ନୂଆଦିଲ୍ଲୀ: କ୍ରମଶଃ ବ୍ୟସ୍ତ ଆଉ ମତଲବୀ ହୋଇଯାଇଛି ଦୁନିଆଁ । ପର ଦୁଃଖରେ ଆହା ପଦେ, ପର କଷ୍ଟରେ ଲୁହ ଦି ଧାର ଝରାଇବା ପାଇଁ କାହା ପାଖେ ସମୟ ରହୁନି । ସତେ ଯେମିତି ସ୍ବାର୍ଥପରାୟଣ ମନୁଷ୍ୟ କେବଳ ନିଜ ପାଇଁ ଜୀବନ ଜୀଉଁଛି । ମନୁଷ୍ୟ ମନରୁ ଧିରେ ଧିରେ ମଣିଷପଣିଆ ମରିଯାଉଥିବା ବେଳେ ଦଳେ ମାଙ୍କଡଙ୍କ ପର ଦୁଃଖର ଶୋକ ପ୍ରକାଶ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏକ ମାଙ୍କଡ ପରି ଅବକଳ ନକଲ ଦେଖାଯାଉଥିବା ନକଲି ମାଙ୍କଡ ଛୁଆର ମୃତ୍ୟୁରେ ମାଙ୍କଡ ପଲଙ୍କ ହୃଦୟ-ବିଦାରକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ମଣିଷ ପରି ଅନେକ ପ୍ରାଣୀଙ୍କ ମନରେ ମଧ୍ୟ କରୁଣାର ଭାବନା ରହିଥାଏ । ଓଡିଶାର ଆଇଏଫଏସ୍ ଅଧିକାରୀ ସୁଶାନ୍ତ ନନ୍ଦଙ୍କ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ଏହି କ୍ଲିପ୍ରେ ଏକ ନକଲି ମାଙ୍କଡ଼ର ‘ମୃତ୍ୟୁ’କୁ ନେଇ ମାଙ୍କଡ ପଲଙ୍କ ଶୋକାକୁଳ ପରିବେଶର ଦୃଶ୍ୟ ସାମ୍ନାକୁ ଆସିଛି ।
ଭିଡିଓରେ ଏକ ନକଲି ଶିଶୁ ମାଙ୍କଡ଼କୁ ଏକ ଗଛର ଡାଳ ଉପରେ ରଖାଯାଇ ତାର ଆଖି ଭିତରେ ଗୁପ୍ତ କ୍ୟାମେରା ଖଞ୍ଜା ଯାଇଥିଲା । ଛୁଆ ମାଙ୍କଡଟିକୁ ଦେଖି କିଛି ସମୟ ପରେ ଅନ୍ୟ ମାଙ୍କଡଙ୍କ ମଧ୍ୟରେ କୌତୁହଳ ବୃଦ୍ଧି ପାଇଥିଲା । ପରେ ଏକ ମାଙ୍କଡ ଏହି ଶିଶୁ ବାନରଟିକୁ ଉଠାଇବା ସହ ପରଖୁଥିଲା । ପରେ ଅନ୍ୟ ଏକ ମାଙ୍କଡ ଏହାକୁ ଉଠାଇବା ସହ ତଳେ ପକାଇଲା |