ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ମନମୋହନ ସିଂ ଆଜି ତାଙ୍କର 88ତମ ଜନ୍ମ ଦିନ ପାଳନ କରୁଛନ୍ତି । ସେ ଦୁଇ ଥର (2004-14) ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେ ନରସିଂହ ରାଓ ସରକାରରେ ଅର୍ଥମନ୍ତ୍ରୀ ରହିଥିଲେ । 1990 ଦଶକରେ ଦେଶର ଅର୍ଥନୀତିରେ ବ୍ୟାପକ ସଂସ୍କାର ଆଣିଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା ।
ମନମୋହନଙ୍କ ଜନ୍ମଦିନର ଏହି ଅବସରେ କଂଗ୍ରେସ ନେତାଙ୍କ ଠାରୁ ପ୍ରଧାନମନ୍ତ୍ରୀ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥତା ଓ ଦୀର୍ଘାୟୁ କାମନା କରିଛନ୍ତି। ସେହିପରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମନମୋହନ ସିଂଙ୍କ ପରି ପ୍ରଧାନମନ୍ତ୍ରୀଙ୍କ ଅଭାବ ଆଜି ସାରା ଦେଶ ଅନୁଭବ କରୁଛି ବୋଲି ରାହୁଲ କହିଛନ୍ତି ।
ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି, ମନମୋହନ ସିଂଙ୍କ ପରି ଜଣେ ପ୍ରଧାନମନ୍ତ୍ରୀଙ୍କ ଅଭାବକୁ ଆଜି ଭାରତ ଅନୁଭବ କରୁଛି । ତାଙ୍କର ସଚ୍ଚୋଟତା, ଶ୍ରଦ୍ଧା ଏବଂ ନିଷ୍ଠା ସମସ୍ତଙ୍କ ପାଇଁ ପ୍ରେରଣା ଉତ୍ସ । ଜନ୍ମଦିନର ଶୁଭେଚ୍ଛା ଜଣେଇବା ସହ ଆଗାମୀ ବର୍ଷ ଭଲରେ କାଟିବାକୁ ସେ କାମନା କରିଛନ୍ତି । ମନମୋହନ ସିଂ ବର୍ତ୍ତମାନ ରାଜସ୍ଥାନର ରାଜ୍ୟସଭାର ସାଂସଦ ମଧ୍ୟ । ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଧ୍ୟ ଡ.ସିଂ ସୁସ୍ଥ ଶରୀର ଓ ଦୀର୍ଘାୟୁ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।