ମୁମ୍ବାଇ: ନେଦରଲାଣ୍ଡର ଦି ହେଗ ଠାରେ ଥିବା ଅନ୍ତର୍ଜାତୀୟ ନ୍ୟାୟାଳୟରେ ଆଜି କୁଳଭୂଷଣ ଯାଦବଙ୍କ ଭାଗ୍ୟ ପରୀକ୍ଷା ହେବ । ସେ ପାକିସ୍ତାନ ଜେଲରୁ ମୁକୁଳି ଭାରତ ଫେରିବେ କି ନାହିଁ ସେ ନେଇ ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇବେ କୋର୍ଟ । ତେବେ ଯାଦବ ମାମଲାର ଶୁଣାଣି ପାଇଁ ଅନେକ ଆଇନ ବିଶେଷଜ୍ଞ ଅନ୍ତର୍ଜାତୀୟ ନ୍ୟାୟାଳୟରେ ପହଞ୍ଚିଥିବା ଜଣାପଡିଛି । ସେପଟେ କୁଳଭୂଷଣଙ୍କ ପରିବାରଠାରୁ ଆରମ୍ଭ କରି ସାହିପଡିଶା ଏବଂ ବନ୍ଧୁବାନ୍ଧବ ସମସ୍ତେ ତାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି ।
ମୁମ୍ବାଇର ଲୋଅର ପରେଲ ଅଞ୍ଚଳରେ ରହୁଥିଲେ କୁଳଭୂଷଣ ସୁଧୀର ଯାଦବ । ତେବେ ବର୍ତ୍ତମାନର ରାୟ ତାଙ୍କ ସପକ୍ଷରେ ହେବ ଏବଂ ସେ ଭାରତ ଫେରିବେ ବୋଲି ଆଶା ରଖିଛନ୍ତି ତାଙ୍କ ସାଙ୍ଗସାଥୀ ଓ ପରିବାର ଲୋକ । ଭାରତ ସରକାର ତାଙ୍କୁ ଫେରାଇ ଆଣିବା ପାଇଁ ଯେଉଁଭଳି ପ୍ରୟାସ କରୁଛନ୍ତି ନିଶ୍ଚିତ ଭାବରେ ରାୟ ତାଙ୍କ ସପକ୍ଷରେ ହେବ ବୋଲି ତାଙ୍କର ଜଣେ ବନ୍ଧୁ ଅରବିନ୍ଦ ସିଂହ କହିଛନ୍ତି ।