ସ୍ମିତା ଶର୍ମା, ନୂଆଦିଲ୍ଲୀ, 28 ମେ, 2020
ଏକ୍ସକ୍ଲୁସିଭ୍
‘ଏଲ୍ଏସି ନିକଟ ଛକାପଞ୍ଝା ମାଧ୍ୟମରେ ଆମେରିକା ଓ ସାରା ବିଶ୍ବକୁ ବାର୍ତ୍ତା ଦେବା ଲାଗି ଚୀନ୍ର ଆକ୍ରମଣାତ୍ମକ ଆଭିମୁଖ୍ୟ’
ଲଦାଖର ଡେମଚୋକ, ଗାଲୱାନ ଏବଂ ପାଙ୍ଗଙ୍ଗ ଏବଂ ଉତ୍ତର ସିକ୍କିମର ନାକୁଲାର ବିଭିନ୍ନ ସ୍ଥାନରେ ଭାରତୀୟ ସେନା ଓ ଚୀନ୍ର ପିଏଲ୍ଏ ମଧ୍ୟରେ ଲାଗି ରହିଥିବା ମୁହାଁମୁହିଁ ପରିସ୍ଥିତି ଜନିତ ସମସ୍ୟାର ସମାଧାନ ଶୀଘ୍ର ହେବାର ଆଶା ନାହିଁ ବୋଲି କହନ୍ତି ଭାରତୀୟ ସେନାର ନର୍ଦର୍ଣ୍ଣ କମାଣ୍ଡର ପୂର୍ବତନ ମୁଖ୍ୟ । ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କ ସହିତ ଏକ ଏକ୍ସକ୍ଲୁସିଭ୍ ବାର୍ତ୍ତାଳାପରେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଡି.ଏସ୍. ହୁଡ଼ା କହିଛନ୍ତି ଯେ, ଏଥର ବାସ୍ତବ ନିୟନ୍ତ୍ରଣ ରେଖା ବା ଏଲ୍ଏସିରେ ଚୀନ୍ର କାର୍ଯ୍ୟକଳାପ, ଅତୀତର ଅନେକ ଘଟଣା ଭଳି ସ୍ଥାନୀୟ ସମସ୍ୟାରୁ ସୃଷ୍ଟ ନୁହେଁ କି ଏକମାତ୍ର ଘଟଣା ନୁହେଁ । ବରଂ ଏହା ପଛରେ ବେଜିଂରେ ହୋଇଥିବା ଉଚ୍ଚସ୍ତରୀୟ ପୂର୍ବ ଯୋଜନା ରହିଛି । ଉରିରେ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍ର ନେତୃତ୍ବ ନେଇଥିବା ଭାରତୀୟ ସେନାର ପୂର୍ବତନ ଉଚ୍ଚପଦସ୍ଥ ଅଧିକାରୀ କହନ୍ତି ଯେ, କୋରୋନା ଭାଇରସ୍ର ଉତ୍ପତ୍ତି ସ୍ଥଳକୁ କେନ୍ଦ୍ର କରି ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପର ରାଷ୍ଟ୍ର ସମୂହ ଚୀନ୍କୁ କୋଣଠେସା କରିବା ଏବଂ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ବୈଧତା ଉପରେ ହଂକଂ ଓ ତାଇୱାନ୍ ପ୍ରଶ୍ନ ଉଠାଇବା ପରେ ଏଲ୍ଏସିରେ ଭାରତ ବିରୋଧରେ ‘ଆକ୍ରମଣାତ୍ମକ ମନୋଭାବ’ ପ୍ରଦର୍ଶନ ଲାଗି ବେଜିଂ ସ୍ଥିର କରିଛି । ସେ ଦୁର୍ବଳ ହୋଇଯାଇନାହିଁ ବୋଲି ଚୀନ୍ ସାରା ବିଶ୍ବକୁ ଏକ ବାର୍ତ୍ତା ଦେବାକୁ ଚାହେଁ । କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ଏବଂ ପାକିସ୍ତାନ ପଟୁ ନିୟନ୍ତ୍ରଣ ରେଖାରେ ଗୁଳିମାଡ଼ ଘଟଣାର ଚୀନ୍-ଭାରତ ଏଲ୍ଏସି ପରିସ୍ଥିତି ସହ ସଂପର୍କ ରହିଥିବା ଉପରେ ଗୁରୁତ୍ବାରୋପ କରି ଜେନେରାଲ ହୁଡ଼ା କହନ୍ତି ଯେ ଏକକାଳୀନ ଭାବେ ବିଭିନ୍ନ ସୀମାରେ ଶତ୍ରୁପକ୍ଷର ମୁକାବିଲା ଲାଗି ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଛି । କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ବିନା ଭାରତ ଓ ଚୀନ୍ ଦ୍ବିପାକ୍ଷିକ ଭାବେ ସେମାନଙ୍କ ସମସ୍ୟାର ସମାଧାନ କରିବେ ବୋଲି ରାଷ୍ଟ୍ରପତି ଟ୍ରମ୍ପ୍ କରିଥିବା ବିବାଦୀୟ ଟ୍ବିଟ୍କୁ ସେ ଅଗ୍ରାହ୍ୟ କରିଦେଇଛନ୍ତି । ଏହି ଏକ୍ସକ୍ଲୁସିଭ୍ ବାର୍ତ୍ତାଳାପ ଏଠାରେ ପ୍ରଦତ୍ତ ।
ପ୍ରଶ୍ନ- ଅତୀତରେ ଚୁମାର ଓ ଡୋକଲାମରେ ସଂଘଟିତ ସଂଘର୍ଷ ତୁଳନାରେ ଏହି ମୁହାଁମୁହିଁ ସ୍ଥିତି କାହିଁକି ଭିନ୍ନ ? ଏହି ଅତିକ୍ରମଣ, ମୁହାଁମୁହିଁ ଓ ହାତାହାତି ହେବାର ସମୟ ନିର୍ଦ୍ଧାରଣକୁ ଆପଣ କିଭଳି ଦେଖୁଛନ୍ତି ?
ପୂର୍ବର ଘଟଣାଗୁଡ଼ିକ ତୁଳନାରେ ଏହା ଭିନ୍ନ । ମୋତେ ଏହା ଅର୍ଥପୂର୍ଣ୍ଣ ଭାବରେ ଭିନ୍ନ ମନେ ହେଉଛି । ଆପଣ ଯଦି ଅତୀତରେ ଚୁମାର ଓ ଡୋକଲାମ୍, ଏମିତି କି 2013ରେ ଡେପ୍ସାଙ୍ଗ ଘଟଣାକୁ ବିଚାର କରନ୍ତି, ତେବେ ସେଗୁଡ଼ିକ ସବୁ ସ୍ଥାନୀୟ ଘଟଣା କାରଣରୁ ଥିଲା ଏବଂ ଏକପ୍ରକାର ସ୍ଥାନୀୟ ସାମରିକ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ଡୋକଲାମ୍ରେ ଚୀନ୍ ରାସ୍ତା ତିଆରି କରିବାକୁ ଚେଷ୍ଟା କରୁଥିଲା ଏବଂ ଆମ ଲୋକେ (ଭାରତୀୟ ସେନା) ଭୂଟାନ୍ ଅଞ୍ଚଳ ଦେଇ ପ୍ରବେଶ କରି ରାସ୍ତା ନିର୍ମାଣ ନ କରିବାକୁ ଚୀନ୍କୁ ଅନୁରୋଧ କରିଥିଲେ । ଚୁମାରରେ ବି ସେଇ ଏକା କଥା ହୋଇଥିଲା । ସେମାନେ ଏକ ରାସ୍ତା ନିର୍ମାଣ କରି ଆସିବାକୁ ଚାହୁଁତିଲେ, ଆମେ ଲୋକେ ଏହାକୁ ମନା କଲେ । ତାହା କେବଳ ସେହି ଅଞ୍ଚଳର ସ୍ଥାନୀୟ ପ୍ରସଙ୍ଗ ହୋଇ ରହିଗଲା । ଡୋକଲାମ ଘଟଣା ପକ୍ଷବିସ୍ତାର କରି ନଥିଲା । ଉଭୟ ପକ୍ଷର ଦାବି କ’ଣ ଥିଲା, ସେ ସଂପର୍କରେ ଆମେ ସଂପୂର୍ଣ୍ଣ ସ୍ପଷ୍ଟ ଭାବେ ଜାଣିଥିଲୁ । ଏଥର ଏହା ସଂପୂର୍ଣ୍ଣ ଭିନ୍ନ । ପ୍ରଥମତଃ ଭୌଗୋଳିକ ଦୃଷ୍ଟିକୋଣରୁ ଏହା ବହୁ ବର୍ଷ ଧରି ରହିଛି । ଏସବୁ ଅଞ୍ଚଳର ଅନେକ ସ୍ଥାନରେ ସୀମାରେଖା ବିନ୍ୟାସ ନେଇ କେବେ କୌଣସି ବିବାଦ ଉପୁଜି ନାହିଁ । ଉଦାହରଣ ସ୍ବରୂପ ଗଲୱାନରେ ଆମର କେବେ କୌଣସି ସମସ୍ୟା ହୋଇ ନଥିଲା । ଏଠାରେ ନିୟୋଜିତ ସେନାବାହିନୀର ସଂଖ୍ୟା ବହୁ ଅଧିକ । ନିଶ୍ଚିତ ଭାବରେ ଏହା କୌଣସି ସ୍ଥାନୀୟ ସମସ୍ୟାକୁ ନେଇ ଉପୁଜି ନାହିଁ । ତେବେ, ଚୀନ୍ ହୁଏତ କହିବାକୁ ଚାହିଁବ ଯେ ରାସ୍ତାଘାଟ ଭଳି ଭିତ୍ତିଭୂମି ଗଠନ ପ୍ରଭୃତି କାରଣରୁ ଏହି ସ୍ଥିତି ଦେଖାଦେଇଛି । ଏହାର ଯୋଜନା ଉଚ୍ଚସ୍ତରରେ ହୋଇଛି । ସେମାନେ ଏକ ସୁସଂହତ ଢଙ୍ଗରେ ଆଗକୁ ଆସିଛନ୍ତି । ହେଲେ ବଡ଼ ପ୍ରଶ୍ନ ହେଉଛି ଯେ ସେମାନଙ୍କର ଦାବି କ’ଣ, କ’ଣ ସେମାନେ ଚାହୁଁଛନ୍ତି । ସେକଥା ଆଦୌ ସ୍ପଷ୍ଟ ନୁହେଁ । ତେଣୁ, ଏହା ଏଭଳି ଏକ ପରିସ୍ଥିତି ଯାହାକୁ କି ଆମକୁ ଗମ୍ଭୀରତାର ସହ ବିଚାର କରିବାକୁ ପଡ଼ିବ ।
ପ୍ରଶ୍ନ-ଗତକାଲି ବେଜିଂ କହିଥିଲା ଯେ ‘ସୀମାରେ ପରିସ୍ଥିତି ମୋଟାମୋଟି ଭାବେ ସ୍ଥିର ଏବଂ ନିୟନ୍ତ୍ରଣାଧୀନ’ ରହିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଟ୍ବିଟ୍ କରିଥିଲେ ଯେ ସେ ‘ମୀମାଂସା ବା ମଧ୍ୟସ୍ଥତା’ କରିବାକୁ ଇଚ୍ଛୁକ ବୋଲି ’‘ଭାରତ ଓ ଚୀନ୍କୁ ସୂଚାଇ ଦେଇଛନ୍ତି’ । ସେ ଏହାକୁ ଏକ ‘ମୁଣ୍ଡ ଟେକୁଥିବା ବିବାଦ’ ବୋଲି ମଧ୍ୟ ଅଭିହିତ କରିଥିଲେ । କୋରୋନା ଭାଇରସ୍ର ଉତ୍ପତ୍ତିସ୍ଥଳ ରୂପେ ଚୀନ୍କୁ ଆମେରିକା ଓ ୟୁରୋପ କୋଣଠେସା କରିବାଠାରୁ ଆରମ୍ଭ କରି ହଂକଂ ଏବଂ ତାଇୱାନରେ ପ୍ରତିବାଦ ଆନ୍ଦୋଳନ ଭଳି ଭୌଗୋଳିକ ଓ ରାଜନୈତିକ ଘଟଣାବଳୀ ସହିତ ସୀମାରେ ସଂଘଟିତ ଏହି ଘଟଣାର ସଂପର୍କ ରହିଛି କି ?
ସ୍ପଷ୍ଟତଃ, ଯାହା ସବୁ ଘଟୁଛି, ସେଥିରେ ଭୌଗୋଳିକ ଓ ରାଜନୈତିକ ସଂପର୍କ ରହିଛି । ଚୀନ୍ ଭୀଷଣ ଚାପରେ ରହିଛି । ପ୍ରଯୁକ୍ତିବିଦ୍ୟା ଏବଂ ବାଣିଜ୍ୟ କ୍ଷେତ୍ରରେ ଆମେରିକା ଓ ଚୀନ୍ ମଧ୍ୟରେ ଏକ ଶୀତଳ ଯୁଦ୍ଧ ଲାଗି ରହିଛି । ଏହି କାରଣରୁ ଚୀନ୍ ଏକ ପ୍ରକାର ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରୁଛି । ଆପଣ ଦକ୍ଷିଣ ଚୀନ୍ ସାଗରରେ. ହଂକଂରେ ଗୃହୀତ କେତେକ ନୂଆ ଆଇନରେ ଏହା ଦେଖୁଛନ୍ତି । ଆପଣ ଦେଖୁଛନ୍ତି ଯେ ତାଇୱାନ ବିରୋଧରେ ଜାତୀୟତାବାଦୀ ଭାବନାର ପୁନର୍ଜାଗରଣ ହେଉଛି, ଅଷ୍ଟ୍ରେଲିଆ ଉପରେ ଚାପ ପଡୁଛି । ଏ ସବୁର ଯେଉଁ ଗୋଟିଏ କଥା ସହିତ ସଂପର୍କ ରହିଛି, ତାହା ହେଲା, ଚୀନ୍ କହିବାକୁ ଚେଷ୍ଟା କରୁଛି ଯେ, କୋରୋନା ଭାଇରସ୍ ଯୋଗୁଁ ‘ଆମେ ଦୁର୍ବଳ ହୋଇଯାଇଛୁ ବୋଲି ଭାବ ନାହିଁ’ । ଚୀନ୍ର ଜଣେ କୂଟନୀତିଜ୍ଞ ଦେଇଥିବା ବିବୃତିକୁ ଆମେ ଏକ ସକାରାତ୍ମକ ପଦକ୍ଷେପ ରୂପେ ନେଇପାରିବା । କିନ୍ତୁ ଯେଉଁ ପର୍ଯ୍ୟନ୍ତ ବାସ୍ତବ କ୍ଷେତ୍ରରେ ସ୍ଥିତି ବଦଳି ନାହିଁ, ଏଭଳି ବିବୃତି ଉସୁକାଇବାକୁ ଉଦ୍ଦିଷ୍ଟ ବୋଲି ଧରିନେବାକୁ ହେବ । ଡୋନାଲ୍ଡ ଟ୍ରମ୍ପଙ୍କ କଥା କହିବାକୁ ଗଲେ, ତାଙ୍କୁ ଆଉ କେହି ଗମ୍ଭୀରତାର ସହ ନେଉଛନ୍ତି ବୋଲି ମୁଁ ନିଶ୍ଚିତ ନୁହେଁ । ଏହି ସମସ୍ୟାରେ ତୃତୀୟ ପକ୍ଷର ହସ୍ତକ୍ଷେପ କରିବା ଆବଶ୍ୟକତା ନାହିଁ । ଏହାର ସମାଧାନ ଭାରତ ଓ ଚୀନ୍ ହିଁ କରିବେ ।
ପ୍ରଶ୍ନ-ଅତୀତରେ ଭାରତ ‘ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍’ ବା BRIକୁ ବିରୋଧ କରିଛି, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ସହିତ ବହୁପାକ୍ଷିକ ସୁରକ୍ଷା ବାର୍ତ୍ତାଳାପରେ ଅଂଶଗ୍ରହଣ କରିଛି ଏବଂ ଭାରତ-ପ୍ରଶାନ୍ତ ମହାସାଗରରେ ଆମେରିକା ସହିତ ସଂହତି ସ୍ଥାପନ କରୁଛି । ବେଜିଂର ଚିନ୍ତାଧାରା ଉପରେ ଏସବୁ କାରଣର ପ୍ରଭାବ କେତେ ପଡ଼ିଛି ?
ଏସବୁ କାରଣର ପ୍ରଭାବ ତ ରହିଛି । ଚୀନ୍ରୁ ପ୍ରକାଶିତ ଖବରକାଗଜ ‘ଗ୍ଲୋବାଲ୍ ଟାଇମ୍ସ’ରେ ପ୍ରକାଶିତ ଏକ ମତାମତ ସ୍ତମ୍ଭରେ କୁହାଯାଇଥିଲା ଯେ ଭାରତ ଆମେରିକା କଥାରେ ପ୍ରଲୋଭିତ ହୋଇ ଚୀନ୍ ବିରୋଧୀ ଦୃଷ୍ଟିଭଙ୍ଗୀ ଆରମ୍ଭ କରିବା ଉଚିତ ନୁହେଁ । ଏହା ସେମାନଙ୍କ ପାଉଁ ଏକ ଚିନ୍ତାର ବିଷୟ । ଭାରତ ମହାସାଗରରେ ଭାରତର ଶକ୍ତିଶାଳୀ ନୌସେନା ରହିଛି । ଭାରତ ଏବଂ ଆମେରିକା କିମ୍ବା ‘ବହୁପକ୍ଷ’ ଏକାଠି ହୋଇଗଲେ, ଭାରତ ମହାସାଗରରେ ଚୀନ୍ ଦୁର୍ବଳ ହୋଇପଡ଼ିବ ବୋଲି ସେମାନେ ଅନୁଭବ କରୁଛନ୍ତି । ଭାରତ ମହାସାଗର ବାଟ ଦେଇ ସେମାନଙ୍କର 80 ପ୍ରତିଶତ ବାଣିଜ୍ୟ କାରବାର ହୋଇଥାଏ । ତେଣୁ ବାସ୍ତବ ନିୟନ୍ତ୍ରଣ ରେଖା (LAC)ରେ ଏଭଳି ଆକ୍ରମଣାତ୍ମକ ଏବଂ ଶତ୍ରୁଭାବାପନ୍ନ ବ୍ୟବହାର ପ୍ରଦର୍ଶନ କରି ସେମାନେ ଏକ ବାର୍ତ୍ତା ଦେବା ସହିତ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଚାହୁଁଛନ୍ତି ।
ପ୍ରଶ୍ନ-ଏବେ ଭିତ୍ତିଭୂମି ବିକାଶ ଏବଂ ସମ୍ବଳ ନିୟୋଜନ କ୍ଷେତ୍ରରେ ବାସ୍ତବ ନିୟନ୍ତ୍ରଣ ରେଖାରେ ଭାରତ କେତେ ଶକ୍ତିଶାଳୀ?