ଦ୍ବନ୍ଦ ଉପୁଜିଛି । ଅଧିକ ପଢନ୍ତୁ...

ଗୁରୁତ୍ବପୂର୍ଣ୍ଣ କଂଗ୍ରେସ କାର୍ଯ୍ୟକାରିଣୀର ଦିନକ ପୂର୍ବରୁ ଦଳରେ ପୁଣି ଥରେ ନେତୃତ୍ବ ସଂକଟ
ଗୁରୁତ୍ବପୂର୍ଣ୍ଣ କଂଗ୍ରେସ କାର୍ଯ୍ୟକାରିଣୀର ଦିନକ ପୂର୍ବରୁ ଦଳରେ ପୁଣି ଥରେ ନେତୃତ୍ବ ସଂକଟ

ନୂଆଦିଲ୍ଲୀ: ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସର ନେତୃତ୍ବ ଗାନ୍ଧି ପରିବାରରୁ ନା ଅନ୍ୟ କିଏ ଅଣ ଗାନ୍ଧି ବ୍ୟକ୍ତି କେହି ନେବା ଉଚିତ୍ ତାହାକୁ ନେଇ ଚର୍ଚ୍ଚା ବଢୁଥିବା ବେଳେ ଦଳ ଭିତରେ ପୁଣି ଥରେ ନେତୃତ୍ବ ସଂକଟ ଉପୁଜିଛି।

ଯଦି ପସନ୍ଦ କେବଳ ଗାନ୍ଧି ପରିବାର ହୁଏ, ତେବେ ନେତୃତ୍ବ କଥା ସୋନିଆ କିମ୍ବା ରାହୁଲଙ୍କ ମଧ୍ୟରେ ହିଁ ସୀମିତ ହୋଇ ରହୁଛି। ଏହି କଥାରେ ହିଁ ସମସ୍ୟା ରହୁଛି।

ଅଗଷ୍ଟ 24 ସୋମବାର ଦିନ ବସୁଥିବା କଂଗ୍ରେସ ଦଳର ସବୁଠାରୁ ଶକ୍ତିଶାଳୀ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଏ ନେଇ ଆଲୋଚନା ହେବାର ଦିନକ ପୂର୍ବରୁ ଦଳର 23 ଜଣ ତୁଙ୍ଗ ନେତା ନେତୃତ୍ବ ପ୍ରସଙ୍ଗ ନେଇ ଜୁଲାଇ ମାସରେ କାର୍ଯ୍ୟକାରୀ ସଭାପତି ସୋନିଆଙ୍କ ନିକଟକୁ ଲେଖିଥିବା ଚିଠି ସାଧାରଣରେ ପ୍ରକାଶ ପାଇବା ପରେ ଦଳରେ ସବୁ କିଛି ଠିକଠାକ୍ ନାହିଁ ବୋଲି ଜଣାପଡୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି 2014ରେ କ୍ଷମତାକୁ ଆସିବା ପରେ କଂଗ୍ରେସର ପତନ ଆରମ୍ଭ ହୋଇଛି ଏବଂ ଏହାପରେ କଂଗ୍ରେସର ଅନେକ ନେତା ଦଳ ପ୍ରତି ବିମୁଖ ହୋଇ ପଡିଥିବା ମନେ କରାଯାଉଛି।

ଅନେକ ତ୍ରୁଟି ବିଚ୍ୟୁତି ଏବଂ ଅର୍ଥନୈତିକ ଓ ପ୍ରତିରକ୍ଷା ସଂକ୍ରାନ୍ତ ଅନେକ ଚ୍ୟାଲେଞ୍ଜ ସତ୍ତ୍ବେ ବିଜେପି ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ଅପରପକ୍ଷରେ ଲାଗୁଛି କଂଗ୍ରେସ ଦିଗହରା ହୋଇପଡିଛି ଏବଂ ବର୍ତ୍ତମାନ ଦଳ ଭିତରେ ସୃଷ୍ଟି ହୋଇଥିବା ନିରାଶା ଭାବରୁ ବାହାରିବା ପାଇଁ ଦଳ ଭିତରେ ପ୍ରୟାସ ହେବା ସହ ସମାଧାନର ରାସ୍ତା ଖୋଜିବାକୁ ପଡିବ।

କଂଗ୍ରେସରେ ନେତୃତ୍ବ ସଂକଟ ନୂଆ କଥା ନୁହେଁ। 2014 ସାଧାରଣ ନିର୍ବାଚନରେ କଂଗ୍ରେସ ଲୋକସଭାରେ 543ରୁ ମାତ୍ର 44ଟି ଆସନ ପାଇ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ କଂଗ୍ରେସ ମୁଖ୍ୟ ପଦରୁ ସୋନିଆ ଗାନ୍ଧି ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ।

ଏହାର ପାଞ୍ଚବର୍ଷ ପରେ, ଦଳ ପୁଣି ଥରେ ମେ 2019 ନିର୍ବାଚନରେ 543ଟି ଆସନ ମଧ୍ୟରୁ ମାତ୍ର 52ଟି ପାଇଥିଲା। ନିର୍ବାଚନ ଫଳାଫଳ ପାଇଁ ନିଜକୁ ଦାୟୀ କରି ତତ୍କାଳୀନ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧି ସଭାପତି ପଦରୁ ଇସ୍ତଫା ଦେଇଥିଲେ।

ସମାଲୋଚନାରୁ ରାହୁଲଙ୍କୁ ଦୂରେଇ ରଖିବା ପାଇଁ ଏହାକୁ ଏକ ଚାଲ୍ ଭାବେ ଅନେକ ଭାବିଥିଲେ ହେଁ ଏହାକୁ ସମସ୍ତେ ଏପରିକି ଗାନ୍ଧି ପରିବାର ମଧ୍ୟ ଭିନ୍ନ ଭାବେ ଉପସ୍ଥାପନ କରିଥିଲେ।

ଲୋକପ୍ରିୟତାକୁ ନଜରରେ ରଖି କଂଗ୍ରେସର ନେତୃତ୍ବ ନେବା ପାଇଁ ଗାନ୍ଧି ପରିବାର ବାହାରେ କାହାରିକୁ ବାଛିବା ପାଇଁ ରାହୁଲ ଅନୁରୋଧ କରିଥିଲେ। ଏହା ଉପରେ ଅନେକ ବିଚାର ବିମର୍ଷ ପରେ ସୋନିଆଙ୍କୁ ଦଳର ଅନ୍ତରୀଣ ସଭାପତି ଭାବେ ଦାୟିତ୍ବ ଦିଆଯାଇଥିଲା।

ଅଗଷ୍ଟ 10ରେ ସୋନିଆ ଅନ୍ତରୀଣ ସଭାପତି ଭାବେ ଗୋଟିଏ ବର୍ଷ ପୂରଣ କରିବା ପରେ ନେତୃତ୍ବ ପ୍ରସଙ୍ଗ ପୁଣି ଥରେ ମୁଣ୍ଡ ଟେକିଛି ଏବଂ ରାହୁଲ ପୁଣି ଥରେ ଦଳର ମଙ୍ଗ ସମ୍ଭାଳିବା ନେଇ ଚର୍ଚ୍ଚା ବି ଜୋର୍ ଧରିଛି।

ପୁଣି ଥରେ ପୂର୍ବାବସ୍ଥାକୁ ଫେରି ଆସିବା ପାଇଁ ଦଳର କିଛି ତୁଙ୍ଗ ନେତା ଏହି ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ କାର୍ଯ୍ୟକାରିଣୀ ବୈଠକର ଦିନକ ପୂର୍ବରୁ, ସୋନିଆ ଦଳର ନୂଆ ନେତା ବାଛିବାକୁ ଦାୟିତ୍ବ ପ୍ରମୁଖ ନେତାଙ୍କ ଉପରେ ଛାଡି ଦେଇଛନ୍ତି। ଯାହାକୁ ନେଇ ରାହୁଲ ଗାନ୍ଧିଙ୍କ ଅନୁଗତ ଏବଂ ତାଙ୍କୁ ଚାହୁଁନଥିବା ଗୋଷ୍ଠୀ ମଧ୍ୟରେ ଛାୟା ଯୁଦ୍ଧ ଆରମ୍ଭ ହୋଇଯାଇଛି।

2017ରେ ରାହୁଲଙ୍କ ସଭାପତିତ୍ବ ପରେ 2018ରେ ମଧ୍ୟ ପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ ତିନିଟି ରାଜ୍ୟ ବିଧାନସଭା ନିର୍ବାଚନରେ ଦଳକୁ ଉଲ୍ଲେଖନୀୟ ବିଜୟ ମିଳିଥିଲା ଏବଂ 2019 ସାଧାନରଣ ନିର୍ବାଚନରେ ଦଳର ନିଶ୍ଚିତ ଭାବେ ତାର ପୂର୍ବ ସଫଳତା ଦୋହରାଇବ ବୋଲି ଆଶା କରାଯାଉଥିଲା। କିନ୍ତୁ ନିର୍ବାଚନ ଫଳାଫଳ ସମ୍ପୂର୍ଣ୍ଣ ବିପରିତ ଥିଲା।

ଏବର୍ଷ ଦଳରେ ମୁଖ୍ୟତଃ ସଠିକ୍ ନିଷ୍ପତ୍ତିର ଅଭାବ ଏବଂ ଗୋଷ୍ଠୀ କନ୍ଦଳ କାରଣରୁ ଦଳ ମଧ୍ୟପ୍ରଦେଶରେ କମଳନାଥ ସରକାର ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ହରାଇଛି ଏବଂ ବିଜେପି ହାତକୁ ରାଜ୍ୟର ଶାସନ କ୍ଷମତା ଚାଲିଯାଇଛି। ରାଜସ୍ଥାନରେ ଅଶୋକ ଗେହଲଟ ସରକାର ଅଳ୍ପକେ କ୍ଷମତାଲୋଭି ବିଜେପିଠାରୁ ବର୍ତ୍ତିଯାଇଛି।

ଏବେ କଂଗ୍ରେସ କେବଳ ପଂଜାବ, ରାଜସ୍ଥାନ, ଛତିଶଗଡ଼ ଏବଂ ପୁଡୁଚେରିରେ ଶାସନ କରୁଥିବା ବେଳେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ଅନ୍ୟ ଦଳ ସହିତ ମିଶି ଶାସନ କ୍ଷମତାରେ ରହିଛି। କହିବାକୁ ଗଲେ ଆଗାମୀ କିଛି ମାସରେ ନିର୍ବାଚନ ହେବାକୁ ଥିବା ବଡ଼ ବଡ଼ ରାଜ୍ୟ ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ ଏବଂ ବିହାରରେ କଂଗ୍ରେସର ଅସ୍ତିତ୍ବ ହିଁ ନାହିଁ।

ଗତବର୍ଷ ଦଳ କର୍ଣ୍ଣାଟକରେ ଜନତା ଦଳ(ଏସ୍) ସହି ମିଶି କରିଥିବା ମେଣ୍ଟ ସରକାର ମଧ୍ୟ କ୍ଷମତାଲୋଭି ବିଜେପି ପାଖରେ ହରାଇଥିଲା। ଦଳର ଅନେକ ପ୍ରମୁଖ ନେତା ଗୋଆରେ ବିଜେପି ଏବଂ ତେଲେଙ୍ଗାନାରେ ଟିଆରଏସକୁ ଚାଲିଯାଇଛନ୍ତି।

ସୋନିଆ ଯେତେବେଳେ1998ରୁ 2017 ଯାଏଁ ପୂର୍ଣ୍ଣକାଳୀନ ସଭାପତି ଥିଲେ, ତାଙ୍କର ନେତୃତ୍ବକୁ ସମସ୍ତେ ମାନି ନେଇଥିଲେ। ସେ ଏକପ୍ରକାର ଉପଦେଷ୍ଟା ଦାୟିତ୍ବ ତୁଲାଇବା ସହ ସେତେବେଳ ନିଷ୍ପତ୍ତ ସର୍ବସମ୍ମତ ହେଉଥିଲା। ଯେଉଁଥିପାଇଁ ତାଙ୍କୁ ଅନ୍ତରୀଣ ସଭାପତି ଭାବେ ପୁଣି ଦାୟିତ୍ବ ଦିଆଯାଇଥିଲା। ସେ ଏବେ ବି ଉଭୟ ଦଳର ବରିଷ୍ଠ ଏବଂ ଯୁବ ନେତାଙ୍କ ମଧ୍ୟରେ ଏକ ସେତୁ ଭାବେ ଗ୍ରହଣୀୟ ହୋଇ ଆସୁଛନ୍ତି। କିନ୍ତୁ ସ୍ବାସ୍ଥ୍ୟଗତ କାରଣରୁ ସେ ଏଥିରୁ ଓହରିଯିବାକୁ ଚାହୁଁଛନ୍ତି ଏବଂ ଆଗାମୀ ଦିନରେ ଦଳକୁ ଯିଏ ନେତୃତ୍ବ ଦେଇ ଆଗକୁ ନେଇ ପାରିବ ସେହିଭଳି ଜଣେ ବ୍ୟକ୍ତି ଏବେ କଂଗ୍ରେସ ଆବଶ୍ୟକ କରୁଛି।

ରାହୁଲ 2017ରେ କଂଗ୍ରେସର ନେତୃତ୍ବ ସମ୍ଭାଳିଥିଲେ, ଯାହାକି ସବୁଠାରୁ ପୁରୁଣା ଦଳରେ ଅନେକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲା, କିନ୍ତୁ ଗତବର୍ଷ ସଭାପତି ପଦରୁ ତାଙ୍କର ଇସ୍ତଫା ନିଷ୍ପତ୍ତି ଅନେକଙ୍କୁ ଚକିତ କରି ଦେଇଥିଲା।

ଦଳୀୟ ସଂଗଠନରେ ଯେଉଁସବୁ ଅଭାବ ରହିଛି ତାହାର ସମାଧାନ କରିବା ପାଇଁ କଂଗ୍ରେସ ପାଇଁ ଏବେ ଜରୁରୀ। ଆଞ୍ଚଳିକ ସ୍ତରରେ ନୂଆ ନେତା ବାହାର କରିବା, ସେମାନଙ୍କୁ ଦଳରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେବା ଏବଂ ବେକାରୀ, ଅର୍ଥନୀତିରେ ପଶ୍ଚାତଗତି, ସାମ୍ପ୍ରଦାୟିକ ଭେଦଭାବ, ଗରିବଙ୍କ ଦୁର୍ଦ୍ଦଶା ଏବଂ ଶସ୍ୟ କ୍ଷେତ୍ରରେ ସଂକଟ ଆଦି ଲୋକଙ୍କୁ ପ୍ରଭାବିତ କରୁଥିବା ପ୍ରସଙ୍ଗ ଉପରେ ଲଢେଇକୁ ଜୋରଦାର କରିବା ଭଳି ଅନେକ ପ୍ରସଙ୍ଗ କଂଗ୍ରେସ ଆଗରେ ରହିଛି।

ତେବେ ଏସବୁକୁ ସଫଳ ମୁକାବିଲା କରିବାକୁ ହେଲେ କଂଗ୍ରେସକୁ ପ୍ରଥମେ ନିଜ ଘର ସଜାଡିବାକୁ ପଡ଼ିବ। ଯଦି ଗାନ୍ଧି ପରିବାର ବାହାରୁ କିଏ କଂଗ୍ରେସ ମୁଖ୍ୟ ହୁଅନ୍ତି ତେବେ ତାଙ୍କ ପ୍ରତି ଗାନ୍ଧି ପରିବାରର ସମର୍ଥନ ରହିବା ଜରୁରୀ। ନଚେତ୍ ଦଳ ଭିତରେ ଏବେ ବି ଅତୁଟ ପ୍ରଭାବ ରହିଥିବା ଗାନ୍ଧି ପରିବାରର ସମର୍ଥନ ବିନା ଅଣ-ଗାନ୍ଧି ଦଳ ମୁଖ୍ୟ ନିଜ ଇଚ୍ଛା ମୁତାବକ କାମ କରିବା ସମସ୍ୟା ହେବ।

ରାହୁଲଙ୍କୁ ସମର୍ଥନ କରୁଥିବା ନେତାଙ୍କ ଯୁକ୍ତି ହେଲା, ସେ ହିଁ ଏକମାତ୍ର ବ୍ୟକ୍ତି ଯେ କି ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ଦ୍ବାରା ପ୍ରଣୀତ ନୀତିକୁ ଗତ ବର୍ଷେ ହେଲା ଆଲୋଚନା କରି ଆସୁଛନ୍ତି। ହେଲେ ଦେଶର ଅର୍ଥନୈତିକ ସମସ୍ୟା ହେଉ ବା କୋଭିଡ-19 ପରିଚାଳନା ହେଉ ବିଭିନ୍ନ ପ୍ରସଙ୍ଗରେ ରାହୁଲଙ୍କ ଆଲୋଚନାକୁ ନେଇ ଦଳ ମଧ୍ୟରେ ଅନେକ ନାପସନ୍ଦ ବି କରୁଛନ୍ତି।

ନିକଟରେ ଏପରି ଏକ ଚିଠି ଲେଖିଥିବା କାରଣରୁ କଂଗ୍ରେସ ନେତା ସଂଜୟ ଝା’ଙ୍କୁ ଦଳରୁ ବହିଷ୍କାର କରାଗଲା। ସେ ଲେଖିଥିବା ଚିଠିର ବିଷୟବସ୍ତୁକୁ ଦଳ ସଂଗେ ସଂଗେ ଖଣ୍ଡନ କରିବା ସହ ଏହାର ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠାଇଥିଲା। କଂଗ୍ରେସ ପୁଣି ଥରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ ହେଲେ ବାସ୍ତବତା ଠାରୁ ଦୂରେଇ ଯିବାକୁ ଉଦ୍ୟମ କରିବା ପରିବର୍ତ୍ତେ ଏହାକୁ ସାମନା କରିବା ଉଚିତ୍।

ଅମିତ ଅଗ୍ନିହୋତ୍ରୀ, ବରିଷ୍ଠ ସାମ୍ବାଦିକ

ABOUT THE AUTHOR

...view details