ଓଡିଶା

odisha

By

Published : Mar 20, 2019, 9:19 AM IST

ETV Bharat / bharat

ଗଙ୍ଗା ସଫେଇକୁ ଅଟକାଇଛି ସଚେତନତାର ଅଭାବ

ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବା ଲାଗି ପ୍ରଥମ ଉଦ୍ୟମ ୧୯୮୬ରେ ଆରମ୍ଭ ହୋଇଥିଲା । ଏଥିଲାଗି ଗଙ୍ଗା କାର୍ଯ୍ୟାନୁଷ୍ଠାନ ଯୋଜନା 1 ପ୍ରସ୍ତୁତ କରାଯାଇଥିଲା । ୨୦୧୪ ସୁଦ୍ଧା 4000 କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇଛି । କିନ୍ତୁ ପ୍ରଦୂଷଣ ଦୂର ହୋଇପାରିନାହିଁ ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ପବିତ୍ର ଗଙ୍ଗା ନଦୀର ସଫେଇ ପାଇଁ ମୋଦି ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ମିଶନ ଗଙ୍ଗା ନାମରେ ଏକ ନିର୍ଦ୍ଦିଷ୍ଟ ଯୋଜନା ପ୍ରଣୟନ କରିଛନ୍ତି । ନମାମି ଗଙ୍ଗା ନାମରେ ଏକ ପ୍ରକଳ୍ପ ଆରମ୍ଭ ହୋଇଛି । ଅନେକ ସମୟରେ ଖୋଦ ମୋଦି ନିଜ ମନ୍ତ୍ରୀ ଓ ନେତାଙ୍କ ସହ ଏହି ସଫେଇ କାର୍ଯ୍ୟରେ ସାମିଲ ହୋଇଛନ୍ତି । ଲୋକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ହାତରେ କୋଦାଳ ଧରି ଏହାକୁ ସଫା କରିଛନ୍ତି । କିନ୍ତୁ ତିନି ଦଶନ୍ଧି ଧରି ଚାଲିଥିଲେ ମଧ୍ୟ ଏ ସମସ୍ତ ଉଦ୍ୟମ ଫଳପ୍ରଦ ହୋଇପାରିନାହିଁ । ନିକଟରେ ଆସିଥିବା ଏକ ରିପୋର୍ଟ ଅନୁସାରେ ଗଙ୍ଗା ନଦୀ ଆଗ ଅପେକ୍ଷା ଅଧିକ ପ୍ରଦୂଷିତ ହୋଇଛି ।

ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବା ଲାଗି ପ୍ରଥମ ଉଦ୍ୟମ ୧୯୮୬ରେ ଆରମ୍ଭ ହୋଇଥିଲା । ଏଥିଲାଗି ଗଙ୍ଗା କାର୍ଯ୍ୟାନୁଷ୍ଠାନ ଯୋଜନା 1 ପ୍ରସ୍ତୁତ କରାଯାଇଥିଲା । ୨୦୧୪ ସୁଦ୍ଧା 4000 କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇଛି । କିନ୍ତୁ ପ୍ରଦୂଷଣ ଦୂର ହୋଇପାରିନାହିଁ । ତେବେ ୨୦୧୪ରେ ମୋଦି ସରକାର ଆସିବା ପରେ ବଡ ଧରଣର ଅଭିଯାନ ଆରମ୍ଭ ହୋଇଛି । ଏଥିଲାଗି ୨୦୧୪ରୁ ୨୦୧୮ ମଧ୍ୟରେ ୫୫୨୩ କୋଟି ଟଙ୍କା ମଞ୍ଜୁର ହୋଇସାରିଛି । ସେଥିମଧ୍ୟରୁ ୩୮୬୭ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଗଲାଣି ।

କିନ୍ତୁ ଏହି ନଦୀ ସଫା ହେବା ଦୂର କଥା ପ୍ରଦୂଷଣ ପରିମାଣ ଆହୁରି ବୃଦ୍ଧି ପାଇବାରେ ଲାଗିଛି । ଏହି ପାଣି ପିଇବା ଦୂର କଥା, ସ୍ନାନ କରିବା ଏବଂ ଏପରିକି ଜଳସେଚନ ପାଇଁ ମଧ୍ୟ ଏହା ନିରାପଦ ନୁହେଁ । ତେବେ ଏହା ପଛରେ ମୁଖ୍ୟ କାରଣ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ବୋଲି କୁହାଯାଉଛି । କିନ୍ତୁ ରିପୋର୍ଟ ଅନୁସାରେ ଏହାଠାରୁ ଅଧିକ ଦାୟୀ ହେଉଛି ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ । ଏହି କାରଣରୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଗଙ୍ଗା ପ୍ରଦୂଷଣମୁକ୍ତ ହେବାର ନାମ ଧରୁନି ।

କେବଳ ଉତ୍ତରାଖଣ୍ଡ ଛାଡିଦେଲେ ଏହା ଆଉ କେଉଁଠାରେ ନିରାପଦ ନୁହେଁ । ବିଶେଷ କରି ବାରାଣାସୀ, ଆହ୍ଲାବାଦ, କାନପୁର, ବୁଲନ୍ଦସହର, ତ୍ରିବେଣୀ ଏବଂ ଡାଏମଣ୍ଡ ହାରବରରେ ଏହାର ପ୍ରଦୂଷଣ ମାତ୍ରା ବିପଦ ସଙ୍କେତ ଟପିଯାଇଛି । ଗଙ୍ଗା ସଫେଇ ପାଇଁ ନଦୀ କୂଳରେ ବିଭିନ୍ନ ସ୍ଥାନରେ 22,000 କୋଟି ଟଙ୍କାର ୨୨୧ଟି ପ୍ରକଳ୍ପ ହାତକୁ ନିଆଯାଇଛି । ଗଙ୍ଗାର ସଂରକ୍ଷଣ, ସୁରକ୍ଷା ଏବଂ ପରିଚାଳନା ଉଦ୍ଦେଶ୍ୟରେ ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଜାତୀୟ ଗଙ୍ଗା ପରିଷଦ ଗଠିତ ହୋଇଥିଲା । ଯେଉଁ 5ଟି ରାଜ୍ୟ ଦେଇ ଗଙ୍ଗା ବୋହିଯାଇଛି ସେହି ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ସଭ୍ୟ ଅଛନ୍ତି । ପ୍ରତିବର୍ଷ ଏହାର ବୈଠକ ହେବାକୁ ଥିବାବେଳେ ଗତ 3 ବର୍ଷ ଧରି ଏହାର ଗୋଟିଏ ବି ବୈଠକ ହୋଇନାହିଁ ।

ମୋଦି ସରକାର କ୍ଷମତାକୁ ଆସିବା ପରେ 2019 ସୁଦ୍ଧା ଏହାକୁ ସଫା କରିବାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ଏହି ସମୟସୀମା 2020କୁ ବୃଦ୍ଧି ପାଇଛି । ବିଳମ୍ବ ହୋଇଥିଲେ ମଧ୍ୟ ଏଥିପ୍ରତି ସରକାରଙ୍କର ଆଉ ଦୃଷ୍ଟି ନାହିଁ । ଏବେ ନିର୍ବାଚନରେ ବ୍ୟସ୍ତ ସରକାର ଗତଥର ଗଙ୍ଗାକୁ ନିର୍ବାଚନୀ ମୁଦ୍ଦାରେ ରଖିଥିଲେ । ମାତ୍ର ଏଥର ଏହା ଉପରେ କିଛି ବି ଘୋଷଣା କରିନାହାନ୍ତି । ଧିରେ ଧିରେ ଗଙ୍ଗା ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ପବିତ୍ର ଗଙ୍ଗା ପଛରେ ଯେତେ ଅଧିକ ଖର୍ଚ୍ଚ ହେଉଛି ଏହାର ପ୍ରଦୂଷଣ ମାତ୍ରା ସେତେ ବଢିବାରେ ଲାଗିଛି ।

ତେବେ ସରକାର କେବଳ ଯୋଜନା ଘୋଷଣା କରିଦେଇଛନ୍ତି । କିନ୍ତୁ ଏହାକ ସଠିକ ରୂପାୟନ ତଥା ଫଳପ୍ରଦ ନେଇ ଚିନ୍ତା କରୁନାହାନ୍ତି । ଲୋକଙ୍କୁ ଏହା ବିଷୟରେ ବୁଝାଇବାରେ ସରକାର ବିଫଳ ହୋଇଛନ୍ତି । ବିଶେଷ କରି ଯେଉଁସବୁ ସ୍ଥାନରେ ଏହା ଅଧିକ ଅପରିଷ୍କାର ହୋଇଛି ସେଠାରେ ସ୍ଥାନୀୟ ଲୋକେ ହିଁ ଏହା ପଛରେ ଦାୟୀ ଅଛନ୍ତି । ଗଙ୍ଗା ନଦୀ କୂଳରେ ଅନେକ ଜନବସତି ଗଢି ଉଠିଥିବାବେଳେ ନଦୀକୁ ସେମାନେ ନିଜର ସମସ୍ତ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଅଧିକାଂଶ ଲୋକ କେବଳ ଭାବନ୍ତି ସରକାର ଗଙ୍ଗା ସଫା କରୁଛନ୍ତି । କିନ୍ତୁ ନିଜେ ଏହି କାର୍ଯ୍ୟରେ ସାମିଲ ହେବା ବିଷୟରେ ଆଦୌ ଚିନ୍ତା କରିନାହାନ୍ତି । ଯେତେପର୍ଯ୍ୟନ୍ତ ସରକାର ଏହି ସଚେତନତା ବୃଦ୍ଧି କରିପାରିନାହାନ୍ତି ସେତେପର୍ଯ୍ୟନ୍ତ ଗଙ୍ଗା କାନ୍ଦି ଚାଲିଥିବ ।

ABOUT THE AUTHOR

...view details